ଭୁବନେଶ୍ବର: ୪ ଥର ସ୍ବର୍ଣ୍ଣ ବିଜେତା ପାକିସ୍ତାନକୁ ବିଜୟରୁ ବଞ୍ଚିତ ରଖିଛି ଅନ୍ୟତମ ଏସୀୟ ଦେଶ ମାଲେସିଆ। ଚଳିତ ଓଡ଼ିଶା ପୁରୁଷ ହକି ବିଶ୍ବକପ୍ରେ ପାକିସ୍ତାନକୁ ବି ପାଣି ପିଆଇଦେଇଛି ରୋଲାଣ୍ଟ୍ ଅଲଟ୍ସମ୍ୟାନଙ୍କ ପ୍ରଶିକ୍ଷିତ ଦଳ। ପୁଲ୍ 'ଡି' ଅନ୍ତର୍ଗତ ଏହି ଦ୍ବିତୀୟ ପର୍ଯ୍ୟାୟ ଦ୍ବିତୀୟ ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିଛି। ଫଳରେ ଲଗାତାର ପରାଜୟରୁ ବର୍ତି ଉଭୟ ଦଳ ମଧ୍ୟ ରବିବାରର ନିର୍ଣ୍ଣାୟକ ଲଢ଼େଇ ଲାଗି ପ୍ରସ୍ତୁତ ହୋଇଛନ୍ତି। ଗତ ଶନିବାର ଜର୍ମାନି ୧-୦ରେ ପାକିସ୍ତାନକୁ ଏବଂ ନେଦରଲାଣ୍ଡ ୭-୦ରେ ମାଲେସିଆକୁ ପରାସ୍ତ କରିଥିଲା। ଦ୍ବିତୀୟ ପର୍ଯ୍ୟାୟ ସୁଦ୍ଧା ଏହି ଦୁଇ ଏସୀୟ ଦେଶ କିନ୍ତୁ ଗୋଟିଏ ଲେଖାଏଁ ପଏଣ୍ଟ ପାଇ ଜର୍ମାନି (୬) ଓ ନେଦରଲାଣ୍ଡ (୩) ତଳେ ରହିଛନ୍ତି। ବୁଧବାରର ଅନ୍ୟ ମ୍ୟାଚ୍ଟିରେ ଜର୍ମାନି ୪-୧ ଗୋଲ୍ରେ ନେଦରଲାଣ୍ଡକୁ ହରାଇ ପଏଣ୍ଟ ଟେବୁଲ୍ ଶୀର୍ଷରେ ସ୍ଥାନ ସୁରକ୍ଷିତ ରଖିଛି।
ବୁଧବାରର ଏହି ମ୍ୟାଚ୍ରେ କଳିଙ୍ଗ ପ୍ରଶଂସକ ବିଭାଜିତ ଥିଲେ। କିଛି ପାକିସ୍ତାନକୁ ତ କିଛି ମାଲେସିଆକୁ ସମର୍ଥନ କରୁଥିଲେ। ଶେଷରେ ପ୍ରଶଂସକମାନେ ବି ନିରାଶ ହୋଇନଥିଲେ। ମ୍ୟାଚ୍ ବିନା ହାରଜିତ୍ରେ ଶେଷ ହୋଇଥିଲା। ତଥାପି ଚମତ୍କାର ହକି ନଜରକୁ ଆସିଥିଲା। ମାଲେସିଆର ୭ ପେନାଲଟି କର୍ନର ତୁଳନାରେ ପାକିସ୍ତାନ ୪ରେ ସୀମିତ ରହିଥିଲା। କିନ୍ତୁ ଏହି ଏଗାରଟିରୁ ମାତ୍ର ଗୋଟିଏ ଗୋଲ୍ରେ ପରିଣତ ହୋଇଥିଲା। ଏସୀୟ ସାମର୍ଥ୍ୟ ମଧ୍ୟରେ ହୋଇଥିବା ଏହି ଲଢ଼େଇ ଗୋଲ୍ରେ ପ୍ରତିଫଳିତ ହୋଇନଥିଲା। ପ୍ରଥମ ୩ କ୍ବାର୍ଟର ଗୋଲଶୂନ୍ୟ ରହିବା ପରେ ଶେଷ କ୍ବାର୍ଟର ଖେଳ କିଛିଟା ମନୋରଂଜନ ଯୋଗାଇଥିଲା। ୫୧ ମିନିଟରେ ପାକିସ୍ତାନର ମହମ୍ମଦ ଆତିକ ଏକ ସୁନ୍ଦର ଫିଲଡ୍ ଗୋଲ୍ ଦେଇଥିଲେ। ହେଲେ ପାକିସ୍ତାନର ଏହି ଖୁସୀ ଅଧିକ ସମୟ ରହିନଥିଲା। ୫୫ ମିନିଟର ଦଳର ଷଷ୍ଠ ପେନାଲଟି କର୍ନରକୁ ଫୈଜଲ ସାରି ଗୋଲ୍ରେ ରୂପାନ୍ତର କରି ମାଲେସିଆକୁ ୧-୧ ସ୍ତରକୁ ନେଇ ଆସିଥିଲେ। ଏହା ପରେ ଅନେକ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ ଆସିଥିଲା। ମାଲେସିଆ ନିଜର ସପ୍ତମ ପେନାଲଟି କର୍ନରକୁ ଗୋଲ୍ରେ ପରିଣତ କରିନପାରି ବିଜୟରୁ ବଞ୍ଚିତ ହୋଇଥିଲା। ଶେଷରେ ସାରି ହିଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ଏବଂ ବିଶିଷ୍ଟ ସାମ୍ବାଦିକ ପ୍ରଭୂ ଚାୱାଲା ତାଙ୍କୁ ପୁରସ୍କୃତ କରିଥିଲେ। ମ୍ୟାଚ୍ ପ୍ରାରମ୍ଭରେ ପୂର୍ତବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ କରମର୍ଦନ କରିଥିଲେ।
ଏହି ମ୍ୟାଚ୍ରେ ବଳୟ ପ୍ରବେଶ/ବିନ୍ଧାଣରେ ବି ପାକିସ୍ତାନ (୧୩-୧୮) ପଛରେ ରହିଥିଲା। ଗୋଲ୍ ମୁହଁରେ ମାଲେସିଆ ୬ ଥର ଏବଂ ପାକିସ୍ତାନ ୭ ଥର ଆକ୍ରମଣ କରିଥିଲା। ବଲ୍ ନିୟନ୍ତ୍ରଣ ପ୍ରତିଶତରେ ପାକିସ୍ତାନ (୫୪.୫୦)ଠାରୁ ମାଲେସିଆ (୪୫.୫୦) ପଛରେ ରହିଥିଲା। ସଠିକ ପାସିଂରେ ମାଲେସିଆ (୬୦.୭୧ %) ଏବଂ ପାକିସ୍ତାନ (୬୨.୨୬ %) ମଧ୍ୟ ସାମାନ୍ୟ ଫରକ ରଖିଥିଲେ।