ଫାଇନାଲ୍‌ରେ ପାକିସ୍ତାନ: ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ୭ ୱିକେଟ୍‌ରେ ହରାଇଲା, ରିଜ୍‌ୱାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ରିଜ୍‌ୱାନ-ବାବରଙ୍କ ଶତକୀୟ ଭାଗୀଦାରି କୀର୍ତ୍ତିମାନ

ସିଡ୍‌ନି: ଚମତ୍କାର ବୋଲିଂ ଓ କ୍ଷେତ୍ରରକ୍ଷଣ ପରେ ଦମ୍‌ଦାର ବ୍ୟାଟିଂ ବଳରେ ପାକିସ୍ତାନ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପ୍ରଥମ ଦଳ ଭାବେ ଫାଇନାଲ୍‌ ପ୍ରବେଶ କରିଛି। ବୁଧବାର ଏଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ଏହି ଏସୀୟ ଦଳ ନ୍ୟୁଜିଲାଣ୍ଡ୍‌କୁ ୫ ବଲ୍‌ ପୂର୍ବରୁ ୭ ୱିକେଟ୍‌ରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ୍‌ର ୧୫୨/୪ ଜବାବରେ ପାକିସ୍ତାନ ଶେଷ ଓଭରର ପ୍ରଥମ ବଲ୍‌ରେ ହିଁ ୧୫୩/୩ କରିନେଇଥିଲା। ଏକାଧିକ କ୍ୟାଚ୍‌ ସାଙ୍ଗକୁ ଦୁଇଟି ରନ୍‌ଆଉଟ୍‌ ହାତଛଡ଼ା କରିବା ଶେଷରେ ଦୃଢ଼ ବୋଲିଂ ଏବଂ ଶ୍ରେଷ୍ଠ କ୍ଷେତ୍ରରକ୍ଷଣ ଦଳ ଭାବେ ପରିଗଣିତ ନ୍ୟୁଜିଲାଣ୍ଡ୍‌କୁ ମୂଲ୍ୟ ଦେବାକୁ ପଡ଼ିଥିଲା।

ସେମିଫାଇନାଲ୍‌ ପୂର୍ବରୁ ଚଳିତ ବିଶ୍ବକପ୍‌ରେ ଏହି ଦଳ ମାତ୍ର ୩ କ୍ୟାଚ୍‌ ଛାଡ଼ିଥିଲା ବେଳେ ୧୯ କ୍ୟାଚ୍‌ ଧରିଥିଲା। ବିଶେଷକରି ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ଖାତା ଖୋଲିନଥିଲା ବେଳେ ଡେଭନ କନୱେ ତାଙ୍କ କ୍ୟାଚ୍‌ ଖସାଇବା ହିଁ ନ୍ୟୁଜିଲାଣ୍ଡ ପରାଜୟର ଅନ୍ୟତମ କାରଣ ଥିଲା। ଅନ୍ୟପକ୍ଷରେ ଚଳିତ ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟ ଶେଷ ଦିନ ପର୍ଯ୍ୟନ୍ତ ଆଶଙ୍କା ଭିତରେ ରହିଥିବା ପାକିସ୍ତାନ ୨୦୦୯ ପରେ ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ସ୍ଥାନ ସୁରକ୍ଷିତ କଲା। ଫଳରେ ୧୩ ବର୍ଷ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଦଳ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ ଜିତିନେଲା। ମହମ୍ମଦ ରିଜ୍‌ୱାନ ଓ ବାବର ଆଜମ୍‌ଙ୍କ ପ୍ରଥମ ୱିକେଟ୍‌ରେ ଶତକୀୟ ଭାଗୀଦାରି ହିଁ ପାକିସ୍ତାନ ବିଜୟକୁ ସହଜ କରିଦେଇଥିଲା। ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ପାକିସ୍ତାନର ଏହା ଚତୁର୍ଥ ବିଶ୍ବକପ୍‌ (ଦୁଇ ଥର ଦିନିକିଆ ୧୯୯୨ ଓ ୧୯୯୯ ଏବଂ ଦୁଇ ଥର ଟ୍ବେଣ୍ଟି-୨୦ ୨୦୦୭ ଓ ୨୦୨୨) ସେମିଫାଇନାଲ୍‌ ମୁକାବିଲା ଥିଲା। ଆଉ ସବୁଥର ମଧ୍ୟ ପାକିସ୍ତାନ ହିଁ ବିଜୟୀ ହୋଇ ଅପରାଜେୟ ଧାରା ଲମ୍ବାଇଛି। ଅନ୍ୟପକ୍ଷରେ ଧଳାବଲ୍‌ କ୍ରିକେଟ୍‌ର ବଡ଼ ମ୍ୟାଚ୍‌ ବେଳକୁ ନ୍ୟୁଜିଲାଣ୍ଡ୍‌ର ପରାଜୟ ଧାରା ମଧ୍ୟ ଅତୁଟ ରହିଲା। ବିଗତ ୪ଟି ସଂସ୍କରଣ ବିଶ୍ବକପ୍‌ର ସେମିଫାଇନାରେ ପହଞ୍ଚିବା ସତ୍ତ୍ବେ ଟ୍ରଫି ଜିତିପାରିନଥିବା ନ୍ୟୁଜିଲାଣ୍ଡ୍‌ ଏଥର ମଧ୍ୟ ସେହି ବିଫଳତାକୁ ଦୋହରାଇଲା। ଫଳରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ତୃତୀୟ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କଲା। ପାକିସ୍ତାନ ଆସନ୍ତା ରବିବାର ଭାରତ କିମ୍ବା ଇଂଲଣ୍ଡକୁ ଫାଇନାଲ୍‌ରେ ଭେଟିବ।

