ଦୁବାଇ : ଏସିଆ କପ୍ରେ ଭାରତ-ପାକିସ୍ତାନ ହିସାବ ବରାବର ସ୍ତରକୁ ଚାଲି ଆସିଛି। ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରିଥିବା ଭାରତ ରବିବାର ସୁପର୍-୪ରେ ହାରିଯାଇଛି। ଭାରତକୁ ୫ ୱିକେଟ୍ରେ ହରାଇ ପାକିସ୍ତାନ ସୁପର୍-୪ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଉତ୍କଣ୍ଠା ଭରା ଏହି ମ୍ୟାଚ୍ରେ ମାତ୍ର ଗୋଟିଏ ବଲ୍ ପୂର୍ବରୁ ପାକିସ୍ତାନ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ଏଥିସହ ପାକିସ୍ତାନ ମଧ୍ୟ ଲିଗ୍ ପର୍ଯ୍ୟାୟ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଉଭୟ ଦଳ ଫାଇନାଲ୍ ଯୋଗ୍ୟତା ଅର୍ଜନ କଲେ ପୁଣି ଥରେ ଭେଟାଭେଟି ହେବା ସମ୍ଭାବନା ମଧ୍ୟ ରହିଛି।
ରବିବାର ୧୮୨ ରନ୍ ବିଜୟ ଲକ୍ଷ୍ୟରେ ପାକିସ୍ତାନ ପାଇଁ ମହମ୍ମଦ ରିଜୱାନ ଓ ବାବର ଆଜମ ସତର୍କତାର ସହ ଖେଳିଥିଲେ। ବାବରଙ୍କ ଖରାପ ଫର୍ମ ଜାରି ରହିଥିଲା। ୧୦ ବଲରୁ ସେ ୧୪ ରନ୍ କରିପାରିଥିଲେ। ପାୱାର ପ୍ଲେ ଭିତରେ ବୋଲିଂ ସୁଯୋଗ ପାଇଥିବା ରବି ବିଷ୍ଣୋଇ ବାବରଙ୍କୁ ପ୍ୟାଭିଲିଅନ୍ ଫେରାଇ ଦେଇଥିଲେ। ଏହାପରେ ଫକର ଜମାନଙ୍କୁ ଜମିବାକୁ ଦେଇନଥିଲେ ୟୁଝବେନ୍ଦ୍ର ଚହଲ। ଏହି ସମୟରେ ପାକିସ୍ତାନ ଏହାର ସ୍ପିନର୍ ମହମ୍ମଦ ନୱାଜଙ୍କୁ ୪ ନମ୍ବର ସ୍ଥାନରେ ବ୍ୟାଟିଂ ପଦୋନ୍ନତି ଦେଇ ଖେଳିଥିବା ଚାଲ୍ ଭଲ କାମ ଦେଇଥିଲା। ପିଞ୍ଚ୍ ହିଟର୍ ଭୂମିକା ତୁଲାଇ ସେ ମାତ୍ର ୨୦ ବଲରୁ ୪୨ ରନ୍ (୬ ଚୌକା, ୨ ଛକା) ସଂଗ୍ରହ କରି ମ୍ୟାଚ୍କୁ ନିଜ ପକ୍ଷକୁ ନେଇଥିଲେ। ପ୍ରାରମ୍ଭିକ ବ୍ୟାଟର୍ ମହମ୍ମଦ ରିଜୱାନ୍ କିନ୍ତୁ ଆହତ ହେବା ସତ୍ତ୍ବେ ୫୧ ବଲରୁ ୭୧ ରନ୍ ପାଳି ଖେଳିବା ନିର୍ଣ୍ଣାୟକ ହୋଇଥିଲା। ଅର୍ଶଦୀପ ସିଂହ କ୍ୟାଚ୍ ଛାଡ଼ିବା, ରବି ବିଷ୍ଣୋଇ ୩ ୱାଇଡ୍ ବଲ୍ ପକାଇବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଅଲରାଉଣ୍ଡ୍ ପ୍ରଦର୍ଶନ କରିଥିବାରୁ ମହମ୍ମଦ ନୱାଜ (୨୦ ବଲରୁ ୪୨ ରନ୍, ୧/୨୫, ୩ କ୍ୟାଚ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭାରତ ନିଜର ପରବର୍ତୀ ମ୍ୟାଚ୍ରେ ମଙ୍ଗଳବାର ଶ୍ରୀଲଙ୍କାକୁ ଭେଟିବ।
କୋହଲିଙ୍କ ବିଶ୍ବ କୀର୍ତ୍ତିମାନ ରବିବାର ଭାରତ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ବେଳେ ଅଧିନାୟକ ରୋହିତ ଶର୍ମା ପ୍ରଥମରୁ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ। ପ୍ରଥମ ମ୍ୟାଚ୍ରେ ଭାରତ ଶୀର୍ଷକ୍ରମକୁ ଅସୁବିଧାରେ ପକାଇଥିବା ନସିମ୍ ସାହାଙ୍କୁ ଗୋଟିଏ ଲେଖାଏଁ ଚୌକା ଓ ଛକା ମାରି ରୋହିତ ପ୍ରଥମ ଓଭରରୁ ୧୨ ରନ୍ ସହ ଅଭିଯାନ ଆରମ୍ଭ କରିଥିଲେ। ନସିମ୍ଙ୍କ ଦ୍ବିତୀୟ ଓଭରରୁ କେଏଲ୍ ରାହୁଲ୍ ଦୁଇଟି ଛକା ସହ ୧୩ ରନ୍ ଆଦାୟ କରିଥିଲେ। ଉଭୟ ରୋହିତ-ରାହୁଲ ୩୧ ବଲ୍ରୁ ୫୪ ରନ୍ ସଂଗ୍ରହ କରିବା ସହ ଏକ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ୧୪ ଥର ୫୦ରୁ ଊର୍ଧ୍ବ ଭାଗୀଦାରି କରିଥିଲେ। ଏଥିରେ ୫ଟି ଶତକୀୟ ଭାଗୀଦାରି ସାମିଲ ରହିଛି। ରୋହିତ-ରାହୁଲ୍ଙ୍କ ପୂର୍ବରୁ ଆୟର୍ଲାଣ୍ଡ୍ର କେଭିନ୍ ଓ’ବ୍ରାଏନ୍-ପଲ୍ ଷ୍ଟର୍ଲିଂଙ୍କ ନାମରେ ୧୩ଟି ଅର୍ଦ୍ଧଶତକୀୟ ଭାଗୀଦାରିର କୀର୍ତ୍ତିମାନ ଥିଲା। ରବିବାର କିନ୍ତୁ ଉଭୟ ଭାରତୀୟ ପ୍ରାରମ୍ଭିକ ବ୍ୟାଟର୍ ସମାନ ୨୮ ରନ୍ ଲେଖାଏଁ କରି ଆଉଟ୍ ହୋଇଯାଇଥିଲେ। ତଥାପି ପାକିସ୍ତାନ ବିପକ୍ଷରେ ଭାରତ ଏହାର ସର୍ବୋଚ୍ଚ ପାୱାର ପ୍ଲେ (୬୨/୧) କରିନେଇଥିଲା। ଏହା ପରେ କୋହଲି ମଧ୍ୟ ଲୟରେ ଥିବା ପୁଣି ପ୍ରମାଣିତ କରି ଲଗାତାର ଦ୍ବିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ୪୪ ବଲ୍ରୁ ୬୦ ରନ୍ କରି ଶେଷ ଓଭରରେ ରନ୍ ଆଉଟ୍ ହୋଇଯାଇଥିଲେ।
