କରାଚୀ: ଯୁବ ତାରକା ୱିଲ୍ ୟଙ୍ଗ୍‌ (୧୦୭) ଏବଂ ୱିକେଟ୍ ରକ୍ଷକ ଟମ୍ ଲାଥାମ (୧୧୮*)ଙ୍କ ଯୁଗଳ ଶତକ ବଳରେ ଚଳିତ ଚାମ୍ପିଅନ୍ସ ଟ୍ରଫିର ଉଦ୍‌ଘାଟନୀ ଦିବସରେ ବୁଧବାର ନ୍ୟୁଜିଲାଣ୍ଡ ଗତଥର ବିଜେତା ପାକିସ୍ତାନକୁ ୬୦ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ଆତ୍ମବିଶ୍ବାସ ସହିତ ଅଭିଯାନ ଆରମ୍ଭ କରିଥିଲା ବେଳେ ଲଗାତାର ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ପାକିସ୍ତାନକୁ ଘରୋଇ ପରିବେଶରେ ଜବରଦସ୍ତ ଝଟ୍‌କା ଲାଗିଛି। ସେହିଭଳି ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ନିଜ ଅପରାଜେୟ ଧାରାକୁ ଅତୁଟ ରଖିଛି। ଏହି ଦଳ ବିପକ୍ଷ ଜୟ-ପରାଜୟ ପରିସଂଖ୍ୟାନକୁ ୪-୦କୁ ବଢ଼ାଇଛି। 

Advertisment

ନ୍ୟୁଜିଲାଣ୍ଡ ଆଜି ୩୨୧ ରନ୍‌ର ବିଶାଳ ବିଜୟ ଳକ୍ଷ୍ୟ ଦେଇଥିଲା। ଜବାବରେ ପାକିସ୍ତାନ ୪୭.୨ ଓଭରରେ ୨୬୦ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। କ୍ଷେତ୍ରରକ୍ଷଣ ବେଳେ ଆହତ ହୋଇ ୨୦ ମିନିଟ୍ କାଳ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିବା ଫକର ଜମନ ପାଳି ଆରମ୍ଭ ନକରି ପାରିବା ସହ ପୂର୍ବତନ ଅଧିନାୟକ ବାବର ଆଜମ (୬୪ ରନ୍, ୯୦ ବଲ୍)ଙ୍କ ଅତ୍ୟନ୍ଥ ମନ୍ଥର ବ୍ୟାଟିଂ ପାକିସ୍ତାନ ପରାଜୟର ପ୍ରମୁଖ କାରଣ ପାଲଟିଥିଲା। ବଢ଼ିବଢ଼ି ଚାଲିଥିବା ରନ୍ ହାର ଚାପରେ ପାକିସ୍ତାନର ଅଧିକାଂଶ ବ୍ୟାଟର୍ ନିଜନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଯାହା ଘରୋଇ ପ୍ରଶଂସକଙ୍କୁ ପୂରା ନିରାଶ କରିଥିଲା। 

