ପାକିସ୍ତାନକୁ ମିଳିଲା ପ୍ରାୟୋଜକ

କରାଚୀ,: ଓଡ଼ିଶା ହକି ବିଶ୍ବକପ୍‌ରେ ପାକିସ୍ତାନ ଦଳର ଅଂଶଗ୍ରହଣ ନିଶ୍ଚିତ ହୋଇଛି। ଆର୍ଥିକ ସଙ୍କଟରେ ଥିବା ପାକିସ୍ତାନ ହକି ମହାସଂଘ (ପିଏଚଏଫ)କୁ ପ୍ରାୟୋଜିତ କରିବାକୁ ଏକ କ୍ରିକେଟ୍‌ ଫ୍ରାଞ୍ଚାଇଜ ଆଗେଇ ଆସିବାରୁ ଏହି ସଫଳତମ ବିଶ୍ବକପ୍ ହକି ରାଷ୍ଟ୍ରର ଭୁବନେଶ୍ବର ଆସିବା ସମ୍ଭବ ହେବାକୁ ଯାଉଛି। ପିଏଚଏଫ୍‌ର ସମ୍ପାଦକ ସାହାବାଜ ଅହମ୍ମଦ ସୂଚନା ଦେଇଛନ୍ତି ଯେ, ପାକିସ୍ତାନ ସୁପର ଲିଗ୍ (କ୍ରିକେଟ)ର ଫ୍ରାଞ୍ଚାଇଜ ପେସାୱାର ଜାଲମି ମାଲିକ ଜାଭେଦ ଆଫ୍ରିଦି ଜାତୀୟ ହକି ଦଳକୁ ୨୦୨୦ ମସିହା ପର୍ଯ୍ୟନ୍ତ ପ୍ରାୟୋଜିତ କରିବାକୁ ପିଏଚଏଫ୍ ସହିତ ଚୁକ୍ତିସ୍ବାକ୍ଷର କରିଛନ୍ତି। ଏହି ପ୍ରାୟୋଜନରେ ଜାତୀୟ ବରିଷ୍ଠ ଓ କନିଷ୍ଠ ଦଳର ସମସ୍ତ ଅନର୍ଜାତୀୟ ଗସ୍ତ ଏବଂ ଘରୋଇ ହକି ଅନ୍ତର୍ଭୁକ୍ତ ରହିବ ବୋଲି କୁହାଯାଇଛି। ଏହା ଆମ ପାଇଁ ଏକ ବଡ଼ ଆଶ୍ବସ୍ତି ବୋଲି ପ୍ରକାଶ କରିଛନ୍ତି ଜାଭେଦ ଆଫ୍ରିଦି। ତାଙ୍କ କମ୍ପାନି ‘ହାୟର ପାକିସ୍ତାନ’ ପକ୍ଷରୁ ସେ ଏହି ଚୁକ୍ତି କରିଛନ୍ତି। ପୂର୍ବରୁ ପିଏଚଏଫ୍ ପାକିସ୍ତାନ ସରକାରଙ୍କୁ ବିଶ୍ବକପ୍ ଲାଗି ୮୦ ଲକ୍ଷ ଟଙ୍କା ଅନୁଦାନ ଲାଗି ଅନୁରୋଧ କରିଥିଲେ ମଧ୍ୟ‌ ‌େକହି କର୍ଣ୍ଣପାତ କରିନଥିଲେ। ହକି ପାକିସ୍ତାନର ଜାତୀୟ ଖେଳ ହୋଇଥିଲେ ମଧ୍ୟ ଇମ୍ରାନ ଖାନଙ୍କ ସରକାର ରବିବାର ସୁଦ୍ଧା କୌଣସି ସହାୟତା ପ୍ରଦାନ କରିନଥିଲା। ଅନ୍ୟପକ୍ଷରେ ପୂର୍ବ ଋଣ ପରିଶୋଧ କରିନଥିବାରୁ ପାକିସ୍ତାନ କ୍ରିକେ୍‌ଟ ବୋର୍ଡ ମଧ୍ୟ ନୂଆ ଋଣ ପ୍ରଦାନ ଲାଗି ପିଏଚ୍‌ଏଫ୍‌କୁ ମନା କରି ଦେଇଥିଲା। ଆମେ ଏବେ କେବଳ ଭିସା ଅପେକ୍ଷାରେ ରହିଛୁ ବୋଲି କହିଛନ୍ତି ପିଏଚ୍‌ଏଫ୍‌ ସମ୍ପାଦକ।

ସମ୍ବନ୍ଧିତ ଖବର