ବ୍ୟକ୍ତିଗତ ଭାବେ କୋହଲି ମଧ୍ୟ ଏକ ବିଶ୍ବ କୀର୍ତ୍ତିମାନ କରିଥିଲେ। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ (୩୨) ଅର୍ଜନ କରି ସେ ରୋହିତ ଶର୍ମା (୩୧)କୁ ପଛରେ ପକାଇଥିଲେ। କୋହଲି କିନ୍ତୁ ୧୦୨ ମ୍ୟାଚ୍ ଓ ୯୪ ପାଳିରୁ ଏହି ଲକ୍ଷ୍ୟରେ ପହଞ୍ଚିଛନ୍ତି। ୩୩ ବର୍ଷୀୟ ରୋହିତ ୧୩୫ ମ୍ୟାଚ୍ ଓ ୧୨୭ ପାଳି ଖେଳିସାରିଛନ୍ତି। ବାମର ଆଜମ, ଡେଭିଡ୍ ୱାର୍ଣ୍ଣର, ମାର୍ଟିନ ଗପ୍ଟିଲ୍, ପଲ ଷ୍ଟର୍ଲିଂ ପ୍ରତ୍ୟେକ ୨୦ରୁ ଊର୍ଧ୍ବ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ କେହି ୩୦ ଛୁଇଁ ନାହାନ୍ତି। ହଂ ହଂ ବିପକ୍ଷରେ ୪୪ ବଲ୍ ଖେଳିଥିବା କୋହଲି ମଧ୍ୟ ରବିବାର ପାକିସ୍ତାନ ବିପକ୍ଷରେ ସମାନ ୪୪ ବଲ୍ ଖେଳିଥିଲେ। କେବଳ ଗୋଟିଏ ରନ୍ ଅଧିକ କରିଥିଲେ। ହାର୍ଦିକ ପାଣ୍ଡ୍ୟା ଖାତା ଖୋଲିପାରିନଥିଲେ। ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍, ଦୀପକ ହୁଡା ପ୍ରମୁଖ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ପାଳି ଖେଳିପାରିନଥିଲେ। ଏକାଦଶ ଓଭର ପ୍ରାରମ୍ଭରୁ ଭାରତ ୧୦୦ ରନ୍ ପୂର୍ଣ୍ଣ କରିଥିଲେ ମଧ୍ୟ ଏହି କାରଣରୁ ସମ୍ଭାବ୍ୟ ୨୦୦ ଛୁଇଁ ପାରିନଥିଲା। ତେବେ ଶେଷ ଦୁଇ ବଲ୍କୁ ଚୌକା ମାରି ରବି ବିଷ୍ଣୋଇ ଭାରତକୁ ୧୮୧ ରନ୍ର ଆହ୍ବାନଭରା ସ୍କୋର୍ ଦେଇଥିଲେ। ପାକିସ୍ତାନ ପକ୍ଷରୁ ଦୁଇ ସ୍ପିନର୍ ସଦାବ ଖାନ୍ (୨/୩୧) ଏବଂ ମହମ୍ମଦ ନୱାଜ (୧/୨୫) ପ୍ରଶଂସନୀୟ ବୋଲିଂ କରିଥିଲେ। ନସିମ୍, ହାସନେନ୍ ଓ ରୌଫ ମଧ୍ୟ ଗୋଟିଏ ଲେଖାଏଁ ପାଇଥିଲେ।
ଭାରତ ଏହି ମ୍ୟାଚ୍ ପାଇଁ ୩ଟି ପରିବର୍ତନ କରି ପଡ଼ିଆକୁ ଓହ୍ଲାଇଥିଲା। ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଦେଜା ଓ ଆୱେସ ଖାନ୍ଙ୍କ ବଦଳରେ ଋଷଭ ପନ୍ତ୍, ଦୀପକ ହୁଡା ଓ ରବି ବିଷ୍ଣୋଇ ଖେଳିଥିଲେ।