ଲାଉଡରହିଲ୍/ତରୌବା: ଆମେରିକା ଓ ଆୟର୍ଲାଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଗ୍ରୁପ୍-ଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଏହି ଫଳାଫଳ, ଆୟୋଜକ ଆମେରିକାକୁ ସିଧାସଳଖ ସୁପର-୮ରେ ପହଞ୍ଚାଇ ଦେଇଛି। ଭାରତ (୬ ପଏଣ୍ଟ) ପରେ ଆମେରିକା (୫ ପଏଣ୍ଟ) ଦ୍ବିତୀୟ ସ୍ଥାନରେ ରହି ଏହି ସ୍ଥାନ ପକ୍କା କରିଛି। ପାକିସ୍ଥାନ ଓ କାନାଡ଼ାକୁ ପରାସ୍ତ କରିଥିବାରୁ ଆମେରିକା ଏହାର ପୁରସ୍କାର ପାଇଛି। ପଦାର୍ପଣ ବିଶ୍ବକପ୍ରେ ଶୀର୍ଷ ୮ ଭିତରେ ସାମିଲ ହୋଇପାରିଛି। ଅନ୍ୟ ପକ୍ଷରେ ଆମେରିକାଠୁ ହାରିଥିବା ପୂର୍ବ ବିଜେତା ପାକିସ୍ତାନ (୩ ପଏଣ୍ଟ)ର ଅଭିଯାନ ଲିଗ୍ ପର୍ଯ୍ୟାୟରେ ଶେଷ ହୋଇଯାଇଛି। ଏହି ଗ୍ରୁପ୍ର ଅନ୍ୟ ଦୁଇ ଦଳ ଆୟର୍ଲାଣ୍ଡ ଓ କାନାଡ଼ା ମଧ୍ୟ ବିଦାୟ ନେଇଛନ୍ତି। ସେହିପରି ଗ୍ରୁପ୍-ସି’ରେ ଥିବା ବଡ଼ ଦଳ ନ୍ୟୁଜିଲାଣ୍ଡର ଅଭିଯାନ ମଧ୍ୟ ଶୁକ୍ରବାର ଲିଗ୍ ପର୍ଯ୍ୟାୟରୁ ଶେଷ ହୋଇଯାଇଛି। ଗ୍ରୁପ୍-ସିରୁ ୱେଷ୍ଟ୍ଇଣ୍ଡିଜ୍ ପରେ ଆଫ୍ଗାନିସ୍ତାନ ଦ୍ବିତୀୟ ଦଳ ଭାବେ ସୁପର-୮ରେ ପ୍ରବେଶ କରିଛି। ଶୁକ୍ରବାର ମ୍ୟାଚ୍ରେ ଆଫ୍ଗାନିସ୍ତାନ ୭ ୱିକେଟ୍ରେ ପପୁଆ ନ୍ୟୁ ଗିନିକୁ ପରାସ୍ତ କରିଛି। ଏହି ବିଜୟ ସହ ଦଳ ସୁପର-୮ ସ୍ଥାନ ନିଶ୍ଚିତ କରିଦେବାରୁ ଏହି ଗ୍ରୁପ୍ରେ ଥିବା ତାରକା ଖଚିତ ନ୍ୟୁଜିଲାଣ୍ଡ ଏଲିମିନେଟ୍ ହେବାକୁ ବାଧ୍ୟ ହୋଇଛି।
ତ୍ରିନିଦାଦସ୍ଥିତ ବ୍ରାଏନ୍ ଲାରା ଷ୍ଟାଡିୟମ୍ରେ ଖେଳାଯାଇଥିବା ଗ୍ରୁପ୍-ସି ମ୍ୟାଚ୍ରେ ଫଜଲହକ୍ ଫାରୁକି (୪-୦-୧୬-୩) ଓ ନବୀନ ଉଲ୍ ହକ୍ (୨.୫-୦-୪-୨)ଙ୍କ ଘାତକ ବୋଲିଂ ସାମ୍ନା କରିପାରି ନପାରି ପପୁଆ ନ୍ୟୁଗିନି ୧୯.୫ ଓଭରରେ ୯୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ନୂର ଅହମ୍ମଦ ଗୋଟିଏ ୱିକେଟ୍ ନେଇଥିଲା ବେଳେ ଅନ୍ୟ ୪ ଜଣ ରନ୍ଆଉଟ୍ ହୋଇଥିଲେ। ଜବାବରେ ଆଫ୍ଗାନିସ୍ତାନ ୧୫.୧ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଗୁଲ୍ବଦ୍ଦିନ ନାଏବ ୪୯* (୩୬ ବଲ୍, ୪ ଚୌକା, ୨ ଛକା) ଓ ମହମ୍ମଦ ନବି ୧୬* ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ।
ସଂକ୍ଷିପ୍ତ ସ୍କୋର୍: ପପୁଆ ନ୍ୟୁଗିନି ୧୯.୫ ଓଭରରେ ୯୫ (କିପ୍ଲିନ୍ ଦୋରିଗା-୨୭, ଅଲେଇ ନାଓ-୧୩, ଫଜଲହକ୍ ଫାରୁକି-୩/୧୬, ନବୀନ ଉଲ୍ ହକ୍-୨/୪)। ଆଫଗାନିସ୍ତାନ ୧୫.୧ ଓଭରରେ ୧୦୧/୩ (ଗୁଲ୍ବଦ୍ଦିନ ନାଏବ-୪୯*, ମହମ୍ମଦ ନବି-୧୬*, ଅଜମାତୁଲ୍ଲା ଉମରଜାଇ-୧୩, ସେମୋ କାମିଆ-୧/୧୬, ନୋର୍ମାନ ଭନୁଆ-୧/୧୮)।