ନୂଆଦିଲ୍ଲୀ: ଆଇପିଏଲ୍‌ ମେଗା ଖେଳାଳି ନିଲାମରେ ଅନେକ ଆନ୍ତର୍ଜାତିକ କ୍ରିକେଟର୍‌ ‘ଅନ୍‌ସୋଲ୍ଡ’ ରହିଯାଇଥିଲେ। ଏସେ ସେହି ଖେଳାଳିମାନଙ୍କୁ ଲୋଭନୀୟ ଅଫର୍‌ ଦେଇ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ରେ ସାମିଲ କରାଇବାକୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଚିନ୍ତା କରୁଛି। ଏକ ରିପୋର୍ଟ ଅନୁସାରେ ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏଥିପାଇଁ ପିଏସ୍‌ଏଲ୍‌କୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ଯେଉଁ ସମୟରେ ଆଇପିଏଲ୍‌ ଚାଲିବ ସେହି ସମୟରେ ପାକିସ୍ତାନରେ ପିଏସ୍‌ଏଲ୍‌ ଆୟୋଜନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। 

Advertisment

ହେଲେ ବିଶ୍ବର ଅନେକ ନାମୀ ଖେଳାଳି ଆଇପିଏଲ୍‌ରେ ଖେଳିବାକୁ ଯାଉଥିବାରୁ ପିଏସ୍‌ଏଲ୍‌ରେ ଖେଳାଳି ସଙ୍କଟ ଦେଖାଦେଇପାରେ। ଏଥିପାଇଁ ମେଗା ନିଲାମରେ ଯେଉଁ ଆନ୍ତର୍ଜାତିକ କ୍ରିକେଟର୍‌ମାନେ ‘ଅନ୍‌ସୋଲ୍ଡ’ ରହିଯାଇଥିଲେ, ସେମାନଙ୍କୁ ପିଏସ୍‌ଏଲ୍‌ରେ ସାମଲ କରାଇବାକୁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ମାଲିକମାନେ ପିସିବିକୁ ଚିଠି ଲେଖିଛନ୍ତି। ତୁରନ୍ତ ସେହି ଖେଳାଳିମାନଙ୍କର ଏଜେଣ୍ଟଙ୍କ ସହିତ ଯୋଗାଯୋଗ କରିବାକୁ ପିସିବିକୁ କୁହାଯାଇଛି। ସୂଚନାଯୋଗ୍ୟ, ଆଇପିଏଲ୍‌ ମେଗା ନିଲାମରେ ଡେଭିଡ୍‌ ୱାର୍ଣ୍ଣର, ଷ୍ଟିଭ୍‌ ସ୍ମିଥ୍‌, କେନ୍‌ ୱିଲିୟମ୍‌ସନ୍‌, ଡାରେଲ୍‌ ମିଚେଲ୍‌, ଆଦିଲ୍‌ ରସିଦଙ୍କ ଭଳି ତାରକା ଖେଳାଳିଙ୍କୁ କେହି କିଣିବାକୁ ଆଗ୍ରହ ଦେଖାଇ ନଥିଲେ। ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ କିନ୍ତୁ ତା’ ଖେଳାଳିଙ୍କୁ ପିଏସ୍‌ଏଲ୍‌କୁ ପଠାଇବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି।