ପାକିସ୍ତାନ – ବାଂଲାଦେଶ ଦ୍ବିତୀୟ ଟେଷ୍ଟ: ପାକିସ୍ତାନର ନାଟକୀୟ ବିଜୟ

ପାଳି ଓ ୮ ରନ୍‌ରେ ହାରିଲା ବାଂଲାଦେଶ, ୨-୦ରେ ଶୃଙ୍ଖଳା ପୋଛିନେଲା ପାକିସ୍ତାନ

ଢାକା: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେ‌ଷ୍ଟ୍‌ରେ ଭ୍ରମଣକାରୀ ପାକିସ୍ତାନ ଦଳ ନାଟକୀୟ ବିଜୟ ହାସଲ କରିଛି। ପ୍ରଥମ ୩ ଦିନ ବର୍ଷାରେ ବର୍ଷାରେ ବିତିଯିବା ପରେ ଅନ୍ତିମ ଦୁଇ ଦିନ ଭିତରେ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ପାକିସ୍ତାନ ଗୋଟିଏ ପାଳି ଓ ୮ ରନ୍‌ରେ ଘରୋଇ ବାଂଲାଦେଶକୁ ପରାସ୍ତ କରିଦେଇଛି। ପ୍ରଥମ ପାଳିକୁ ୩୦୦/୪ରେ ଘୋଷଣା କରିଦେବା ପରେ ପାକିସ୍ତାନ ବୋଲରମାନେ ୯୦.୪ ଓଭରରେ ବାଂଲାଦେଶର ଦୁଇଟିଯାକ ପାଳିକୁ ସଫା କରିଦେଇଥିଲେ।

ବାଂଲା ପ୍ରଥମ ପାଳିକୁ ୮୭ ରନ୍‌ରେ ଶେଷ କରିବା ପରେ ପଞ୍ଚମ ତଥା ଅନ୍ତିମ ଦିବସରେ ଦ୍ବିତୀୟ ପାଳିକୁ ୨୦୫ ରନ୍‌ରେ ଅଟକାଇ ଦେଇଥିଲେ ପାକ୍‌ ବୋଲର। ବିଶେଷକରି ସାଜିଦ ଖାନ୍‌ ମ୍ୟାଚ୍‌ରେ ମୋଟ ୧୨ ୱିକେଟ୍‌ ୧୨୮ ରନ୍‌ରେ ଦଖଲ କରି ପାକିସ୍ତାନ ବିଜୟର ନାୟକ ବନି ଯାଇଥିଲେ। ସାଜିଦ ମ୍ୟାଚ୍‌ର ଏବଂ ଆବିଦ୍‌ ଅଲ୍ଲି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏଥି ସହିତ ପାକିସ୍ତାନ ମଧ୍ୟ ୨ ମ୍ୟାଚ୍‌ ଶୃଙ୍ଖଳାକୁ ୨-୦ରେ ମୂଳପୋଛ କରିନେଇଛି। ପୁଣି ଆଇସିସି ଚଳିତ ବର୍ଷ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ରେ ଏହା ପାକିସ୍ତାନର ତୃତୀୟ ବିଜୟ।

ଚତୁର୍ଥ ଦିନ ମାତ୍ର ୬୧ ଓଭର ଖେଳ ସମ୍ଭବ ହୋଇଥିଲା ବେଳେ ପାକ୍‌ ବୋଲର ବାଂଲାଂଦେଶର ପ୍ରଥମ ପାଳି ୭ ୱିକେଟ୍‌ ୭୬ ରନ୍‌ରେ ଝଡ଼ାଇ ଦେଇ ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲେ। ଏହାପରେ ବୁଧବାର ପଞ୍ଚମ ତଥା ଅନ୍ତିମ ଦିବସରେ ମୋଟ ୯୦.୪ ଓଭର ବୋଲିଂ କରି ୨୧୬ ରନ୍‌ରେ ୧୩ ୱିକେଟ୍‌ ଅକ୍ତିଆର କରିନେଇଥିଲା। ସେଥିରୁ ଘାରୋଇ ଦଳ ପ୍ରଥମ ପାଳିର ପୂର୍ବ ସ୍କୋର୍‌ (୭୬/୭)ରେ ଆଉ ୧୧ ରନ୍ ଯୋଡ଼ି ସମସ୍ତ ୱିକେଟ୍‌ ହରାଇଥିଲା ବେଳେ ଫଲୋଅନ୍‌ ଖେଳିଥିଲା। ତେବେ ୮୪.୪ ଓଭରରେ ଦ୍ବିତୀୟ ପାଳିର ସମସ୍ତ ୧୦ ୱିକେଟ୍‌ ୨୦୫ ରନ୍‌ରେ ହରାଇଥିଲା।

