ପାକିସ୍ତାନର ରୋମାଞ୍ଚକର ବିଜୟ

ଆବୁଧାବି: ଏସିଆ କପ୍‌ର ଅନ୍ୟ ଏକ ସୁପର୍‌-୪ ମୁକାବିଲାରେ ପାକିସ୍ତାନ ରୋମାଞ୍ଚକ ଭାବେ ୩ ବଲ୍‌ ପୂର୍ବରୁ ୩ ଓ୍ଵିକେଟ୍‌ରେ ଆଫଗାନିସ୍ତାନକୁ ହରାଇ ଦେଇଛି। ୨୫୮ ରନ୍‌କୁ ପିଛା କରିଥିବା ପାକିସ୍ତାନ ଶେଷ ଭାଗରେ ଅଡୁଆରେ ପଡ଼ିଥିଲେ ମଧ୍ୟ ସୋଏବ ମଲ୍ଲିକ (୫୧*, ୪୩ ବଲ୍‌, ୩ ଚୌକା, ୧ ଛକା)ଙ୍କ ଲଢ଼ୁଆ ଅର୍ଧଶତକ ବଳରେ ବିଜୟୀ ହୋଇଥିଲା। ପୂର୍ବରୁ ଇମାମ୍‌ ଉଲ୍‌ ହକ୍‌ (୮୦, ୧୦୪ ବଲ୍‌, ୫ ଚୌକା, ୧ ଛକା) ଏବଂ ବାବର୍‌ ଆଜମ (୬୬, ୯୪ ବଲ୍‌, ୪ ଚୌକା, ୧ ଛକା)ଙ୍କ ମଧ୍ୟରେ ହୋଇଥିବା ୧୫୪ ରନ୍‌ ଭାଗୀଦାରି ଦଳକୁ ଠିକଣା ପଥରେ ରଖିଥିଲା। ଶେଷ ଭାଗରେ ଦଳ ଚାପକୁ ହାତେଇବାରେ ସଫଳ ହୋଇଥିଲା।

ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ମହମ୍ମନ ନଓ୍ଵାଜ ଦୁଇଟି ପ୍ରାରମ୍ଭିକ ଝଟ୍‌କା ଦେବାରୁ ୩୧ ରନ୍‌ ଭିତରେ ଉଭୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ମହମ୍ମଦ ସେହଜାଦ ଓ ଇନ୍‌ସାନୁଲ୍ଲାଙ୍କୁ ହରାଇଥିଲା। ଏହା ପରେ କିନ୍ତୁ ହସ୍‌ମାତୁଲ୍ଲା ସାହିଦି ଦୁଇଟି ବଡ଼ ଭାଗୀଦାରି କରି ଦଳର ପାଳିକୁ ସମ୍ଭାଳିଥିଲେ। ରହମତ୍‌ ସାହା (୩୬, ୬୧ ବଲ)ଙ୍କ ସହ ତୃତୀୟ ଓ୍ଵିକେଟ୍‌ ପାଇଁ ୬୩ ରନ୍‌ ଏବଂ ଅଧିନାୟକ ଅସଗର୍‌ ଆଫଗାନ୍‌ (୬୭, ୫୬ ବଲ୍‌, ୨ ଚୌକା, ୫ ଛକା)ଙ୍କ ସହ ଚତୁର୍ଥ ଓ୍ଵିକେଟ୍‌ରେ ୯୪ ରନ୍‌ ଯୋଡ଼ିଥିଲେ। କିନ୍ତୁ ବ୍ୟକ୍ତିଗତ ଭାବେ ହସମାତୁଲ୍ଲା (୯୭*, ୧୧୮ ବଲ୍‌, ୭ ଚୌକା) ପ୍ରଥମ ଦିନିକିଆ ଶତକରୁ ବଞ୍ଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ଆଫଗାନିସ୍ତାନ ୫୦ ଓଭରରେ ୨୫୭/୬ (ହସମ୍ମତୁଲ୍ଲା ସାହିଦି ୯୭*, ଅସଗର୍‌ ଆଫଗାନ୍‌-୬୭, ରହମତ ସାହା ୩୬, ମହମ୍ମଦ ନଓ୍ଵାଜ-୩/୫୭, ସାହିନ୍‌ ସାହା ଆଫ୍ରିଦି-୨/୩୮, ହାସନ୍‌ ଅଲୀ-୧/୫୧)। ପାକିସ୍ତାନ ୪୯.୩ ଓଭରରେ ୨୫୮/୭ (ଇମାମ୍‌ ଉଲ୍‌ ହକ୍‌-୮୦, ବାବର ଆଜମ୍‌-୬୬, ସୋଏବ ମଲ୍ଲିକ-୫୧*, ରସିଦ୍‌ ଖାନ୍‌-୩/୪୬, ମୁଜିବ୍‌ ଉର୍‌ ରେହମାନ୍‌-୨/୩୩, ଗୁଲବଦିନ୍‌ ନାଏବ-୧/୬୧)।

ସମ୍ବନ୍ଧିତ ଖବର