ଫୱାଦଙ୍କ ଶତକରେ ପାକିସ୍ତାନ ଆଗୁଆ

କରାଚି: ଫୱାଦ୍‌ ଆଲାମ୍‌ (୧୦୯)ଙ୍କ ଶତକ ସାଙ୍ଗକୁ ଫହିମ୍‌ ଅସ୍ରଫ୍‌ (୬୪) ଓ ଆଝାର ଅଲ୍ଲୀ (୫୧)ଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ପାକିସ୍ତାନ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ର ଦ୍ବିତୀୟ ଦିବସରେ ପ୍ରଥମ ପାଳି ଅଗ୍ରଣୀ ପାଇଯାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଡିନ୍‌ ଏଲ୍‌ଗର (୫୮)ଙ୍କ ଅର୍ଦ୍ଧଶତକ ଓ ଜର୍ଜ ଲିଣ୍ଡେଙ୍କ ୩୫ ରନ୍‌ ସତ୍ତ୍ବେ ୨୨୦ ରନ୍‌ରେ ପ୍ରଥମ ପା‌ଳିର ସମସ୍ତ ୱିକେଟ୍‌ ହରାଇଥିଲା। ଜବାବରେ ପାକିସ୍ତାନ ଦ୍ବିତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ୮ ୱିକେଟ୍‌ ବିନିମୟରେ ୩୦୮ ରନ୍‌ କରିନେଇଛି। ଫଳରେ ହାତରେ ୨ ୱିକେଟ୍‌ ଥାଇ ଘରୋଇ ପାକିସ୍ତାନ ୮୮ ରନ୍‌ର ଅଗ୍ରଣୀ ହାସଲ କରିଛି।

ପ୍ରଥମ ଦିବସ ସ୍କୋର୍‌ ୩୩/୪ରୁ ବୁଧବାର ଖେଳିଥିବା ପାକିସ୍ତାନକୁ ଆଝାର, ଫୱାଦ ଓ ଫହିମ୍‌ ସଂକଟମୁକ୍ତ କରିଥିଲେ। ବିଶେଷକରି ଆଝାର ଓ ଫୱାଦ ପଞ୍ଚମ ୱିକେଟ୍‌ରେ ୯୪ ରନ୍, ଫୱାଦ ଓ ୱିକେଟ୍‌ରକ୍ଷକ ମହମ୍ମଦ ରିଜ୍‌ୱାନ (୩୩) ଷଷ୍ଠ ୱିକେଟ୍‌ରେ ୫୫ ରନ୍ ଏବଂ ଫୱାଦ ଓ ଫହିମ୍‌ ସପ୍ତମ ୱିକେଟ୍‌ରେ ୧୦୨ ରନ୍ ଯୋଡ଼ି ପାକିସ୍ତାନ ସ୍ଥିତି ସମ୍ଭାଳି ନେଇଥିଲେ। ଫୱାଦ (୨୪୫ ବଲ୍‌, ୯ ଚୌକା, ୨ ଛକା) ସପ୍ତମ ବ୍ୟାଟ୍‌ସମ୍ୟାନ୍‌ ଭାବେ ଆଉଟ୍‌ ହେବା ପୂର୍ବରୁ ନିଜର ତୃତୀୟ ଟେ‌ଷ୍ଟ ଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଦା, ଅନ୍‌ରିକ୍‌ ନର୍ଖିୟା, ଲୁଙ୍ଗି ଏନ୍‌ଗିଡ଼ି ଓ କେଶବ ମହାରାଜ ୨ ଲେଖାଏଁ ୱିକେଟ୍‌ ବାଣ୍ଟି ନେଇଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି ୬୯.୨ ଓଭରରେ ୨୨୦ (ଡିନ୍‌ ଏଲ୍‌ଗର-୫୮, ଜର୍ଜ ଲିଣ୍ଡେ-୩୫, ଫାଫ୍‌ ଡୁ’ପ୍ଲେସିସ୍‌-୨୩, ରବାଦା-୨୧*, ସାହିନ୍ ଆଫ୍ରିଦି-୨/୪୯, ନୌମନ ଅଲ୍ଲୀ-୨/୩୮, ୟାସିର ସାହା-୩/୫୪)। ପାକିସ୍ତାନ ପ୍ରଥମ ପାଳି ୧୦୭ ଓଭରରେ ୩୦୮/୮ (ଫୱାଦ ଆଲାମ୍‌-୧୦୯, ଆଝାର ଅଲ୍ଲୀ-୫୧, ଫହିମ ଅସ୍ରଫ୍‌-୬୪, ମହମ୍ମଦ ରିଜ୍‌ୱାନ-୩୩, ହାସନ୍ ଅଲ୍ଲୀ-୧୧*, ନୌମନ ଅଲ୍ଲୀ-୬*, କାଗିସୋ ରବାଦା-୨/୪୫, ଅନ୍‌ରିକ୍‌ ନର୍ଖିୟା‌-୨/୮୪, ଲୁଙ୍ଗି ଏନ୍‌ଗିଡ଼ି-୨/୫୫, କେଶବ ମହାରାଜ-୨/୭୧)।

ସମ୍ବନ୍ଧିତ ଖବର