ଲାହୋର: ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଂଲାଦେଶକୁ ବାଦ୍ ଦିଆଯିବା ପରେ ବି ଏହାକୁ ନେଇ ପାକିସ୍ତାନର ରାଜନୀତି ଜାରି ରହିଛି। ଏହି ପ୍ରସଙ୍ଗରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ବାରମ୍ବାର ଆଇସିସି ଉପରେ ପକ୍ଷପାତ ଅଭିଯୋଗ ଆଣିବା ସହ ନିଷ୍ପତ୍ତିକୁ ନିନ୍ଦା କରୁଛି। ଏବେ ବୋର୍ଡ ପକ୍ଷରୁ ଆଇସିସିକୁ ଏକ ପତ୍ର ଲେଖି ବାଂଲାଦେଶକୁ ବାଦ ଦିଆଯିବା ଓ ଆଇସିସିର ପଦକ୍ଷେପକୁ ନେଇ ଅସନ୍ତୋଷ ଜାହିର କରାଯାଇଛି। ଏହି ପତ୍ର ମାଧ୍ୟମରେ ପିସିବି ଆଗାମୀ ବିଶ୍ବକପ୍ ମ୍ୟାଚ୍ ସମୟରେ ସାଂକେତିକ ପ୍ରତିବାଦ ପ୍ରଦର୍ଶନ କରିବାକୁ ଅନୁମତି ମାଗିଛି। ଏହି ପତ୍ରର କପି ଅନ୍ୟ ସଦସ୍ୟ ବୋର୍ଡମାନଙ୍କୁ ବି ପଠାଯାଇଛି। ଯଦି ପ୍ରତିବାଦ ପ୍ରଦର୍ଶନ ଲାଗି ଆଇସିସି ଅନୁମତି ଦିଏ, ତେବେ ମ୍ୟାଚ ସମୟରେ ପାକିସ୍ତାନୀ ଖେଳାଳିମାନେ ବାହୁରେ କଳାପଟି ପିନ୍ଧି ପ୍ରତିବାଦ କରିବେ।

Advertisment

ଆଇସିସିର ବିବାଦୀୟ ନିଷ୍ପତ୍ତି ବିରୋଧରେ ଏହି ପ୍ରତିବାଦ କରାଯିବ। ଏହା ପୂର୍ବରୁ ମଧ୍ୟ ପିସିବି ଆଇସିସିକୁ ଏକ ପତ୍ର ଲେଖିଥିଲା। ବାଂଲାଦେଶ ପ୍ରସଙ୍ଗରେ ଆଇସିସିର ନିଷ୍ପତ୍ତି ଆସିବା ପୂର୍ବରୁ ପିସିବି ପକ୍ଷରୁ ଏହି ପତ୍ର ଲେଖି ବାଂଲାଦେଶକୁ ସମର୍ଥନ କରାଯାଇଥିଲା।

ପାକିସ୍ତାନ ସରକାରଙ୍କ ଅନୁମତି ମିଳିଲେ ହିଁ ବିଶ୍ବକପ୍ ଅଂଶଗ୍ରହଣ କରାଯିବ

ଏହା ପୂର୍ବରୁ ପିସିବି ପକ୍ଷରୁ କୁହାଯାଇଥିଲା ଯେ ପାକିସ୍ତାନ ସରକାରଙ୍କ ଅନୁମତି ମିଳିଲେ ହିଁ ବିଶ୍ବକପ୍ ଅଂଶଗ୍ରହଣ କରାଯିବ। କିଛିଦିନ ପୂର୍ବେ ପିସିବି ମୁଖ୍ୟ ମୋହସିନ ନକଭୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ବିଶ୍ବକପରେ ଅଂଶଗ୍ରହଣ, ଭାରତ ବିପକ୍ଷ ମ୍ୟାଚକୁ ବୟକଟ୍ କରିବା ସଂପର୍କରେ ଆଲୋଚନା ହୋଇଥିଲା। ଆସନ୍ତା ସୋମବାର ସୁଦ୍ଧା ଏ ନେଇ ଏକ ଚୂଡ଼ାନ୍ତ ନିଷ୍ପତ୍ତି ଆସିବାର ସମ୍ଭାବନା ରହିଛି।

ଯଦି ପିସିବି ବିଶ୍ବକପରୁ ଓହରିବାକୁ ନିଷ୍ପତ୍ତି ନିଏ, ତେବେ ଆଇସିସି ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ରହିଛି। ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ରହିିଛି ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ କରିବା, ପାଣ୍ଠି ଆବଣ୍ଟନ ବନ୍ଦ କରିବା, ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ ଦାୟିତ୍ବ ପ୍ରତ୍ୟାହାର, ପିଏସଏଲରେ ଖେଳିବାକୁ ଅନ୍ତର୍ଜାତୀୟ ଖେଳା​ଳିଙ୍କୁ ଦିଆଯାଉଥିବା ମଂଜୁରୀ ପ୍ରତ୍ୟାହାର ଅନ୍ୟତମ।

ଆହୁରି ପଢ଼ନ୍ତୁ: Trump Issue: ଟ୍ରମ୍ପଙ୍କ ଉପରେ ନାହିଁ ଜନତାଙ୍କ ବିଶ୍ବାସ, ବଢ଼ୁଛି ଦରଦାମ୍, ପକେଟ ଉପରେ ପଡ଼ୁଛି ପ୍ରଭାବ