ଲାହୋର : ଭାରତୀୟ ବ୍ୟାବସାୟିକ ପ୍ରତିଷ୍ଠାନଗୁଡିକ ଯେଭଳି ଭାବେ କ୍ରିକେଟ୍କୁ ପରିଚାଳିତ କରୁଛନ୍ତି ଆଇସିସିର ୯୦ ପ୍ରତିଶତ ରାଜସ୍ବ ଏହି ଦେଶରୁ ଆସୁଛି। ଏହା ଦ୍ବାରା ପାକିସ୍ତାନରେ କ୍ରିକେଟ୍ ଭୁଶୁଡ଼ି ପଡ଼ିବାର ବିପଦ ରହିଛି ବୋଲି ଆଶଙ୍କା ପ୍ରକଟ କରିଛନ୍ତି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ନବ ନିର୍ବାଚିତ ଅଧ୍ୟକ୍ଷ ରମିଜ୍ ରାଜା। ସିନେଟ୍ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ହାଜର ହେବା ବେଳେ ରମିଜ୍ କହିଥିଲେ ‘ପିସିବିକୁ ଏବେଠାରୁ ଆଇସିସି ଉପରେ ନିର୍ଭରଶୀଳତାକୁ କମାଇବା ଆବଶ୍ୟକ। ସ୍ଥାନୀୟ ବଜାର ଉପରେ ନିର୍ଭର କରିବାକୁ ପଡ଼ିବ। ଆଇସିସି ଏକ ରାଜନୈତିକ ବିଭାଜିତ ଗୋଷ୍ଠୀ ଭାବେ ପରିଚିତ। ଏସୀୟ ଏବଂ ପାଶ୍ଚାତ୍ୟ ଗୋଷ୍ଠୀ ଅଲଗା ଅଲଗା। ଆଇସିସିର ୯୦ ପ୍ରତିଶତ ରାଜସ୍ବ ଭାରତରୁ ଆସୁଛି। ଏହା ଭୟାବହ ସ୍ଥିତି ଆଣୁଛି’ ବୋଲି ରମିଜ୍ କହିଛନ୍ତି। ପିସିବିର ୫୦ ପ୍ରତିଶତ ପାଣ୍ଠି ଆଇସିସିରୁ ଆସିଥାଏ ବୋଲି ମଧ୍ୟ ସେ ସ୍ବୀକାର କରିଥିଲେ।
ଭାରତୀୟ ବ୍ୟାବସାୟିକ ପ୍ରତିଷ୍ଠାନ ଯେଭଳି ଭାବେ ପାକିସ୍ତାନ କ୍ରିକେଟ୍କୁ ପରିଚାଳିତ କରୁଛନ୍ତି ଯଦି ଭବିଷ୍ୟତରେ ଭାରତର ପ୍ରଧାନମନ୍ତ୍ରୀ ପାକିସ୍ତାନକୁ ପାଣ୍ଠି ଯୋଗାଣ ବନ୍ଦ କରିଦେବେ ତେବେ ପିସିବି ଭୁଶୁଡ଼ି ପଡ଼ିବ ବୋଲି ସେ ପ୍ରକାଶ କରିଥିଲେ। କିନ୍ତୁ କିଛି ବିସ୍ତୃତ ଭାବେ ସେ ଦର୍ଶାଇନଥିଲେ। ନ୍ୟୁଜିଲାଣ୍ଡ୍ ଓ ଇଂଲଣ୍ଡ୍ ଦଳ ପାକିସ୍ତାନ ଗସ୍ତରୁ ଓହରଯିବା ପ୍ରସଙ୍ଗରେ ରମିଜ୍ କହିଥିଲେ ଆଇସିସି ଏବେ କେବଳ ଏକ ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍ ସଂସ୍ଥାରେ ପରିଣତ ହୋଇଛି। ତେବେ ପାକିସ୍ତାନ ଗସ୍ତ ଲାଗି ନ୍ୟୁଜିଲାଣ୍ଡ୍ ଦଳ ନୂଆ ସୂଚୀ ପ୍ରସ୍ତୁତ କରୁଥିବା ନେଇ ସେ ସୂଚନା ଦେଇଥିଲେ।