ଅଳ୍ପକେ ବର୍ତିଲା ପାକିସ୍ତାନ, ଶେଷ ଓଭରରେ ହାରିଲା ଆଫଗାନିସ୍ତାନ

ଲିଡ୍ସ: ବିଶ୍ବକପ୍‌ର ଉତ୍କଣ୍ଠାପୂର୍ଣ୍ଣ ୩୬ତମ ମୁକାବିଲାରେ ପାକିସ୍ତାନ ୩ ୱିକେଟ୍‌ରେ ଅନଭିଜ୍ଞ ଆଫଗାନିସ୍ତାନକୁ ପରାସ୍ତ କରିଛି। ଆଫଗାନିସ୍ତାନ ମାତ୍ର ୨୨୮ ରନ୍‌ରେ ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ପାକିସ୍ତାନ ଏହାକୁ ମାତ୍ର ଦୁଇଟି ବଲ୍ ପୂର୍ବରୁ ୭ ୱିକେଟ୍ ହରାଇ ହାସଲ କରିଛି। ଲଗାତାର ଅଷ୍ଟମ ପରାଜୟ ବରଣ କରିଥିବା ଆଫଗାନିସ୍ତାନ କିନ୍ତୁ ଲଢ଼ୁଆ ଖେଳ ଖେଳି ପୁଣି ଥରେ ସମସ୍ତଙ୍କ ମନ ଜିତି ନେଇଛି। ତେବେ ଚଳିତ ବିଶ୍ବକପ୍‌ରେ ପ୍ରଥମ ବିଜୟ ହାସଲରୁ ବଞ୍ଚିତ ହୋଇଛି। ସପ୍ତାହକ ତଳେ ଭାରତ ଭଳି ଦଳକୁ ପାଣି ପିଆଇ ଦେଇଥିବା ଆଫଗାନିସ୍ତାନ ଶନିବାର ୧୫୬ ରନ୍‌ରେ ପାକିସ୍ତାନର ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ଦୃଢ଼ ସ୍ଥିତିରେ ଥିଲା। ୩୬ ବଲ୍‌ରୁ ୪୮ ରନ୍‌ର ଦରକାର ଥିଲା ବେଳେ ଅଧିନାୟକ ଗୁଲବଦିନ ନୈବ ୪୬ତମ ଓଭରରେ ୧୮ ରନ୍ ବ୍ୟୟ କରିବା ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା। ସପ୍ତମ ୱିକେଟ୍‌ରେ ଇମଦ ୱା‌ସିମ (୪୯*) ଓ ସଦାବ ଖାନ୍ (୧୧)ଙ୍କ ମଧ୍ୟରେ ହୋଇଥିବା ୫୦ ରନ୍‌ର ଭାଗୀଦାରି ହିଁ ପାକିସ୍ତାନକୁ ବଞ୍ଚାଇ ଦେଇଥିଲା। ସେହିଭଳି ୱାହବ ରିଆଜଙ୍କ ଧୂଆଁଧାର ୧୫ ରନ୍ ମଧ୍ୟ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଆଫଗାନିସ୍ତାନର ତାରକା ସ୍ପିନର ରସିଦ ଖାନ୍ ମଧ୍ୟ ତୁଳନାତ୍ମକ ଭାବେ ବ୍ୟୟ ବହୁଳ ବୋଲିଂ କରିଥିଲେ। ପାକିସ୍ତାନ ଶନିବାରର ସଂଘର୍ଷପୂର୍ଣ୍ଣ ବିଜୟ ସହ ଇଂଲଣ୍ଡ ଆଗକୁ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉଠି ‌ନିଜ ସେମିଫାଇନାଲ୍ ଆଶାକୁ ଉଜ୍ଜୀବିତ ରଖିଥିଲା।

ଆଫଗାନିସ୍ତାନ ଆଜି ଟସ୍ ଜିତି ବ୍ୟାଟିଂ କରିଥିଲା। ଦଳ ପୁନର୍ବାର ଶୀର୍ଷକ୍ରମ ବିଫଳତାର ସମ୍ମୁଖୀନ ହୋଇଥିଲା। ହେଲେ ରହମତ ସାହ (୩୫), ଅସଗର ଆଫଗାନ (୪୨) ଓ ନଜିବୁଲ୍ଲା ଜଦ୍ରାନ (୪୨)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୮ ୱିକେଟ୍ ହରାଇ ୨୨୭ ରନ୍ କରି ନେଇଥିଲା। ଭଲ ସ୍ଥିତିରେ ଥିବା ଆଫଗାନିସ୍ତାନ ଏକଦା ଅଢ଼େଇ ଶହ ରନ୍ କରିନେବାର ସମ୍ଭାବନା ଥିଲା। ହେଲେ ପାକିସ୍ତାନ ‌ଶେଷ ୧୦ ଓଭରରେ ଫେରିଥିଲା। ସାହିନ ଆଫ୍ରିଦି (୪/୪୭), ଇମଦ ୱାସିମ (୨/୪୮) ଓ ୱାହବ ରିଆଜ (୨/୨୯) ମିଳିତ ଭାବେ ଆଫଗାନିସ୍ତାନର ୮ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ। ଆଫଗାନିସ୍ତାନର ୭ ଜଣ ବ୍ୟାଟ୍ସମ୍ୟାନ୍ ୧୫ ରନ୍ ଟପିଥିଲେ। ହେଲେ କେହିବି ଅର୍ଧଶତକ ଛୁଇଁ ପାରି ନଥିଲେ।

ସଂକ୍ଷିପ୍ତ‌ ସ୍କୋର: ଆଫଗାନିସ୍ତାନ ୫୦ ଓଭରରେ ୨୨୭/୯ (ଅସଗର ଆଫଗାନ ୪୨, ନଜିବୁଲ୍ଲା ଜଦ୍ରାନ ୪୨, ରହମତ ସାହ ୩୫, ସାହିନ ଆଫ୍ରିଦି ୪/୪୭, ଇମାଦ ୱାସିମ ୨/୪୮, ୱାହାବ ରିଆଜ ୨/୨୯)। ପାକିସ୍ତାନ ୪୯.୪ ଓଭରରେ ୨୩୦/୭ (ଇମାଦ ୱାସିମ ୪୯*, ବାବର ଆଜମ ୪୫, ଇମାମ-ଉଲ୍-ହକ୍ ୩୬, ହାରିସ୍ ‌‌‌ସୋହେଲ ୨୭, ୱାହାବ ରିଆଜ ୧୫*, ମୁଜିବ-ଉର୍-ରହେମାନ ୨/୩୪, ମହମ୍ମଦ ନବି ୨/୨୩, ରସିଦ ଖାନ୍ ୧/୫୦)।

ସମ୍ବନ୍ଧିତ ଖବର