ବୁଧବାର ଟସ୍‌ ଜିତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମ୍‌ସନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ସାହିନ ଆଫ୍ରିଦି ହିଁ ପ୍ରଥମ ଓଭରରେ ଫିନ୍‌ ଆଲେନଙ୍କୁ ଶିକାର କରିନେଇଥିଲେ। ଏହାପରେ ୱିଲିୟମସନ ଓ ଡାରିଲ ମିଚେଲ ଚତୁର୍ଥ ୱିକେଟ୍‌ରେ ୬୮ ରନ୍ ଯୋଡ଼ି କିଛିଟା ସ୍ଥିତି ସୁଧାରିଥିଲେ ମଧ୍ୟ ପାକିସ୍ତାନ ବୋଲରମାନେ ବଡ଼ ସ୍କୋର୍‌ କରିବାର ସୁଯୋଗ ଦେଇନଥିଲେ। ଯଦିଓ ମିଚେଲ ୩୫ ବଲ୍‌ରୁ ୫୩ ରନ୍‌ କରି ଏକା ଲଢ଼ିଥିଲେ ତଥାପି ନ୍ୟୁଜିଲାଣ୍ଡ ପାଳି ୧୫୨/୪ରେ ଅଟକି ଯାଇଥିଲା। ଆଫ୍ରିଦି ୨ ୱିକେଟ୍‌ ନେଇ ପାକିସ୍ତାନର ସଫଳ ବୋଲର ରହିଥିଲେ।

ରିଜ୍‌ୱାନ-ବାବରଙ୍କ ଶତକୀୟ ଭାଗୀଦାରି କୀର୍ତ୍ତିମାନ
୧୫୩ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନ ପାଇଁ ପ୍ରଥମ ୱିକେଟ୍‌ରେ ମହମ୍ମଦ ରିଜ୍‌ୱାନ ଓ ବାବର ଆଜମ୍‌ଙ୍କ ଶତକୀୟ ଭାଗୀଦାରି ଗଢ଼ିଥିଲେ। ଏହା ବଳରେ ପାକିସ୍ତାନ ହାତରେ ୭ ୱିକେଟ୍‌ ଥାଇ ମ୍ୟାଚ୍‌ ଜିତି ନେଇଥିଲା। ଉଭୟେ ରିଜ୍‌ୱାନ ଓ ପ୍ରଥମ ବଲ୍‌ରେ କ୍ୟାଚ୍‌ରୁ ବର୍ତିଯାଇଥିବା ବାବର ମଧ୍ୟ ଅର୍ଦ୍ଧଶତକ ଜମାଇଥିଲେ। ଦୁହେଁ ପ୍ରଥମ ୱିକେଟ୍‌ରେ ୧୦୫ ରନ୍ ଯୋଡ଼ି ପାକିସ୍ତାନ ବିଜୟ ସହଜ କରିଦେଇଥିଲେ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏହି ଯୋଡ଼ିଙ୍କର ଏହା ମଧ୍ୟ ତୃତୀୟ ଶତକୀୟ ଭାଗୀଦାରି ଥିଲା। ଯାହାକି ଏହି ଫର୍ମାଟ୍‌ ବିଶ୍ବକପ୍‌ ଇତିହାସରେ କୌଣସି ଯୋଡ଼ି ପାଇଁ ସର୍ବାଧିକ କୀର୍ତ୍ତିମାନ ହୋଇଥିଲା। ମହମ୍ମଦ ରିଜ୍‌ୱାନ ମଧ୍ୟ ସେମିଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏକମାତ୍ର ଟ୍ରେଣ୍ଟ୍‌ ବୋଲ୍‌ଟ ନ୍ୟୁଜିଲାଣ୍ଡ ପକ୍ଷରୁ ସଫଳ ବୋଲର ରହିଥିଲା ବେଳେ ୨୦୨୧ ସଂସ୍କରଣ ଆରମ୍ଭରୁ ଏପର୍ଯ୍ୟନ୍ତ କେବଳ ଦ୍ବିତୀୟ ଥର ପାଇଁ ଟିମ୍‌ ସାଉଦି ୱିକେଟ୍‌ଶୂନ୍ୟ ରହିଥିଲେ। ଯାହାକି ପାକିସ୍ତାନ ପାଇଁ ସହଜ ହୋଇଯାଇଥିଲା। ଗତବର୍ଷ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ସାଉଦି ୱିକେଟ୍‌ଶୂନ୍ୟ ରହିଥିଲେ।