ପାଖାପାଖି ୨୯ବର୍ଷ ପରେ ପାକିସ୍ତାନରେ କୌଣସି ଆଇସିସି ଟ୍ରଫି ଆୟୋଜନ ହେଉଥିବାରୁ ସମର୍ଥକଙ୍କ ପ୍ରବଳ ଉତ୍କଣ୍ଠା ଓ ଉତ୍ସାହର ମହାଆଡ଼ମ୍ବର ଭିତରେ ଆରମ୍ଭ ହୋଇଥିଲା ଏହି ମ୍ୟାଚ୍। ପାକିସ୍ତାନ ଟସ୍ ଜିତି ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ସହ ୪୦ ରନ୍‌ରେ ୨ ୱିକେଟ୍ ଝାଡ଼ି ଭଲ ଆରମ୍ଭ ବି କରିଥିଲା। ଡେଭନ୍ କନୱେ (୧୦) ଏବଂ କେନ୍ ୱିଲିୟନସନ୍‌ (୧)ଙ୍କୁ ୪ ବଲ୍ ଭିତରେ ଘରୋଇ ବୋଲର ପ୍ୟାଭିଲିୟନ ଫେରାଇବା ପରେ କରାଚୀ ଷ୍ଟାଡିୟମ୍ ଦର୍ଶକଙ୍କ ଖୁସିର ରଡ଼ିରେ କମ୍ପି ଉଠିଥିଲା। ଏଥିରେ ଉଲ୍ଲସିତ ପାକିସ୍ତାନ ବୋଲର ଚତୁର୍ଥ ସ୍ଥାନରେ ବ୍ୟାଟିଂକୁ ଆସିଥିବା ଡାରିଲ ମିଚେଲଙ୍କୁ ୧୦ ରନ୍ ଆଗକୁ ବଢ଼ିବାକୁ ଦେଇ ନଥିଲା। ଫଳରେ ନ୍ୟୁଜିଲାଣ୍ଡ ୭୩ ରନ୍‌ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ରାଚିନ ରବୀନ୍ଦ୍ରଙ୍କ ସ୍ଥାନରେ ଖେଳିଥିବା ୱିଲ୍ ୟଙ୍ଗ ଓ ଟମ୍ ଲାଥାମ ଚତୁର୍ଥ ୱିକେଟ୍‌ରେ ୧୧୮ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ।

ପାକିସ୍ତାନର ଦ୍ରୁତ ବୋଲିଂ ବାହିନୀକୁ ୟଙ୍ଗ ପ୍ରତିଆକ୍ରମଣ କରି ୧୦୭ ବଲ୍‌ରୁ କ୍ୟାରିୟରର ଚତୁର୍ଥ ଶତକ ହାସଲ କରି ନେଇଥିଲେ। ୟଙ୍ଗଙ୍କୁ ଆଉଟ୍ କରି ନସୀମ ସାହା ଏହି ଯୋଡ଼ିକୁ ଅଲଗା କରିଥିଲେ। ତେବେ ଲାଥାମ ଏହା ପରେ ଆହୁରି ଆକ୍ରମଣାତ୍ମକ ବ୍ୟାଟିଂ କରି ସପ୍ତମ ଶତକ ପୂରଣ କରି ନେଇଥିଲେ। ତାଙ୍କୁ ପାକିସ୍ତାନ ବୋଲରମାନେ ଶେଷ ପର୍ଯ୍ୟନ୍ତ ଆଉଟ୍ କରି ପାରି ନଥିଲେ। ବଡ଼ ସ୍କୋର୍ ପାଇଁ ମଞ୍ଚ ସ୍ଥାପିତ ହେବା ପରେ ଗ୍ଲେନ୍ ଫିଲିପ୍ସ ୩୯ ବଲ୍‌ରୁ ୬୧ ରନ୍‌ର ପାଳି ଖେଳି ନ୍ୟୁଜିଲାଣ୍ଡ ସ୍କୋର୍‌କୁ ୩୦୦ ରନ୍ ପାର କରାଇ ଦେଇଥିଲେ।

 ସଂକ୍ଷିପ୍ତ ସ୍କୋର୍: ନ୍ୟୁଜିଲାଣ୍ଡ ୫୦ ଓଭରରେ ୩୨୦/୫ (ଟମ୍ ଲାଥାମ ୧୧୮*, ୱିଲ୍ ୟଙ୍ଗ ୧୦୮, ଗ୍ଲେନ୍ ଫିଲିପ୍ସ ୬୧, ନସୀମ ସାହ ୨/୬୩, ହାରିସ୍ ରୌଫ ୨/୬୩)। ପାକିସ୍ତାନ ୪୭.୨ ଓଭରରେ ୨୬୦ (ଖୁସଦିଲ୍ ଶାହ ୬୯, ବାବର ଆଜମ ୬୪, ସଲମାନ ଆଗା ୪୨, ୱିଲ୍ ଓ’ରୁର୍‌କି ୩/୪୭, ମିଚେଲ ସାଣ୍ଟନର୍ ୩/୬୬)।