ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ଲାଗି ଆୟୋଜିତ ହେଉଛି ଚେସ୍ ଅଲିମ୍ପିଆଡ୍। ଆଉ ଏହାର ମଶାଲ ଯାତ୍ରା ଭାରତର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ଜମ୍ମୁ କାଶ୍ମୀରରେ ମଧ୍ୟ ବୁଲିଥିଲା। ଏହାକୁ ବିରୋଧ କରି ୧୮୭ ଦେଶ ଅଂଶଗ୍ରହଣ କରୁଥିବା ଏହି ସମ୍ମାନଜନକ ପ୍ରତିଯୋଗିତାକୁ ପାକିସ୍ତାନ କିନ୍ତୁ ବର୍ଜନ କରିଛି। ପାକିସ୍ତାନର ଏଭଳି ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି ଭାରତ ବର୍ଣ୍ଣନା କରିଛି।
ଚେନ୍ନାଇରେ ଆଜିଠାରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ୪୪ତମ ଚେସ୍ ଅଲିମ୍ପିଆଡ୍ ଲାଗି ସବୁ ଦେଶ ଭଳି ପାକିସ୍ତାନକୁ ମଧ୍ୟ ଆମନ୍ତ୍ରଣ କରିଥିଲା ଆୟୋଜକ ଭାରତ। ହେଲେ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ବିଷୟରେ ଆନୁଷ୍ଠାନିକ ପ୍ରେସ୍ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ଜମ୍ମୁ କାଶ୍ମୀର ଦେଇ ମଶାଲ ଯାତ୍ରା ନେଇ ଭାରତ ଏହି ସମ୍ମାନଜନକ ପ୍ରତିଯୋଗିତାର ରାଜନୀତିକରଣ କରିଛି। ଭାରତର ଏଭଳି ଆଚରଣକୁ ଆମେ ନିନ୍ଦା କରୁଛୁ। ବିରୋଧ ସ୍ବରୂପ ଆମେ ୪୪ତମ ଚେସ୍ ଅଲିମ୍ପିଆଡ୍ରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛୁ। ଏହି ବିଷୟ ମଧ୍ୟ ଆମେ ଅନ୍ତର୍ଜାତୀୟ ଚେସ୍ ମହାସଂଘ ନିକଟରେ ଉଠାଇବୁ। ପାକିସ୍ତାନର ଏହି ମନ୍ତବ୍ୟର ଦୃଢ଼ ଜବାବ ଭାରତ ବି ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ପାକିସ୍ତାନ ହଠାତ୍ ଏଭଳି ନିଷ୍ପତ୍ତି ନେବା ଆମକୁ ଚକିତ କରିଛି। ପାକିସ୍ତାନ ଏହି ପ୍ରତିଯୋଗିତାର ଅଯଥା ରାଜନୀତିକରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଥିଲା, ଅଛି ଓ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/fsfgsfg654sfg654fsg65sfgs65fg.jpg)