ପାକିସ୍ତାନ ଚାହୁନି ଭାରତୀୟ ଆଇସିସି ଅଧ୍ୟକ୍ଷ

ଦୁବାଇ : ବିଶ୍ବ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥା ‘ଆଇସିସି’ର ଅଧ୍ୟକ୍ଷ ପଦ ଗତ ଜୁଲାଇ ମାସରୁ ଖାଲିପଡ଼ିଛି। ଏହି ପଦ ପାଇଁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡର ପୂର୍ବତନ ମୁଖ୍ୟ କଲିନ ଗ୍ରେଭ୍ସ, ବିସିସିଆଇ ସଭାପତି ‌ସୌରଭ ଗାଙ୍ଗୁଲି ଓ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ମୁଖ୍ୟ ଗ୍ରେଗ୍ ବାର୍କଲେଙ୍କ ନାଁ ଚର୍ଚାକୁ ଆସିଥିଲା ବେଳେ କୌଣସି ଭାରତୀୟ ଆଇସିସିର ଅଧ୍ୟକ୍ଷ ହେବା ସମ୍ଭାବନାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ଏହସାନ ମଣି ବିରୋଧ କରିଛନ୍ତି। ଫଳରେ ଆଇସିସିରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏପରିକି ଇଂଲଣ୍ଡ, ଅଷ୍ଟ୍ରେଲିଆ କିମ୍ବା ଭାରତ ପରିବର୍ତ୍ତେ ଅନ୍ୟ କୌଣସି କ୍ରିକେଟ୍ ବୋର୍ଡକୁ ପ୍ରତିନିଧିତ୍ବ କରୁଥିବା କର୍ମକର୍ତ୍ତା ଅଧ୍ୟକ୍ଷ ହେଲେ ଭଲ ବୋଲି ସଂପ୍ରତି ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ଥିବା ମଣି କହିଛନ୍ତି। ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ଆଇସିସିର ଅଧ୍ୟକ୍ଷ ଥିବା ମଣି ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡର ବିଶ୍ବ କ୍ରିକେଟ୍‌ରେ ବଢ଼ି ଚାଲିଥିବା ପ୍ରଭାବକୁ ସମାଲୋଚନା କରିଛନ୍ତି। ସେହିଭଳି ଆଇସିସିର ରାଜସ୍ବ ବଣ୍ଟନ ପ୍ରଣାଳୀ ଓ ପଦ୍ଧତିକୁ ମଧ୍ୟ ସେ ତୀବ୍ର ବିରୋଧ କରିଛନ୍ତି। ପ୍ରଭାବଶାଳୀ ଦେଶଗୁଡ଼ିକ ନିଜକୁ ସୁହାଉଥିଲା ଭଳି ନିୟମ କରୁଛନ୍ତି। ସେମାନେ ନିଜ ପାଖରେ ଆଇସିସି ପ୍ରତିଯୋଗିତାର ଆୟୋଜନ ଅଧିକାର ରଖୁଛନ୍ତି। ସେହିଭଳି ରାଜସ୍ବର ସିଂହ ଭାଗ ନିଜ ନିଜ ମଧ୍ୟରେ ବାଣ୍ଟି ନେଉଛନ୍ତି। ଏଭଳି ହେଲେ ଛୋଟ ଛୋଟ କ୍ରିକେଟ୍ ବୋର୍ଡଗୁଡ଼ିକ ତିଷ୍ଠି ରହିବା ସମ୍ଭବ ନୁହେଁ ବୋଲି ମଣି ଆଶଙ୍କା ଜାହିର କରିଛନ୍ତି। ଭାରତ ସହ ଶୃଙ୍ଖଳା ନ ଖେଳିବା ସତ୍ତ୍ବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ବଞ୍ଚି ରହିଛି। ଆଗକୁ ପାକିସ୍ତାନ ଏକାଧିକ ଆଇସିସି ପ୍ରତିଯୋଗିତା ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି ବୋଲି ମଧ୍ୟ ମଣି ଦୃଢ଼ତାର ସହ କହିଛନ୍ତି।

ସମ୍ବନ୍ଧିତ ଖବର