ଏଥି ସହିତ ପାଳି ପରାଜୟ ଏଡାଇବାଠୁ ୮ ରନ୍‌ ଦୂରରେ ଅଟକିଯାଇଥିଲା। ପ୍ରଥମ ପାଳିରେ ୪୨ ରନ୍‌ରେ ୮ ୱିକେଟ୍‌ ଦଖଲ କରିଥିବା ସାଜିଦ ଖାନ୍‌ ଦ୍ବିତୀୟ ପାଳିରେ ୮୬ ରନ୍‌ରେ ୪ ୱିକେଟ୍‌ ଅକ୍ତିଆର କରିଥିଲେ। ତାଙ୍କ ବ୍ୟତୀତ ସାହିନ ଆଫ୍ରିଦି ଓ ହାସନ ଅଲ୍ଲୀ ୨-୨ ୱିକେଟ୍‌ ନେଇଥିଲେ।

ବାଂଲା ପ୍ରଥମ ପା‌ଳିରେ କେବଳ ସାଣ୍ଟୋ (୩୦) ଓ ସାକିବ ଅଲ୍‌ ହାସନ୍‌ (୩୩) ଦୁଇ ଅଙ୍କ ଛୁଇଁଥିଲା ବେଳେ ଦ୍ବିତୀୟ ପାଳିରେ ସାକିବ୍‌ ଅଲ୍‌ ହାସନ୍‌ (୬୩), ମୁସ୍‌ଫିକର ରହିମ୍‌ (୪୮), ଲିଟନ ଦାସ (୪୫) ଓ ମେହେଦି ହାସନ୍‌ (୧୪) ଦୁଇ ଅଙ୍କ ଛୁଇଁଥିଲେ। ତେବେ ଫଲୋଅନ୍‌ ଖେଳିଥିବା ବାଂଲାଦେଶ ୨୦୪ ରନ୍‌ରେ ୯ ୱିକେଟ୍‌ ହରାଇଥିଲା ବେଳେ ତାଇଜୁଲ ଇସ୍‌ଲାମ ଓ ଏବାଦତ୍‌ ହୋସେନ୍‌ ୩୪ ବଲ୍‌ ଖେଳି ପାକିସ୍ତାନ ଚିନ୍ତା ବଢ଼ାଇଥିଲେ। ଏପରିକି ମ୍ୟାଚ୍‌ ଅମୀମାଂସିତ ଆଡକୁ ଟାଣି ନେଉଥିଲେ। ମାତ୍ର ତାଇଜୁଲ୍‌ଙ୍କୁ ଆଉଟ୍‌ କରି ସାଜିଦ୍‌ ପାକିସ୍ତାନକୁ ଚିନ୍ତାମୁକ୍ତ କରିଥିଲେ। ନିଜ ପ୍ରଥମ ୩ ଟେଷ୍ଟରୁ ମାତ୍ର ୬ ୱିକେଟ୍ ଅକ୍ତିଆର କରିଥିବା ସାଜିଦ୍‌ ପ୍ରଥ ପାଳିରେ ନିଜ ଶ୍ରେଷ୍ଠ ବୋଲିଂ (୧୫-୪-୪୨-୮) ଚିତ୍ର ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୯୮.୩ ଓଭରରେ ୩୦୦/୪, ଘୋଷିତ (ବାବର ଆଜମ-୭୬, ଆଝାର ଅଲୀ-୫୬, ଫୱାମ ଆଲାମ-୫୦*, ମହମ୍ମଦ ରିଜୱାନ-୫୩*, ‌ତୈଜୁଲ ଇସଲାମ-୨/୭୩, ଖଲିଦ୍‌ ଅହମ୍ମଦ-୧/୪୯, ଏବଦତ ହୋସେନ୍‌-୧/୮୮୦। ବାଂଲାଦେଶ ପ୍ରଥମ ପାଳି: ୩୨ ଓଭରରେ ୮୭ (ନଜମୁଲ ହୋସେନ୍‌ ସାଣ୍ଟୋ-୩୦, ସକିବ୍ ଅଲ ହାସନ୍‌-୩୩, ସାଜିଦ୍ ଖାନ୍-୮/୪୨)। ବାଂଲାଦେଶ ଦ୍ବିତୀୟ ପାଳି: ୮୪.୪ ଓଭରରେ ୨୦୫ (ସକିବ୍ ଅଲ ହାସନ୍‌-୬୩, ମୁସ୍‌ଫିକର ରହିମ-୪୮, ଲିଟନ ଦାସ-୪୫, ସାଜିଦ୍ ଖାନ୍-୪/୮୬, ସାହିନ ଆଫ୍ରିଦି-୨/୩୧, ହାସନ ଅଲ୍ଲୀ-୨/୩୭)।

ସମ୍ବନ୍ଧିତ ଖବର