ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ବକପ୍ରେ ପାକିସ୍ତାନ ଖେଳିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଯଦି ଖେଳିବ କେଉଁଠାରେ ଖେଳିବ? ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ବିଶ୍ବକପ୍ରେ ଖେଳିବାକୁ ଭାରତ ଆସିଲେ ଚେନ୍ନାଇ କିମ୍ବା କୋଲକାତାରେ ତାହାର ମ୍ୟାଚ୍ଗୁଡ଼ିକ ଖେଳିବ। ପୂର୍ବରୁ ପାକିସ୍ତାନର ଭାରତ ଗସ୍ତ ସମୟରେ ଏହି ଦୁଇ ସ୍ଥାନକୁ ସବୁଠୁ ସୁରକ୍ଷିତ ଦର୍ଶାଯାଇଥିଲା। ତେବେ ଏସଂପର୍କରେ ଏବେ ଆଇସିସି ସ୍ତରରେ ଆଲୋଚନା ଜାରି ରହିଥିଲା ବେଳେ ବିସିସିଆଇ ଓ ଭାରତ ସରକାରଙ୍କ ଉପରେ ଶେଷ ନିଷ୍ପତ୍ତି ନିର୍ଭର କରିବ ବୋଲି କୁହାଯାଇଛି। ପୂର୍ବରୁ କୋଲ୍କାତାରେ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯାଇଥିଲା। ସେଠାକାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପାକିସ୍ତାନ ସନ୍ତୋଷବ୍ୟକ୍ତ କରିଥିଲା। ସେହିପରି ଚେନ୍ନାଇ ମଧ୍ୟ ପାକିସ୍ତାନ ପାଇଁ ସୁରକ୍ଷିତ ସ୍ଥାନ ରହିଆସିଛି।
ଏସବୁ ଭିତରେ ଯଦି ପାକିସ୍ତାନ ଫାଇନାଲ୍କୁ ଯାଏ, ତାହେଲେ କେଉଁଠାରେ ମ୍ୟାଚ୍ ଖେଳିବ ତାହା ମଧ୍ୟ ଆଉ ଏକ ପ୍ରସଙ୍ଗ ହେବ। କାରଣ ପୂର୍ବରୁ ଅହମଦାବାଦସ୍ଥିତ ୧ ଲକ୍ଷ ୩୨ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ଖେଳାଯିବାକୁ ସ୍ଥିର ହୋଇଛି। ତେଣୁ ପାକିସ୍ତାନକୁ ନଜରରେ ରଖି ଆଉ ଏକ ଷ୍ଟାଡିୟମ୍ ପ୍ରସ୍ତୁତ ରଖିବାକୁ ହେବ। ବିଶ୍ବକପ୍ରେ ପ୍ରତ୍ୟେକ ଦଳ ଲିଗ୍ ପର୍ଯ୍ୟାୟରେ ୯ ମ୍ୟାଚ୍ ଖେଳିବେ। ଏହାକୁ ଦେଖି ଆଇସିସିର ଇଭେଣ୍ଟ କମିଟି ବିସିସିଆଇ ସହିତ ମିଶି କିଛି ମାସ ଭିତରେ ବିଶ୍ବକପ୍ର ସୂଚୀ ପ୍ରସ୍ତୁତ କରିବେ। ପୂର୍ବରୁ ଆଇସିସି ମହାପ୍ରବନ୍ଧକ ୱାସିମ୍ ଖାନ୍ ହାଇବ୍ରିଡ୍ ମଡେଲ୍ରେ ପାକିସ୍ତାନ ଖେଳିବା ନେଇ ସୂଚନା ଦେଇଥିଲେ। ପାକିସ୍ତାନ ତାହାର ମ୍ୟାଚ୍ଗୁଡ଼ିକ ବାଂଲାଦେଶ କିମ୍ବା ଅନ୍ୟ କୌଣସି ନିରପେକ୍ଷ ସ୍ଥାନରେ ଖେଳିବ ବୋଲି ସେ କହିଥିଲେ। କିନ୍ତୁ ପିସିବି ଅଧ୍ୟକ୍ଷ ନଜମ ସେଠୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆଇସିସି ମଧ୍ୟ ତା’ର ଏଭଳି କୌଣସି ଯୋଜନା ଥିବା ନେଇ ମନା କରିଥିଲା।
ପୂର୍ବରୁ ୨୦୧୧ ବିଶ୍ବକପ୍ର ଭାରତ-ପାକିସ୍ତାନ ସେମିଫାଇନାଲ୍ ମ୍ୟାଚ୍କୁ ମୋହାଲିରେ ଆୟୋଜନ କରାଯାଇଥିଲା। ଫଳରେ ଦୁଇ ଦେଶର ପ୍ରଶଂସକମାନେ ସୁବିଧାରେ ଷ୍ଟାଡିୟମ୍କୁ ଆସିପାରିଥିଲେ। କିନ୍ତୁ ଏଥର ମୋହାଲିକୁ ବିଶ୍ବକପ୍ ସ୍ଥାନ ମଧ୍ୟରେ ସାମିଲ କରାଯାଇନାହିଁ। ୧୯୯୬ ବିଶ୍ବକପ୍ କ୍ବାର୍ଟରଫାଇନାଲ୍କୁ ଏହି ଦୁଇ ପ୍ରତଦ୍ବନ୍ଦ୍ବୀଙ୍କ ମଧ୍ୟରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଆୟୋଜନ କରାଯାଇଥିଲା। ହେଲେ ସେ ସମୟଠାରୁ ବର୍ତ୍ତମାନ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଗଲାଣି। ଏବେ ପାକିସ୍ତାନକୁ କୌଣସି ଷ୍ଟାଡିୟମ୍ରେ ଖେଳାଯିବା ସୁରକ୍ଷିତ ହେବ ନାହିଁ। ଗତ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ ବେଳେ ପାକିସ୍ତାନର ମ୍ୟାଚ୍ ଧର୍ମଶାଳାରେ ହେବାର ଥିଲା। କିନ୍ତୁ ପଠାନକୋଟ୍ ଘଟଣା ପରେ ପାକିସ୍ତାନ ଉପରେ ଆକ୍ରମଣ ଆଶଙ୍କା କରି ମ୍ୟାଚ୍କୁ କୋଲକାତା ସ୍ଥାନାନ୍ତର କରାଯାଇଥିଲା। ତେଣୁ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇପାରୁନଥିବା ଭଳି ସ୍ଥାନରେ ଭାରତ-ପାକିସ୍ତାନ ମ୍ୟାଚ୍ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।