ପାକିସ୍ତାନ ଆତ୍ମବିଶ୍ୱାସ ସଙ୍କଟ ଦେଇ ଗତି କରୁଛି: ଆର୍ଥର

ଦୁବାଇ: ପାକିସ୍ତାନ କ୍ରିକେଟ୍‌ ଦଳ ସଂପ୍ରତି ଆତ୍ମବିଶ୍ୱାସ ସଙ୍କଟ ଦେଇ ଗତି କରୁଛି। ପରାଜୟର ଭୟ ଆମ ଡ୍ରେସିଂ ରୁମ୍‌କୁ ଗ୍ରାସ କରିଛି। ଭାରତଠାରୁ ଲଗାତାର ଦ୍ୱିତୀୟ ଥର ପାଇଁ ବଡ଼ ବ୍ୟବଧାନରେ ହାରିବା ପରେ ପାକିସ୍ତାନର ମୁଖ୍ୟ ପ୍ରଶିକ୍ଷକ ମିକି ଆର୍ଥର ଏହା କହିଛନ୍ତି। ଦଳୀୟ ଖେଳାଳିମାନେ ଚାପର ବଶବର୍ତି ହୋଇ ସେମାନଙ୍କ ଦକ୍ଷତା ମୂଳକ ଖେଳ ଖେଳି ପାରୁ ନାହାନ୍ତି ବୋଲି ସେ ସ୍ୱୀକାର କରିଛନ୍ତି। ୯ ଓ୍ଵିକେଟ୍‌ ପରାଜୟକୁ ଖରାପ ପ୍ରଦର୍ଶନର ଶ୍ରେଣୀରେ ରଖା ଯାଇପାରେ । ଭାରତ ପାଖରେ ବହୁତ ଭଲ ଖେଳାଳି ଅଛନ୍ତି। ସେମାନଙ୍କୁ ଗୋଟିଏ ବି ଇଞ୍ଚ ଛାଡ଼ିଲେ, ତା’ର ପରିଣାମ ଭୋବିବାକୁ ପଡ଼ିବ। ରବିବାର ଆମକୁ ଏହାର ମୂଲ୍ୟ ଦେବାକୁ ପଡ଼ିଲା ବୋଲି ଅସନ୍ତୁଷ୍ଟ ଆର୍ଥର କହିଛନ୍ତି। ସେହିଭଳି ପାକିସ୍ତାନ ବୋଲରଙ୍କ ଷ୍ଟ୍ରାଇକ୍‌ ରେଟ୍‌କୁ ସେ ତୀବ୍ର ସମାଲୋଚନା କରିଛନ୍ତି। ଆମ ଷ୍ଟ୍ରାଇକ୍‌ ରେଟ୍‌ ଆଦୌ ଭଲ ନଥିଲା। ଆମକୁ ପ୍ରଥମ ୬ ଓଭରରେ ଓ୍ଵିକେଟ୍‌ ନେବାର ଥିଲା। ଆମକୁ ଦୁଇଟି ସୁଯୋଗ ମିଳିଥିଲା। ଆମେ କିନ୍ତୁ ଏହାକୁ ହାତଛଡ଼ା କରିଥିଲୁ। ଯାହାର ଭରପୁର ଫାଇଦା ଉଠାଇ ଭାରତ ଆମ ଉପରେ ଆଧିପତ୍ୟ ବିସ୍ତାର କରିଥିଲା ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର