କଲମ୍ବୋ: ଲଗାଣ ବର୍ଷା ପାଇଁ ଚଳିତ ଏକଦିବସୀୟ ମହିଳା କ୍ରିକେଟ୍ ବିଶ୍ବକପ୍‌ର ପାକିସ୍ତାନ-ଇଂଲଣ୍ଡ ମ୍ୟାଚ୍ ବାତିଲ ହୋଇଯାଇଛି। ବୁଧବାର ନିଜ ପ୍ରଥମ ବିଜୟ ସନ୍ଧାନରେ ଥିବା ପାକିସ୍ତାନ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପାକିସ୍ତାନ ବୋଲରମାନେ ମଧ୍ୟ ଚମତ୍କାର ବୋଲିଂ କରି ମାତ୍ର ୭୮ ରନ୍‌ରେ ଇଂଲଣ୍ଡର ୭ଟି ୱିକେଟ୍ ଝାଡ଼ି ଦେଇଥିଲେ। ଏହା ପରେ ବର୍ଷା ହେବାରୁ ଇଂଲଣ୍ଡ ପାଳିକୁ ୩୧ ଓଭରକୁ କମାଇ ଦିଆଯାଇଥିଲା। 

Advertisment

ସେଥିରେ ଇଂଲଣ୍ଡ ୯ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା। ତେବେ ଡି/ଏଲ୍ ନିୟମ ଅନୁସା‌ରେ ପାକିସ୍ତାନକୁ ମାତ୍ର ୧୧୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ପାକିସ୍ତାନ ମଧ୍ୟ ଭଲ ଆରମ୍ଭ କରି ବିନା କ୍ଷତିରେ ୩୪ ରନ୍ (୬.୪ ଓଭର) ଯୋଡ଼ି ନେଇଥିଲା। ହେଲେ ଭାଗ୍ୟ ଏହି ଦଳକୁ ସାଥ୍ ଦେଇ ନଥିଲା। ବର୍ଷା ପୁଣି ଥରେ ଆରମ୍ଭ ହୋଇ ଆଉ ନଛାଡ଼ିବାରୁ ଅମ୍ପାୟାରମାନେ ଏହାକୁ ବାଧ୍ୟ ହୋଇ ବାତିଲ କରି ଦେଇଥିଲେ। ଫଳରେ ଚଳିତ ବିଶ୍ବକପ୍‌ରେ ପାକିସ୍ତାନର ପ୍ରଥମ ବିଜୟ ହାସଲ କରିବା ସ୍ବପ୍ନ ଅଧୁରା ରହିଥିଲା। ଇଂଲଣ୍ଡ ସହ ପଏଣ୍ଟ୍‌ ବାଣ୍ଟି କିନ୍ତୁ ନିଜ ଖାତା ଖୋଲିଥିଲା ଏହି ଦଳ। ପୂର୍ବରୁ ଖେଳିଥିବା ତିନିଟି ମ୍ୟାଚ୍‌ରୁ ପାକିସ୍ତାନ ତିନିଟି ଯାକ ହାରିଥିଲା । ଅନ୍ୟପକ୍ଷରେ ଇଂଲଣ୍ଡ ୪ମ୍ୟାଚ୍‌ରୁ ୭ ପଏଣ୍ଟ୍‌ ପାଇ ତାଲିକାର ଏକନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି।