ଏସିଆ କପ୍‌: ସୁପର ଟକ୍କରରେ ଟସ୍‌ ଜିଣି ପାକିସ୍ତାନ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ଭାରତ କରିବ ବୋଲିଂ

ଦୁବାଇ: ଏସିଆ କପ୍‌ ସୁପର ଟକ୍କର ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ବୋଲିଂ କରିବ।

ଚଳିତ ଏସିଆ କପ୍‌ର ପ୍ରଥମ ମୁକାବିଲାରେ ଭାରତ ୮ ଓ୍ଵିକେଟ୍‌ରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଥିଲା। ହେଲେ ପାକିସ୍ତାନ କ୍ରିକେଟ୍‌ ଦଳ ଅନେକ ସମୟରେ ଅପ୍ରତ୍ୟାଶିତ ପ୍ରଦର୍ଶନ କରିବାର ବହୁ ଉଦାହରଣ ରହିଛି। ଯାହା ଆସନ୍ତାକାଲି ଖେଳାଯିବାକୁ ଥିବା ଦ୍ୱିତୀୟ ମୁକାବିଲା ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ତିନିଟି ମ୍ୟାଚ୍‌ରୁ ତିନିଟି ବିଜୟ ହାସଲ କରିଥିବା ଭାରତ ଏହି ମ୍ୟାଚ୍‌କୁ ଜିତି ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟରେ ରହିବ। ଅନ୍ୟ ପକ୍ଷରେ ପାକିସ୍ତାନ ବୁଧବାର ପରାଜୟର ପ୍ରତିଶୋଧ ରବିବାର ନେବା ଯୋଜନାରେ ଥିବ। ଏସିଆ କପ୍‌ରେ ପାକିସ୍ତାନକୁ ଭାରତ ୭ ଏବଂ ଭାରତକୁ ପାକିସ୍ତାନ ୫ ଥର ପରାସ୍ତ କରିଛି। ନବାଗତ ହଂକଂ ବିପକ୍ଷରେ ଭାରତ ଆଶ୍ଚର୍ଯ୍ୟଜନକ ଭାବେ ସଂଘର୍ଷ କରିଥିଲା। ହେଲେ ପାକିସ୍ତାନ ଏବଂ ବାଂଲାଦେଶ ବିପକ୍ଷରେ ସହଜ ବିଜୟ ହାସଲ କରି ଲୟକୁ ଫେରିଥିଲା। ସେପଟେ ହଂକଂକୁ ୮ ଓ୍ଵିକେଟ୍‌ରେ ହରାଇବା ପରେ ଭାରତଠାରୁ ସେହି ୮ ଓ୍ଵିକେଟ୍‌ରେ ହାରିଥିଲା ପାକିସ୍ତାନ। ଶୁକ୍ରବାର ଅବଶ୍ୟ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା। ରବିବାର କିନ୍ତୁ ପାକିସ୍ତାନ ଗତବର୍ଷର ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପ୍ରଦର୍ଶନକୁ ଦୋହରାଇବା ଆଶାରେ ଓହ୍ଲାଇବ। ଗତବର୍ଷ ଇଂଲଣ୍ଡରେ ଖେଳା ଯାଇଥିବା ଚାମ୍ପିଅନ୍ସ ଟ୍ରଫିରେ ଭାରତ ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇଥିଲା। ହେଲେ ଫାଇନାଲରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।

ବିରାଟ କୋହଲିଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଗତ ଦୁଇଟି ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଅପକ୍ଷାକୃତ ଭଲ କରିିଛି। ଶିଖର ଧାଓ୍ଵନ ଓ ଅଧିନାୟକ ରୋହିତ ଶର୍ମା ଦୃଢ଼ ମୂଳଦୁଆ ପକାଇବା ପରେ ମଧ୍ୟକ୍ରମ ମଧ୍ୟ ଆଶାଜନକ ଖେଳ ଖେଳିଛି। କେଦାର ଯାଦବ, ରବୀନ୍ଦ୍ର ଜାଦେଜା ଚମତ୍କାର କ୍ରିକେଟ୍‌ ଖେଳିଥିଲା ବେଳେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଶୁକ୍ରବାର ବେଶ୍‌ କିଛି ସମୟ କ୍ରିଜ୍‌ରେ କଟାଇଛନ୍ତି। ଯଶ୍‌ପ୍ରୀତ ବୁମରା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଗତ ମ୍ୟାଚ୍‌ ଭଳି ରବିବାର ମଧ୍ୟ ପାକ୍‌ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିବେ ବୋଲି ଆଶା କରାଯାଉଛି। ପାକିସ୍ତାନର ଶୀର୍ଷକ୍ରମ ଆପାତତଃ ଲୟକୁ ଫେରିବାର ସଂକେତ ଦେଇଛି। ହେଲେ ପ୍ରମୁଖ ବୋଲର ମହମ୍ମଦ ଆମିର ପ୍ରଭାବହୀବ ରହିବା ପାକିସ୍ତାନ ପାଇଁ ଚିନ୍ତାର କରଣ ହୋଇଛି। ତଥାପି ରବିବାର ଉଭୟ ଦଳରେ ବଡ଼ ଧରଣର ଅଦଳ ବଦଳ ହେବାର ଆଶଙ୍କା କମ୍‌।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଅମ୍ବାତି ରାୟୁଡୁ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଦୀପକ ଚହର, ମନୀଷ ପାଣ୍ଡେ, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶ୍‌ପ୍ରୀତ ବୁମ୍‌ରା।

ସମ୍ଭାବ୍ୟ ପାକିସ୍ତାନ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଇମାମ-ଉଲ୍‌-ହକ୍‌, ବାବର ଆଜମ, ସୋଏବ ମଲ୍ଲିକ, ଆସିଫ ଅଲ୍ଲୀ, ସଦାବ ଖାନ୍‌, ଫହିମ ଅସ୍ରଫ, ମହମ୍ମଦ ଆମିର, ହାସନ ଅଲ୍ଲୀ, ଉସମାନ ଖାନ୍‌, ସାହିନ୍‌ ଆଫ୍ରିଦି।

ସମ୍ବନ୍ଧିତ ଖବର