କରାଚି : ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟେ‌ଷ୍ଟ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ପ୍ରଥମ ପାଳିରେ ଘରୋଇ ଦଳ ପାକିସ୍ତାନ ବାବର ଆଜମ (୧୬୧) ଓ ଆଘା ସଲ୍‌ମାନ (୧୦୩)ଙ୍କ ଶତକ ବଳରେ ୪୩୮ ରନ୍‌ କରିଥିଲା। ଜବାବରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ପୂର୍ବତନ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ (୨୦୦*)ଙ୍କ ଅପରାଜିତ ଦ୍ବିଶତକ ସାଙ୍ଗକୁ ଟମ ଲାଥମ (୧୧୩)ଙ୍କ ଶତକ ବଳରେ ୬୧୨/୯ରେ ପାଳି ଘୋଷଣା କରିଥିଲା। ଇମାମ-ଉଲ୍‌-ହକ୍‌ ୯୬, ସର୍ଫରାଜ ଅହମ୍ମଦ ୫୩ ଓ ସୌଦ ସକିଲ ୫୫*ଙ୍କ ଅର୍ଦ୍ଧଶତକ ବଳରେ ୧୭୪ ରନ୍‌ରେ ପଛୁଆ ଥିବା ପାକିସ୍ତାନ ଦ୍ବିତୀୟ ପାଳିକୁ ୩୧୧/୮ରେ ପାଳି ଘୋଷଣା କରିଥିଲା।

Advertisment

ନ୍ୟୁଜିଲାଣ୍ଡ ସ୍ପିନର ଈଶ ସୋଢ଼ି ୬ ୱି‌କେଟ୍‌ ନେଇଥିଲେ। ଆଉ ମାତ୍ର ମ୍ୟାଚ୍‌ ୧ ଘଣ୍ଟା ଥିଲା ପାକିସ୍ତାନ ଅଧିନାୟକ ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲେ। ଏହାକୁ ପିଛା କରିଥିବା ନ୍ୟୁଜିଲାଣ୍ଡ ବ୍ରାସ୍‌ୱେଲ (୩)ଙ୍କୁ ସଅଳ ହରାଇଥିଲା। ‌କନୱେ (୧୮)ଙ୍କ ସହ ଟମ୍‌ ଲାଥମ (୩୫) ମିଶି ୭.୩ ଓଭରରେ ଦଳୀୟ ସ୍କୋର୍‌ ୬୧/୧ରେ ପହଞ୍ଚାଇ ବିଜୟ ଦିଗରେ ଅଗ୍ରସର ହେଉଥିଲେ। ଆଉ ପ୍ରାୟ ୯ ଓଭରରେ ବିଜୟ ପାଇଁ ନ୍ୟୁଜିଲାଣ୍ଡକୁ ୮୩ ରନ୍‌ ଆବଶ୍ୟକ ରହିଥିଲା ବେଳେ ଖରାପ ଆଲୋକ ଯୋଗୁ ମ୍ୟାଚ୍‌ ବନ୍ଦ କରିବାକୁ ଅମ୍ପାୟାର ନିଷ୍ପତ୍ତି ନେଇଥିଲେ। ୱିଲିୟମସନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୪୩୮ ଓ ଦ୍ବିତୀୟ ପାଳି ୧୦୪ ଓଭରରେ ୩୧୧/୮ (ଇମାମ ଉଲ୍‌ ହକ୍‌-୯୬, ସର୍ଫରାଜ ଅହମ୍ମଦ-୫୩, ସୌଦ ସକିଲ-୫୫*, ମହମ୍ମଦ ୱାସିମ୍‌-୪୩, ମାଇକେଲ ବ୍ରାସ୍‌ୱେଲ-୨/୮୨, ଈଶ୍‌ ସୋଢ଼ି-୬/୮୬)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପ‌ାଳି ୧୯୪.୫ ଓଭରରେ ୬୧୨/୯ ଘୋଷିତ ଓ ଦ୍ବିତୀୟ ପାଳି ୭.୩ ଓଭରରେ (ଡେଭନ କନ୍‌ୱେ-୧୮*, ଟମ୍‌ ଲାଥମ୍‌-୩୫*, ଅବରାର-୧/୨୩)।