ଇଂଲଣ୍ଡକୁ ପାକ୍‌ ଧକ୍କା, ରୁଟ୍‌ ଓ ବଟଲରଙ୍କ ଶତକ ବେକାର: ପାକିସ୍ତାନ ୧୪ ରନ୍‌ରେ ବିଜୟୀ

ନଟିଂହାମ: ପାକିସ୍ତାନ କଥା କିଛି କହି ହେବନି! କେତେ ବେଳେ ଜିରୋ, ପୁଣି କେତେ ବେଳେ ହିରୋ। ଦୁଇ ଦିନ ତଳେ ଖେଳିଥିବା ପ୍ରଥମ ମୁକାବିଲାରେ ମାତ୍ର ୧୦୫ ରନ୍‌ କରି ତୀବ୍ର ସମାଲୋଚିତ ହୋଇଥିଲା ଏହି ପୂର୍ବବିଜେତା ଦଳ। ସୋମବାର କିନ୍ତୁ ସମସ୍ତଙ୍କୁ ଚକିତ କରି ୩୪୯ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା । ତା’ ସହ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ଚଳିତ ବିଶ୍ବକପ୍‌ର ପ୍ରମୁଖ ଦାବିଦାର ତଥା ଆୟୋଜକ ଇଂଲଣ୍ଡକୁ ୧୪ ରନ୍‌ରେ ହରାଇ ଦେଇଛି। ପାକିସ୍ତାନ ସମସ୍ତଙ୍କୁ ନିଜ ଶାଣିତ ପ୍ରଦର୍ଶନରେ ଚକିତ କରି ଦେଇଛି। ସନ୍ତୁଳିତ ଇଂଲଣ୍ଡ କ୍ରିକେଟ୍ ଦଳକୁ କିନ୍ତୁ ଶକ୍ତ ଧକ୍କା ଲାଗିଛି। ଇଂଲଣ୍ଡ ଅବଶ୍ୟ ପାରୁ ପର୍ଯ୍ୟନ୍ତ ଲଢ଼ିଥିଲା। ହେଲେ ଶେଷରେ ବିଶାଳ ବିଜୟ ଲକ୍ଷ୍ୟ ଆଗରେ ମୁଣ୍ଡ ନୁଆଁଇ ନିର୍ଧାରତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୩୪ ରନ୍ କରି ପାରିଥିଲା। ତା’ ସହ ପଶ୍ଚାତଧାବନରେ ସର୍ବବୃହତ୍ ବିଶ୍ବକପ୍ ବିଜୟ ହାସଲରୁ ବଞ୍ଚିତ ‌ହୋଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ୧୧ ପରାଜୟ ପରେ ପ୍ରଥମ ବିଜୟ ପାଇ ଶାନ୍ତିର ନିଶ୍ବାସ ମାରିଥିଲା। ଘରୋଇ ମାଟିରେ ପ୍ରଥମ ବିଶ୍ବକପ୍‌ ଜିତିବା ଆଶାରେ ଥିବା ଇଂଲଣ୍ଡ ଲଗାତାର ୧୭ ମ୍ୟାଚ୍ ଜିତିବା ପରେ ହାରିଥିଲା।

ଯୁଗଳ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ
ବଡ଼ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଇଂଲଣ୍ଡ ଯେମିତି ଆରମ୍ଭ ଆଶାରେ ଥିଲା, ସେମିତି ହୋଇ ନଥିଲା। ତୃତୀୟ ଓଭରରେ ଜାସନ ରୟ (୮) ସଦାବ ଖାନଙ୍କ ଶିକାର ହୋଇଥିଲେ। ଅଧିନାୟକ ଇଅନ ମୋର୍ଗାନ (୯) ଓ ବେନ୍ ଷ୍ଟୋକ୍ସ (୧୩) ମଧ୍ୟ ନିରାଶ କରିଥିଲେ। ଜନି ବେୟାରଷ୍ଟୋ (୩୨) ଭଲ ଆରମ୍ଭ କରିଥିଲେ। ହେଲେ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ମାତ୍ର ୧୧୮ ରନ୍‌ରେ ଇଂଲଣ୍ଡ ୪ ୱିକେଟ୍ ହରାଇବା ପରେ ପାକିସ୍ତାନ ପଲ୍ଲା ପୂରା ଭାରି ରହିଥିଲା। ହେଲେ ପୂର୍ବତନ ଅଧିନାୟକ ଜୋ ରୁଟ୍ (୧୦୭ ରନ୍, ୧୦୪ ବଲ୍, ୧୦ ଚୌକା, ୧ ଛକା) ଓ ଜୋସ୍ ବଟଲର (୧୦୩ ରନ୍, ୭୬ ବଲ୍, ୯ ଚୌକା, ୨ ଛକା) ପଞ୍ଚମ ୱିକେଟ୍‌ରେ ୧୩୦ ରନ୍ ଯୋଡ଼ି ଇଂଲଣ୍ଡକୁ ଆଶା ଦେଇଥିଲେ। ହେଲେ ଉଭୟ ଶତକ ପୂରଣର କିଛି ସମୟ ପରେ ହିଁ ସେମାନଙ୍କୁ ପାକିସ୍ତାନ ବୋଲର ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଫଳରେ ମ୍ୟାଚ୍‌କୁ ପୁଣି ଥରେ ରୋମାଞ୍ଚ ଫେରିଥିଲା। ମୋଇନ ଅଲ୍ଲୀ (୧୯ ରନ୍, ୨୦ ବଲ୍, ୧ ଚୌକା) ଓ କ୍ରିସ୍ ଓକ୍ସ (୨୧ ରନ୍, ୧୪ ବଲ୍, ୧ ଚୌକା, ୧ ଛକା) ଲଢ଼ିଥିଲେ। ୱାହାବ ରିଆଜ ଲଗାତାର ବଲ୍‌ରେ ଉଭୟଙ୍କୁ ଆଉଟ୍ କରି ପାକିସ୍ତାନକୁ ପୁଣି ଥରେ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ମହମ୍ମଦ ଆମିର ପରବର୍ତୀ ଓଭରରେ ଜୋଫ୍ରା ଆର୍ଚରଙ୍କୁ ଆଉଟ୍ କରି ପାକିସ୍ତାନ ବିଜୟକୁ ପକ୍କା କରି ନେଇଥିଲେ। ‌ଶେଷ ଓଭରରୁ ବିଜୟ ପାଇଁ ୨୫ ରନ୍‌ର ଦରକାର ଥିଲା ବେଳେ ଇଂଲଣ୍ଡ ମାତ୍ର ୧୦ ରନ୍ କରି ମ୍ୟାଚ୍ ହାରିଥିଲା। ରିଆଜ (୧୦-୦-୮୨-୩)ଙ୍କ ସହ ଆମିର (୧୦-୦-୬୭-୨) ଓ ସଦାବ ଖାନ୍ (୧୦-୦-୬୩-୨) ପାକିସ୍ତାନ ପାଇଁ ପ୍ରତୀକ୍ଷିତ ବିଜୟ ଅର୍ଜନ କରିଥିଲେ। ରୁଟ୍ ଓ ବଟଲରଙ୍କ ଶତକ ସତ୍ତ୍ବେ ଇଂଲଣ୍ଡ ଚଳିତ ବିଶ୍ବକପରେ ପ୍ରଥମ ପରାଜୟ ଏବଂ ପାକିସ୍ତାନ ପ୍ରଥମ ବିଜୟ ପାଇଥିଲା।

ବିନା ଶତକରେ ପାକିସ୍ତାନ ୩୪୮/୮
