ନୂଆଦିଲ୍ଲୀ: ପାକିସ୍ତାନକୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରିବାର ଦାୟିତ୍ବ ଦିଆଯାଇଛି। ହେଲେ ଭାରତୀୟ ଟିମକୁ ପାକିସ୍ତାନ ଛାଡ଼ିବାକୁ ରାଜି ହେଉନାହିଁ ବିସିସିଆଇ। ଏହା ଉପରେ ଭାରତର ନିଷ୍ପତ୍ତି କ’ଣ ହେବ ସେ ନେଇ ଦ୍ୱନ୍ଦ୍ୱ ରହିଛି। ଭାରତ ଏଥିରେ ଅଂଶଗ୍ରହଣ କରିବ ନା ନାହିଁ, ନା ୟୁଏଇରେ ଭାରତର ମ୍ୟାଚ୍ ଅନୁଷ୍ଠିତ ହେବ? ତାହା ସ୍ପଷ୍ଟ ହୋଇନାହିଁ।
ବର୍ତ୍ତମାନ ଏହା ଉପରେ ପାକିସ୍ତାନର ପୂର୍ବତନ କ୍ରିକେଟର ୟୁନିସ ଖାନ, ବିରାଟ କୋହଲିଙ୍କ ସମ୍ପର୍କରେ ଏକ ବିବୃତି ଦେଇଛନ୍ତି। ୟୁନିସ୍ ଖାନଙ୍କ ମୁତାବକ, ବର୍ତ୍ତମାନ ବିରାଟ କୋହଲିଙ୍କ କ୍ୟାରିୟରରେ କେବଳ ଗୋଟିଏ ଜିନିଷ ବାକି ଅଛି, ତାହା ହେଉଛି ପାକିସ୍ତାନ ଗସ୍ତ ଏବଂ ସେଠାରେ ପ୍ରଦର୍ଶନ କରିବା। ଏହି ମନ୍ତବ୍ୟ ଦେଇ ଖାନ କହିଛନ୍ତି ଯେ, ୨୦୨୫ମସିହାରେ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ଭାରତ ଅଂଶଗ୍ରହଣ କରିବା ଉଚିତ।
ୟୁନିସ୍ ଖାନଙ୍କ କହିବା ମୁତାବକ, “ବିରାଟ କୋହଲି ୨୦୨୫ରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଆସିବା ଉଚିତ୍। ଏହା ମଧ୍ୟ ଆମର ଇଚ୍ଛା। ମୁଁ ଭାବୁଛି ବର୍ତ୍ତମାନ ବିରାଟଙ୍କ କ୍ୟାରିୟରରେ କେବଳ ପାକିସ୍ତାନ ଗସ୍ତ କରିବା ଏବଂ ଏଠାରେ ଭଲ ପ୍ରଦର୍ଶନ କରିବା ବାକି ଅଛି। ଆଉ ସବୁ ସେ ନିଜ କ୍ୟାରିୟରରେ କରିସାରିଛନ୍ତି।”
ଶେଷ ଥର ପାଇଁ ଭାରତ ୨୦୦୮ମସିହାରେ ଏସିଆ କପ୍ ପାଇଁ ପାକିସ୍ତାନ ଯାଇଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା କାରଣରୁ ଭାରତ, ପାକିସ୍ତାନ ଗସ୍ତ କରିନାହିଁ।