ଦୁବାଇ: ଏସିଆ କପ୍ ମ୍ୟାଚ୍ରେ ଭାରତୀୟ କ୍ରିକେଟ୍ ଦଳ ବଡ଼ ବିଜୟ ହାସଲ କରିବା ପରେ ଆତଙ୍କବାଦୀଙ୍କ ଗଡ଼ ପାଲଟିଥିବା ପାକିସ୍ତାନର ଖେଳାଳିଙ୍କ ସହ କରମର୍ଦ୍ଦନ କରିବାକୁ ମନା କରିଦେଇଥିଲା। ଫଳରେ ପାକିସ୍ତାନ ଅନ୍ତର୍ଜାତୀୟ ଅପମାନର ସମ୍ମୁଖୀନ ହୋଇଥିଲା। ଏଥିଲାଗି ଜର ବାଉଳାରେ ତାଟିଆ କାମୁଡ଼ିବା ନିୟମରେ ମ୍ୟାଚ୍ ରେଫରି ଆଣ୍ଡ୍ରି ପାଇକ୍ରଫ୍ଟଙ୍କୁ ପ୍ରତିଯୋଗିତାରୁ ବାଦ୍ ଦେବାକୁ ଆଇସିସି ନିକଟରେ ଦାବି କରିଥିଲା। ଭାରତୀୟ ଦଳର ଏଭଳି ପଦକ୍ଷେପ ବିରୋଧରେ ମଧ୍ୟ ଆନୁଷ୍ଠାନିକ ପ୍ରତିବାଦ କରି କାର୍ଯ୍ୟାନୁଷ୍ଠାନ ଚାହିଥିଲା। ଉଭୟ ଦାବିକୁ କିନ୍ତୁ ଆଇସିସି ତୁରନ୍ତ ଖାରଜ କରି ଦେଇଥିଲା। ଏଣୁ ଇଜ୍ଜତ ବଞ୍ଚାଇବା ଲାଗି ପାଇକ୍ରଫ୍ଟଙ୍କୁ ନିଜ ମ୍ୟାଚ୍ରୁ ହଟାଇବାକୁ ପୁଣି ଥରେ ବୁଧବାର ଆଇସିସିକୁ ପତ୍ର ଲେଖିଥିଲା।
ପୁରୁଣା ଅଭ୍ୟାସ, ୧୯୯୦ରେ ବି କରିଥିଲା
ଏସିଆ କପ୍ରେ ଅଯଥା ବିବାଦ ସୃଷ୍ଟି କରିବା ହେଉଛି ପାକିସ୍ତାନର ପୁରୁଣା ଅଭ୍ୟାସ। ପ୍ରଥମେ ଧମକ ଏବଂ ପରେ ମୁଣ୍ଡ ନୁଆଁଇବାରେ ଓସ୍ତାଦ ପାକିସ୍ତାନ ୧୯୯୦-୯୧ର ଏସିଆ କପ୍କୁ ବନ୍ଦ କରିବାକୁ ନାନା ଯୋଜନା କରିଥିଲା। ଭାରତ ସହ ରାଜୈନତିକ ତିକ୍ତତା ପାଇଁ ଶେଷ ମୁହୂର୍ତ୍ତରେ ସେହି ସଂସ୍କରଣରୁ ଓହରି ଯାଇଥିଲା। ତଥାପି ଚତୁର୍ଥ ଏସିଆ କପ୍ ଯଥାବିଧି ଆୟୋଜିତ ହୋଇଥିଲା। ସେତେବେଳେ ମାତ୍ର ତିନିଟି ଦଳକୁ ନେଇ ଖେଳାଯାଇଥିବା ଏହି ପ୍ରତିଯୋଗିତା ୧୯୯୦ ମସିହା ଡିସେମ୍ବର ୨୫ରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିଲା। ପାକିସ୍ତାନ ଓହରିଯିବା ପରେ ଆଇସିସିର ତତ୍କାଳୀନ ସହଯୋଗୀ ସଦସ୍ୟ ବାଂଲାଦେଶ ତୃତୀୟ ଦଳ ଭାବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା। ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶକୁ ନେଇ ଖେଳାଯାଇଥିବା ପ୍ରତିଯୋଗିତା ରାଉଣ୍ଡ୍ ରବିନ ପଦ୍ଧତିରେ ଖେଳାଯାଇଥିଲା। ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିଥିଲେ। ଶେଷରେ ଶ୍ରେଷ୍ଠ ଦୁଇ ଦଳ ଭାବେ ଭାରତ ଓ ଶ୍ରୀଲଙ୍କା ଫାଇନାଲ୍କୁ ଯାଇଥିଲେ। ଫାଇନାଲ୍ର ଶ୍ରୀଲଙ୍କାକୁ ହରାଇ ଭାରତ ତୃତୀୟ ଥର ପାଇଁ ଏସିଆ କପ୍ ନିଜ ନାଁରେ କରି ନେଇଥିଲା। ଚତୁର୍ଥ ଏସିଆ କପ୍ର ଗୋଟିଏ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମ୍ରେ ମଧ୍ୟ ଖେଳାଯାଇଥିଲା। ୨୮ ଡିସେମ୍ବରରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍କୁ ଶ୍ରୀଲଙ୍କା ୩୬ ରନ୍ରେ ଜିତି ନେଇଥିଲା।
