ଅହମଦାବାଦ: ଶନିବାର ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ବିଶ୍ବକପ୍‌ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ବାବର ଆଜମ୍‌ଙ୍କ‌ ନେତୃତ୍ବାଧିନ ପଡ଼ୋଶୀ ଦଳ ବୁଧବାର ଅହମଦାବାଦରେ ପହଞ୍ଚିଛି। ୧୧ ବର୍ଷ ପ‌ରେ ପାକିସ୍ତାନ କ୍ରିକେଟ୍‌ ଦଳ ଅହମଦାବାଦରେ ଓହ୍ଲାଇଛି। ଅପରାହ୍ନ ୪ଟାରେ ଦଳ ସ୍ବତନ୍ତ୍ର ବିମାନରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଖେଳାଳି ଓ ଅନ୍ୟ ସଦସ୍ୟଙ୍କୁ ହୋଟେଲ୍‌କୁ ନିଆଯାଇଥିଲା। ଶେଷ ଥର ପାଇଁ ୨୦୧୨ରେ ପାକିସ୍ତାନ କ୍ରିକେଟ୍‌ ଦଳ ଏଠାରେ ଖେଳିଥିଲା। ଭାରତୀୟ ଦଳ ଗୁରୁବାର ଅପରାହ୍ଣରେ ଅହମଦାବାଦରେ ପହଞ୍ଚିବ।

Advertisment

ବିଶ୍ବକପ୍‌ ମୁକାବିଲାରେ ଏହି ଦୁଇ ଦଳଙ୍କ ମଧ୍ୟରେ ହେଉଥିବା ପ୍ରତ୍ୟେକ ମ୍ୟାଚ୍‌ ଦୁଇ ଦେଶର ପ୍ରଶଂସକଙ୍କ ପାଇଁ ଏକ ଯୁଦ୍ଧ ସଦୃଶ। କୋଟି କୋଟି ଲୋକଙ୍କ ଭାବନା ମଧ୍ୟ ଏହି ମ୍ୟାଚ୍‌ ସହ ଯୋଡ଼ି ହୋଇ ରହିଛି। ତେଣୁ ମ୍ୟାଚ୍‌ ଦେଖିବାକୁ ଦୁଇ ଦେଶର ଅନେକ ନାମୀ ଲୋକଙ୍କ ସମାଗମ ହେବ ବୋଲି କୁହାଯାଉଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଅଧ୍ୟକ୍ଷ ଜାକା ଅସ୍ରଫ ପ୍ରଥମେ ଭାରତ ଗସ୍ତରେ ଆସିବାକୁ ରାଜି ନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଅହମଦାବାଦ ଆସିବାକୁ ଆଗ୍ରହ ଦେଖାଇବା ସହ ଗୁରୁବାର ସେଠାରେ ପହଞ୍ଚିବେ ବୋଲି ପିସିବି ପକ୍ଷରୁ କୁହାଯାଇଛି। ଏହା ବାଦ୍‌ ଭାରତୀୟ ତାରକାଙ୍କ ମଧ୍ୟରେ ଅମିତାଭ ବଚ୍ଚନ, ରଜନୀକାନ୍ତ, ସଚିନ ତେନ୍ଦୁଲକରଙ୍କ ଭଳି କିଂବଦନ୍ତିଙ୍କ ନାମ ରହିଛି। କିନ୍ତୁ ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧି କିମ୍ବା ଦର୍ଶକ ଏପର୍ଯ୍ୟନ୍ତ ଭାରତୀୟ ଭିସା ପାଇ ନ ଥିବାରୁ ନିରାଶ ହୋଇଛନ୍ତି। ତେଣୁ ଅସ୍ରଫ୍‌ ଏହି ମାମଲାକୁ ଶୀଘ୍ର ସମାଧାନ କରାଇବେ ବୋଲି ସେମାନେ ଆଶା ରଖିଛନ୍ତି।