ପ୍ରଥମ ମୁକାବିଲାରେ ନିଜ ବିଶ୍ବକପ୍ ଇତିହାସର ଦ୍ବିତୀୟ ସର୍ବନିମ୍ନ ସ୍କୋର କରିଥିବା ପାକିସ୍ତାନ ସୋମବାର ଏହାର ଠିକ୍ ବୀପରିତ ବହୁତ ଭଲ ବ୍ୟାଟିଂ କରିଥିଲା। ମହମ୍ମଦ ହାଫିଜ (୮୪)ଙ୍କ ନେତୃତ୍ବରେ ନିର୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୮ ରନ୍ କରି ନେଇଥିଲା। ହାଫିଜଙ୍କ ଛଡ଼ା ବାବର ଆଜମ (୬୩) ଓ ଅଧିନାୟକ ସର୍ଫରାଜ ଅହମ୍ମଦ (୫୫) ମଧ୍ୟ ଅର୍ଧଶତକୀୟ ପାଳି ଖେଳିଥିଲେ। ଏକଦା ପାକିସ୍ତାନ ୪୦୦ ରନ୍ ଛୁଇଁବାର ଆଶା ଥିଲା। ହେଲେ ଶେଷ ଓଭରଗୁଡ଼ିକରେ ଇଂଲଣ୍ଡ ବୋଲର ତୁଳନାତ୍ମକ ଭାବେ ଉନ୍ନତ ବୋଲିଂ କରି ପାକସ୍ତାନକୁ ସାଢ଼େ ୩୦୦ ରନ୍ ତଳେ ଅଟକାଇ ଦେଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଫକର ଜମନ (୩୬) ଓ ଇମାମ-ଉଲ-ହକ୍ (୪୪) ପ୍ରଥମ ୱିକେଟ୍‌ରେ ୮୨ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ପରେ ବାବର ଓ ହାଫିଜ ୮୮ ଏବଂ ହା‌ଫିଜ ଓ ସର୍ଫରାଜ ୮୦ ରନ୍‌ର ଭାଗୀଦାରି କରି ସ୍ଥିତି ଆହୁରି ସୁଦୃଢ଼ କରି ନେଇଥିଲେ। ୩୩ତମ ଓଭର ପର୍ଯ୍ୟନ୍ତ ମୋଇନ ଅଲ୍ଲୀ (୧୦-୦-୫୦-୩)ଙ୍କ ଅନ୍ୟ କୌଣସି ଇଂଲଣ୍ଡ ବୋଲର ୱିକେଟ୍ ପାଇ ନଥି‌ଲେ। ଶେଷ ୧୦ ଓଭରରେ ଅବଶ୍ୟ କ୍ରିସ୍ ଓକ୍ସ (୮-୧-୭୧-୩) ଓ ମାର୍କ ଉଡ୍ (୧୦-୦-୫୩-୨) ୫ ୱିକେଟ୍‌ ବାଣ୍ଟି ନେଇଥିଲେ। ଇଂଲଣ୍ଡର ପ୍ରଥମ ଖେଳାଳି ଭାବେ କ୍ରିସ୍ ଓକ୍ସ କୌଣସି ଦିନିକିଆ ମ୍ୟାଚ୍‌ରେ ଏକାକୀ ଚାରିଟି କ୍ୟାଚ୍ ନେଇଥିଲେ। ଇଂଲଣ୍ଡ ଆଜି ତା’ ଦକ୍ଷତା ମୂଳକ କ୍ଷେତ୍ରରକ୍ଷଣ କରି ନଥିଲା। ଫଳରେ ପାକିସ୍ତାନ ବିନା ଶତକରେ ବୃହତ୍ ସ୍କୋର କରି ନେଇଥିଲା। ଦାୟିତ୍ବବାନ ପାଳି ପାଇଁ ହାଫିଜ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପାକିସ୍ତାନ ୨୦୧୭ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଇଂଲଣ୍ଡକୁ ହରାଇବାର ସଫଳତା ଦୋହରାଇଥିଲା।

ସମ୍ବନ୍ଧିତ ଖବର