ପାକିସ୍ତାନର ଦ୍ବିତୀୟ ପତ୍ରକୁ ମଧ୍ୟ ଆଇସିସି ଆଦୌ ଗୁରୁତ୍ବ ଦେଇ ନଥିଲା। ଦ୍ବିତୀୟ ଥର ଲଜ୍ଜିତ ହେବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ନୂଆ ନାଟକ ଆରମ୍ଭ କରିଥିଲା। ବୁଧବାରର ୟୁଏଇ ବିପକ୍ଷ ମ୍ୟାଚ୍କୁ ବର୍ଜନ କରିବ ବୋଲି ପରୋକ୍ଷରେ ଧମକ ଦେଇଥିଲା। ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ବାତିଲ କରି ସାରିଥିଲା ବେଳେ ନିଜ ଖେଳାଳିମାନଙ୍କୁ ନିର୍ଦ୍ଧାରିତ ସମୟରେ ଷ୍ଟାଡିୟମ୍ ନଯିବାକୁ ନିର୍ଦ୍ଦେଶ ଦେଇ ଆଇସିସି ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ଆଇସିସି କିନ୍ତୁ ନିଜ ଜିଦ୍ରେ ଅଟଳ ରହିଥିଲା। ଆଇସିସି କଠୋର କାର୍ଯ୍ୟନୁଷ୍ଠାନ ନେବା ଭୟରେ ରମିଜ ରାଜା ଓ ନଜମ ସେଠୀଙ୍କ ସହ ଲାହୋରରେ ଚର୍ଚ୍ଚା ଆରମ୍ଭ କରି ଦେଇଥିଲା। ଶେଷରେ ଅନ୍ୟ ଉପାୟ ନପାଇ ଦଳ ମୁଣ୍ଡ ନୁଆଁଇ ମ୍ୟାଚ୍ ଖେଳିବାକୁ ରାଜି ହୋଇଥିଲା। ପାଇକ୍ରଫ୍ଟ ମଧ୍ୟ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏହି ମ୍ୟାଚ୍ର ରେଫରି ରହିଥିଲେ।
ନିଜ ଛେପ ନିଜେ ଚାଟି ଶେଷରେ ପାକିସ୍ତାନ ଖେଳାଳିମାନେ ଘଣ୍ଟାଏ ବିଳମ୍ବରେ ଦଳୀୟ ହୋଟେଲ୍ରୁ ଦୁବାଇ ଷ୍ଟାଡିୟମ୍ ବାହାରିଥିଲେ। ଏଥିପାଇଁ କିନ୍ତୁ ମ୍ୟାଚ୍ ଘଣ୍ଟାଏ ବିଳମ୍ବ ହୋଇଥିଲା। ପିସିବି ଅଧ୍ୟକ୍ଷ ନିଜେ ସାମାଜିକ ଗଣମାଧ୍ୟମରେ ଲେଖାଲେଖି ପାକିସ୍ତାନୀ ଖେଳାଳିମାନେ ଷ୍ଟାଡିୟମ୍ ଅଭିମୁଖେ ବାହାରି ସାରିଥିବା ସୂଚନା ଦେଇଥିଲେ। ପୂର୍ବରୁ ମ୍ୟାଚ୍ ଭାରତୀୟ ସମୟ ୮ଟାରେ ଆରମ୍ଭ ହେବାର ଥିଲା। ପାକିସ୍ତାନର ବର୍ଜନ ନାଟକ ପାଇଁ ୯ଟାରେ ଆରମ୍ଭ ହୋଇଥିଲା। ଶେଷରେ ସଫେଇ ଦେବାକୁ ଯାଇ ପାଇକ୍ରଫ୍ଟ ଆମ ଅଧିନାୟକ ଓ ପ୍ରବନ୍ଧକଙ୍କୁ କ୍ଷମା ମାଗିବା ପରେ ଖେଳିବାକୁ ରାଜି ହେଲୁ ବୋଲି ପିସିବି ସଫେଇ ଦେଇଥିଲା।
ସୁପର୍-୪ରେ ପାକିସ୍ତାନ
ଦୁବାଇ: ଚଳିତ ଏସିଆ କପ୍ର ଦଶମ ମ୍ୟାଚ୍ରେ ୟୁଏଇକୁ ୪୧ ରନ୍ରେ ହରାଇ ପାକିସ୍ତାନ ଗ୍ରୁପ୍-ଏ’ରୁ ଦ୍ବିତୀୟ ଦଳ ଭାବେ ସୁପର୍-୪ରେ ପହଞ୍ଚିଛି। ବୁଧବାର ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୯ ୱିକେଟ୍ ହରାଇ ୧୪୬ ରନ୍ କରିଥିଲା। ଫଖର ଜମାନ (୫୦) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ସାହିନ ଶାହ ଆଫ୍ରିଦି (୨୯*), ଅଧିନାୟକ ସଲମାନ ଆଗା (୨୦), ମହମ୍ମଦ ହାରିସ (୧୮) ଉପଯୋଗୀ ପାଳି ଖେଳିଥିଲେ। ୟୁଏଇର ଜୁନୈଦ ସିଦ୍ଦିକ ୪ ଏବଂ ସିମ୍ରନଜିତ ସିଂହ ୩ ୱିକେଟ୍ ନେଇଥିଲେ। ଜବାବରେ ୟୁଏଇ ୧୭.୪ ଓଭରରେ ୧୦୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ୟୁଏଇର ରାହୁଲ ଚୋପ୍ରା ୩୫, ଧ୍ରୁବ ପରାଶର ୨୦, ଅଧିନାୟକ ମହମ୍ମଦ ୱାସିମ ୧୪ ଓ ଆଲିସାନ ସରାଫୁ ୧୨ ରନ୍ କେବଳ ଦୁଇଅଙ୍କ ଛୁଇଁଥିଲେ। ଆଫ୍ରିଦି, ହାରିସ ରୌଫ୍ ଓ ଆବ୍ରାର ଅହମଦ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଆଫ୍ରିଦ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।