ରାୱଲପିଣ୍ଡି: ପାକିସ୍ତାନ କ୍ରିକେଟ୍ ଦିନେ ଏଭଳି ସ୍ତରକୁ ଚାଲି ଆସିବ କେହି କଳ୍ପନା କରି ନଥିଲେ। ବାଂଲାଦେଶ ନିକଟରୁ ପ୍ରଥମ ଥର ଟେଷ୍ଟ୍ ଶୃଙ୍ଖଳାରେ ମୂଳପୋଛ ହେବା ପରେ ଏହାକୁ ବିଶ୍ବାସ କରିପାରି ନାହାନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର୍ମାନେ। ବାଂଲାଦେଶ ଏହାର ଶୃଙ୍ଖଳିତ ପ୍ରଦର୍ଶନ ପାଇଁ ମୂଲ୍ୟ ପାଇଛି କିନ୍ତୁ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଏକ ଖରାପ ସଙ୍କେତ ବୋଲି ଦେଶର କିଂବଦନ୍ତି ଖେଳାଳିମାନେ କହିଛନ୍ତି। ପାକିସ୍ତାନ କ୍ରିକେଟ୍ ଏବେ ନିମ୍ନସ୍ତରକୁ ଚାଲିଯିବା ପରେ ପୂର୍ବତନ ଅଧିନାୟକ ଜାଭେଦ ମିଆଁଦାଦ କହିଛନ୍ତି ‘ଆମ କ୍ରିକେଟ୍ର ସ୍ତର ଏତେ ତଳକୁ ଆସିବା ଭାରି ବାଧୁଛି। ବିଗତ ଦେଢ଼ ବର୍ଷରେ ପିସିବିରେ ଯାହା କିଛି ଘଟିଲା କିମ୍ବା ଅଧିନାୟକତ୍ବକୁ ନେଇ ଯେଉଁ ନାଟକ ଚାଲିଲା ସେଥିପାଇଁ ଖେଳାଳିଙ୍କୁ ଦାୟୀ କରାଯାଇ ପାରିବ ନାହିଁ। କିନ୍ତୁ ପରିଚାଳନାରେ ଯାହା ଘଟିଛି ସେଥିପାଇଁ ଏହା ଦଳକୁ ପ୍ରଭାବିତ କରିଛି ବୋଲି ମିଆଁଦାଦ କହିଛନ୍ତି। ଘରୋଇ ଶୃଙ୍ଖଳା ସବୁବେଳେ ପ୍ରତିଦ୍ବନ୍ଦ୍ବୀକୁ ହରାଇବା ଶ୍ରେଷ୍ଠ ସୁଯୋଗ ଦେଇଥାଏ। କିନ୍ତୁ ବ୍ୟାଟର୍ଙ୍କୁ ଏଥି ପାଇଁ ରନ୍ ସଂଗ୍ରହ କରିବା ଆବଶ୍ୟକତା ଥିଲା ବୋଲି କହିଛନ୍ତି ରେକର୍ଡ ବ୍ରେକିଂ ବ୍ୟାଟର୍ ୟୁନିସ୍ ଖାନ।
ବ୍ୟାଟର୍ମାନଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ଟେଷ୍ଟ୍ ବ୍ୟାଟର୍ ଅହମ୍ମଦ ସେହଜାଦ। ସ୍ପିନରଙ୍କୁ ଗଢ଼ି ତୋଳିବାକୁ ସୁଯୋଗ ଦେଇଛନ୍ତି ପୂର୍ବତନ ସ୍ପିନର୍ ଇକବାଲ୍ କାସିମ୍। ସର୍ଫରାଜ ନୱାଜ, ଇମ୍ରାନ୍ ଖାନ୍, ୱାସିମ୍ ଆକ୍ରମ, ୱାକର୍ ୟୁନିସ୍, ସୋଏବ ଅଖତରଙ୍କ ଭଳି ବୋଲର ଆଉ ନାହାନ୍ତି। ତେଣୁ ଆମକୁ ସ୍ପିନରଙ୍କ ଉପରେ ନିର୍ଭର କରି ଘରୋଇ ଟେଷ୍ଟ୍ ଜିତିବାକୁ ହେବ ବୋଲି ଇକ୍ବାଲ୍ କହିଛନ୍ତି।
ଘରୋଇ ମାଟିରେ ଶେଷ ୫ ଟେଷ୍ଟ୍ ପରାଜିତ ହେବା ସହ ପାକିସ୍ତାନର ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ ଆଶା ଏବେ ମଉଳିଯାଇଛି। ଅଧିନାୟକ ସାନ୍ ମାସୁଦ ଓ ପୂର୍ବତନ ଅଧିନାୟକ ବାବର ଆଜମଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ବି ଖରାପ ରହିଛି। ରେଡ୍ ବଲ୍ ପ୍ରଶିକ୍ଷକ ଜାସନ୍ ଗିଲେସ୍ପି ଏବଂ ଧଳାବଲ୍ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ୍ କିନ୍ତୁ ଛାନିଆ ବଟମ୍କୁ ନ ଚିପିବା ପାଇଁ ପିସିବିକୁ ପରାମର୍ଶ ଦେଇଛନ୍ତି। ଏହା ଫଳରେ ଖେଳାଳିଙ୍କ ଆତ୍ମବିଶ୍ବାସ ଅଧିକ ବିଗିଡ଼ିଯିବ। ଅନ୍ୟପକ୍ଷରେ ଟେଷ୍ଟ୍ ଶୃଙ୍ଖଳା ପରେ ଗିଲେସ୍ପି ଓ ହାଇ ପରଫର୍ମାନ୍ସ ପ୍ରଶିକ୍ଷକ ଟିମ୍ ନିଲସେନ୍ ଏକ ସାମୟିକ ବିରାମ ପାଇଁ ଅଷ୍ଟ୍ରେଲିଆ ଫେରିଯିବା ଯୋଜନା କରିଛନ୍ତି।
ନସିମ୍ ସାହା ବିଶ୍ରାମ ପାଇଥିବା ବେଳେ ଦ୍ବିତୀୟ ଟେଷ୍ଟ୍ ଲାଗି ସାହିନ ସାହା ଆଫ୍ରିଦୀଙ୍କୁ ବାଦ୍ ଦେବା, ପାକିସ୍ତାନ ପାଇଁ ମହଙ୍ଗା ପଡ଼ିଛି ବୋଲି ମଧ୍ୟ କେତେକ ମତ ରଖିଛନ୍ତି। ୩ଟି ଶୃଙ୍ଖଳାରେ ହାରିବା ଏବଂ ଘରୋଇ ମାଟିରେ ୯ ଟେଷ୍ଟ୍ରେ ବିଜୟଶୂନ୍ୟ ରହିବା ଚିନ୍ତାର କାରଣ ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍ ହକ୍।