ନୂଆଦିଲ୍ଲୀ: ଆଇସିସି ବିଶ୍ବକପର ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ଟିମ ଇଣ୍ଡିଆ ପରାସ୍ତ କରିଥିଲା।। ଏହି ମ୍ୟାଚ ଦେଖିବା ପାଇଁ 'ଚିକାଗୋ ଚାଚା' ନାମରେ ଜଣାଶୁଣା ପାକିସ୍ତାନ କ୍ରିକେଟ୍ ଦଳର ପ୍ରଶଂସକ ବଶୀର ଚାଚା ବି ଷ୍ଡାଡିୟମରେ ପହଞ୍ଚିଥିଲେ। କିନ୍ତୁ ସେ ଭାରତ-ପାକିସ୍ତାନ ମ୍ୟାଚ୍କୁ ପୂରା ଦେଖି ପାରି ନଥିଲେ। କାରଣ ମ୍ୟାଚ ଚାଲିଥିବା ସମୟରେ ତାଙ୍କ ରକ୍ତଚାପ ବୃଦ୍ଧି ହୋଇଯାଇଥିଲା। ହେତୁ ସେ ଅଣନିଶ୍ବାସୀ ହୋଇପଡ଼ିଥିଲେ। ଚିକିତ୍ସା ପରେ ବଶୀର ସୁସ୍ଥ ଥିବା ଡାକ୍ତର କହିଛନ୍ତି।
୬୮ ବର୍ଷୀୟ ବଶୀର ଚାଚା ଗତ କିଛି ଦିନ ହେବ ଅହମ୍ମଦାବାଦରେ କ୍ୟାମ୍ପ କରି ଭାରତ-ପାକ୍ ମ୍ୟାଚ୍ ଦେଖୁଥିଲେ। ଶନିବାର ସେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପହଞ୍ଚିଥିଲେ। ଏଠାରେ ସେ ନିଜ ପୋଷାକ ପାଇଁ ଲୋକଲୋଚନକୁ ଆସିଥିଲେ। ତାଙ୍କ ପୋଷାକ ଉପରେ ପାକିସ୍ତାନର ସବୁଜ ରଙ୍ଗ ଏବଂ ଅନ୍ୟ ପଟେ ଭାରତର ଜାତୀୟ ପତାକାର ତିନୋଟି ରଙ୍ଗ ଥିବା ଦେଖିବାକୁ ମିଳିଥିଲା। ସେ ଏହି ପୋଷାକ ଉପରେ ଆକର୍ଷଣୀୟ ଲେଖା ମଧ୍ୟ ଲେଖିଥିଲେ । ଏହି ଲେଖାରେ ବଶୀର ଲେଖିଥିଲେ, ‘ ଯେଉଁ ଦେଶରେ ଗଙ୍ଗା ପ୍ରବାହିତ ହେଉଛି, ମୋ ସ୍ତ୍ରୀ ହେଉଛି ସେହି ଦେଶର।’
ମହମ୍ମଦ ବଶୀର ଜଣେ ଆମେରିକୀୟ ନାଗରିକ ଯିଏକି ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ। ସେ ଗତ ଦୁଇ ଦଶନ୍ଧି ଧରି ପାକିସ୍ତାନୀ କ୍ରିକେଟ୍ ଦଳକୁ ସମର୍ଥନ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିଥାଆନ୍ତି। ୨୦୦୭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁଠାରେ ପାକିସ୍ତାନ ବିଶ୍ୱକପ ମ୍ୟାଚ୍ ଖେଳିଥାଏ ସେହି ଷ୍ଡାଡିୟମରେ ଯାଇ ସେ ଉପସ୍ଥିତ ହୋଇଯାଇଥାଆନ୍ତି । ସେ ନିଜକୁ ଗରିବ ନୱାଜ ଚିକାଗୋ ବୋଲି କହନ୍ତି।
କେବଳ ବଶୀର ନୁହନ୍ତି ଭାରତ-ପାକ୍ ମ୍ୟାଚ୍ ସମୟରେ ଅପରାହ୍ନରେ ଭୟଙ୍କର ଉତ୍ତାପ ଯୋଗୁଁ ଷ୍ଟାଡିୟମରେ ଉପସ୍ଥିତ ଥିବା ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବିଗିଡି ଯାଇଥିଲା।