ବର୍ମିଙ୍ଗ୍ହାମ୍: ଜେମ୍ସ ଭିନ୍ସେଙ୍କ ପ୍ରଥମ ଦିନିକିଆ ଶତକ ଆଗରେ ଫିକା ପଡ଼ିଗଲା ବାବର ଆଜମଙ୍କ ଦ୍ରୁତତମ ୧୪ତମ ଶତକ। ଫଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଖେଳାଯାଇଥିବା ହାଇସ୍କୋରିଂ ମ୍ୟାଚ୍ରେ ପାକିସ୍ତାନକୁ ୩ ୱିକେଟ୍ରେ ପରାସ୍ତ କରିଦେଲା ଇଂଲଣ୍ଡ। ଏଥି ସହିତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୩-୦ରେ ପୋଛିନେଲା ବେନ୍ ଷ୍ଟୋକ୍ସଙ୍କ ଘରୋଇ ଦଳ। ମ୍ୟାଚ୍ ବିଜୟୀ ଶତକୀୟ ପାଳି ପାଇଁ ଭିନ୍ସେ ମ୍ୟାଚ୍ର ଏବଂ ଦ୍ରୁତ ବୋଲର ସାକିବ୍ ମେହମୁଦ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇନେଲେ। ଏହା ପୂର୍ବରୁ ଶୃଙ୍ଖଳାର ପ୍ରଥମ ଓ ଦ୍ବିତୀୟ ମ୍ୟାଚ୍ରେ ପାକିସ୍ତାନ ଯଥାକ୍ରମେ ୯ ୱିକେଟ୍ (କାର୍ଡିଫ୍) ଓ ୫୨ ରନ୍ (ଲର୍ଡସ)ରେ ପରାସ୍ତ ହୋଇଥିଲା।
ଏଜ୍ବାଷ୍ଟନରେ ଖେଳାଯାଇଥିବା ମଙ୍ଗଳବାର ମ୍ୟାଚ୍ରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ପାଇଁ ପାକିସ୍ତାନକୁ ଆମନ୍ତ୍ରଣ କରିଥିଲା। ଭ୍ରମଣକାରୀ ଦଳ ମଧ୍ୟ ପ୍ରଥମ ଦୁଇଟି ମ୍ୟାଚ୍ ଅପେକ୍ଷା ବେଶ୍ ଉନ୍ନତ ପ୍ରଦର୍ଶନ କରିଥିଲା। ବିଶେଷକରି ଅଧିନାୟକ ବାବର ଆଜମ୍ (୧୫୮ ରନ୍, ୧୩୯ ବଲ୍, ୧୪ ଚୌକା, ୪ ଛକା)ଙ୍କ ଦେଢ଼ଶତକ ସାଙ୍ଗକୁ ୱିକେଟ୍ରକ୍ଷକ ମହମ୍ମଦ ରିଜ୍ୱାନ୍ (୭୪, ୫୮ ବଲ୍, ୮ ଚୌକା) ଓ ଓପ୍ନର ଇମାମ୍ ଉଲ୍ ହକ୍ (୫୬, ୭୩ ବଲ୍, ୭ ଚୌକା)ଙ୍କ ଅର୍ଦ୍ଧଶତକ ବଳରେ ୩୩୧/୯ ରନ୍ର ବଡ଼ ସ୍କୋର୍ ଛିଡ଼ା କରିଥିଲା। ତୃତୀୟ ୱିକେଟ୍ରେ ବାବର ଓ ରିଜ୍ୱାନ୍ଙ୍କ ୧୭୯ ରନ୍ ଇଂଲଣ୍ଡ ବିପକ୍ଷ ଦିନିକିଆରେ ପାକିସ୍ତାନ ପାଇଁ ଯେକୌଣସି ୱିକେଟ୍ରେ ସର୍ବାଧିକ ଥିଲା। ତଥାପି ଦ୍ରୁତ ବୋଲର ବ୍ରାଇଡନ୍ କାର୍ସେ (୧୦-୦-୬୧-୫) ଓ ସାକିବ୍ ମେହମୁଦ୍ (୧୦-୨-୬୦-୩)ଙ୍କ ଚମତ୍କାର ବୋଲିଂ ଯୋଗୁଁ ଏକ ସମୟରେ ୨୯୨/୨ରେ ଥିବା ପାକିସ୍ତାନ ପରବର୍ତୀ ୩୯ ରନ୍ ମଧ୍ୟରେ ୭ ୱିକେଟ୍ ହରାଇଥିଲା। ଏପରିକି ଶେଷ ୩ ଓଭର ମଧ୍ୟରୁ ପ୍ରତି ଓଭରରେ ୨ଟି ଲେଖାଏଁ ୱିକେଟ୍ ହରାଇ ଭ୍ରମଣକାରୀ ଦଳ ୩୫୦ ରନ୍ ତଳେ ଅଟକି ଯାଇଥିଲା। ଫଳରେ ଦଳ ୯ ୱିକେଟ୍ ବିନିମୟରେ ୩୩୧ ରନ୍ କରିପାରିଥିଲା। ବ୍ରାଇଡନ୍ କାର୍ସେ ମଧ୍ୟ ଏହି ମ୍ୟାଚ୍ ଜରିଆରେ ଆନ୍ତର୍ଜାତିକ ଦିନିକିଆରେ ନିଜର ପ୍ରଥମ ୫ ୱିକେଟ୍ ସଫଳତା ପାଇଥିଲେ।
ଜବାବରେ ଘରୋଇ ଇଂଲଣ୍ଡ ଆରମ୍ଭରୁ ପ୍ରହାର କରିଥିଲା। ପାୱାର ପ୍ଲେରେ ୮୪/୨ କରିଥିବା ଏହି ଦଳ ଫିଲିପ ସଲ୍ଟ (୩୭, ୨୨ ବଲ୍, ୭ ଚୌକା) ଓ ଦାୱିଦ୍ ମଲାନ (୦)ଙ୍କୁ ହରାଇଥିଲା। ଏହାସତ୍ତ୍ବେ ରନ୍ ସଂଗ୍ରହ ହାର ହ୍ରାସ ପାଇନଥିଲା। ଜାକ୍ କ୍ରଲି (୩୯, ୩୪ ବଲ୍, ୭ ଚୌକା) ଓ ଅଧିନାୟକ ବେନ୍ ଷ୍ଟୋକ୍ସ (୩୨, ୨୮ ବଲ୍, ୪ ଚୌକା, ୧ ଛକା) ରନ୍ ଗତି ବଢ଼ାଇବାକୁ ଯାଇ ଆଉଟ୍ ହୋଇଯାଇଥିଲା ବେଳେ ଭିନ୍ସେ ୧୦୨, ୯୫ ବଲ୍, ୧୧ ଚୌକା) ଓ ଲିୱିସ୍ ଗ୍ରେଗୋରୀ (୭୭, ୬୯ ବଲ୍, ୬ ଚୌକା, ୩ ଛକା) ଷଷ୍ଠ ୱିକେଟ୍ରେ ୧୨୯ ରନ୍ ଯୋଡ଼ି ପାକିସ୍ତାନ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ତେବେ ୯ ରନ୍ ବ୍ୟବଧାନରେ ଉଭୟ ଭିନ୍ସେ ଓ ଗ୍ରିଗୋରୀଙ୍କୁ ପାକିସ୍ତାନ ପେସର୍ ହାରିସ୍ ରଫ୍ ପାଭିଲିୟନ୍ ପଠାଇ ଦେଇଥିଲେ ମଧ୍ୟ କ୍ରେଗ୍ ଓଭରଟନ୍ (୧୮, ୧୫ ବଲ୍, ୧ ଚୌକା) ଓ ବ୍ରାଇଡନ୍ କାର୍ସେ (୧୨, ୧୧ ବଲ୍, ୧ ଚୌକା) ଅସମାପ୍ତ ଅଷ୍ଟମ ୱିକେଟ୍ ଭାଗୀଦାରିରେ ୨୯ ରନ୍ ଯୋଡ଼ି ଇଂଲଣ୍ଡକୁ ୪୮ତମ ଓଭରରେ ହିଁ ବିଜୟ ଭେଟି ଦେଇଥିଲେ। ପାକିସ୍ତାନ ପକ୍ଷରୁ ହାରିସ୍ ରଫ୍ ୪ ଓ ସାଦବ ଖାନ୍ ୨ ୱିକେଟ୍ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/f5hfs4564564fshfshfshfsfsh.jpg)