ସେମିରେ ଦୁଇଟି ୫୦+ ସ୍କୋର୍‌: ଗେଲ୍‌ ଓ କୋହଲିଙ୍କ ପରେ ମିଚେଲ ତୃତୀୟ
ନ୍ୟୁଜିଲାଣ୍ଡ୍‌ର ୧୫୨ ରନ୍‌ ସ୍କୋର୍‌ ମଧ୍ୟରେ ଡାରିଲ ମିଚେଲ ଏକା ଅର୍ଦ୍ଧଶତକ ଜମାଇଥିଲେ। ସେ ୫୩ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ଏଥି ସହିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଦୁଇ ଥର ୫୦+ ସ୍କୋର୍‌ କରିବାର ହାତଗଣତି ତାଲିକାରେ ନିଜ ନାମକୁ ଯୋଡ଼ିଥିଲେ। ଏହା ପୂର୍ବରୁ ସେ ୨୦୨୧ ସଂସ୍କରଣ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ଅପରାଜିତ ୭୨ ରନ୍‌ କରିଥିଲେ। ତାଙ୍କ ପୂର୍ବରୁ କେବଳ ଦୁଇ ଜଣ ହିଁ ଏହି ତାଲିକାମଣ୍ଡନ କରିଥିଲେ। ସେମାନଙ୍କ ମଧ୍ୟରୁ ୱେଷ୍ଟ୍‌ଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ ୨୦୦୯ (ଦି ଓଭାଲ)ରେ ଶ୍ରୀଲଙ୍କା ବିପକ୍ଷରେ ଅପରାଜିତ ୬୩ ଏବଂ ୨୦୧୨ (କଲମ୍ବୋ)ରେ ଅଷ୍ଟ୍ରେଲିଆ ବିପକ୍ଷ‌ରେ ଅପରାଜିତ ୭୫ ରନ୍‌ କରିଥିଲା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ୨୦୧୪ (ମୀରପୁର)ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୭୨ ଏବଂ ୨୦୧୬ (ମୁମ୍ବାଇ)ରେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ଅପରାଜିତ ୮୯ ରନ୍‌ କରିଥିଲେ।

ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଗୋଟିଏ ଦଳ  ବିପକ୍ଷରେ ସର୍ବାଧିକ ବିଜୟ
ବୁଧବାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ ଫଳାଫଳ ପରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ବିଜୟର କୀର୍ତ୍ତିମାନ ପାକିସ୍ତାନ ରଚିଛି। ଏହି ଦଳ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ସର୍ବାଧିକ ୧୮ ମ୍ୟାଚ୍‌ ଜିତିଲା। ଏକ୍ଷେତ୍ରରେ ପାକିସ୍ତାନ ମଧ୍ୟ ତା’ର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତକୁ ପଛକୁ ଠେଲିଦେଇଛି। ଭାରତ ସର୍ବାଧିକ ୧୭ ଲେଖାଏଁ ବିଜୟ ୱେଷ୍ଟ୍‌ଇଣ୍ଡିଜ୍‌ ଓ ଶ୍ରୀଲଙ୍କା ବିପକ୍ଷରେ ହାସଲ କରିଥିଲା ବେଳେ ଇଂଲଣ୍ଡ ମଧ୍ୟ ସର୍ବାଧିକ ୧୭ ବିଜୟ ପାକିସ୍ତାନ ବିପକ୍ଷରେ ହାସଲ କରିଛି।

ସମ୍ବନ୍ଧିତ ଖବର