ଲର୍ଡସ: ପାକିସ୍ତାନ ପ୍ରଥମେ ୩୧୫ ରନ୍ କରିନେବା ପରେ ବାଂଲାଦେଶକୁ ମାତ୍ର ୭ ରନ୍ରେ ଅଲ୍ଆଉଟ୍ କରିଥିଲେ ସେମିଫାଇନାଲ୍ ଯୋଗ୍ୟତା ପାଇଥାନ୍ତା। କିନ୍ତୁ ଏହି ଅସାଧ୍ୟ ଲକ୍ଷ୍ୟରେ ପହଞ୍ଚି ପାରିନଥିଲେ ମଧ୍ୟ ଔପଚାରିକ ଭାବେ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି। ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇ ବିଦାୟ ନେଇଛି ୧୯୯୨ ବିଜେତା ପାକିସ୍ତାନ। ଶୁକ୍ରବାର ମ୍ୟାଚ୍ରେ ବାଂଲାଦେଶକୁ ୯୪ ରନ୍ର ବଡ଼ ବ୍ୟବଧାନରେ ହରାଇଥିଲା ପାକିସ୍ତାନ। ଇମାମ୍ ଉଲ୍ ହକଙ୍କ ଶତକ ଏବଂ ସାହିନ୍ ଆଫ୍ରିଦିଙ୍କ ୬ ୱିକେଟ୍ ବାଂଲାଦେଶକୁ ବଳି ପକାଇବାକୁ ଯଥେଷ୍ଟ ହୋଇଥିଲା। ଏହି ଫଳାଫଳ ସହିତ ପାକିସ୍ତାନ (-୦.୪୩୦)କୁ ପଛରେ ପକାଇ ୨୦୧୫ ଉପବିଜେତା ନ୍ୟୁଜିଲାଣ୍ଡ୍ (୦.୧୭୫) ସେମିଫାଇନାଲ୍ ସ୍ଥାନ ପକ୍କା କରି ନେଇଥିଲା। କେବଳ କିଏ ଶୀର୍ଷ ସ୍ଥାନ ଦଖଲ କରିବ ଶନିବାରର ଉଭୟ ମ୍ୟାଚ୍ (ଭାରତ-ଶ୍ରୀଲଙ୍କା, ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା) ନିର୍ଣ୍ଣୟ କରିବ। ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଲେ। ପାକିସ୍ତାନ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ୍, ବାଂଲାଦେଶ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଫକର ଜମାନଙ୍କୁ ସଅଳ ହରାଇଥିଲା। କିନ୍ତୁ ଇମାମ୍ ଉଲ୍ ହକ୍ (୧୦୦, ୧୦୦ ବଲ୍, ୭ ଚୌକା)ଙ୍କ ପ୍ରଥମ ବିଶ୍ବକପ୍ ଶତକ ବଳରେ ଦଳ ବଡ଼ ସ୍କୋର୍ ସମ୍ଭାବନା ରଖିଥିଲା। ବାବର ଆଜମ (୯୬, ୯୮ ବଲ୍) ଦ୍ବିତୀୟ ବିଶ୍ବକପ୍ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଇମାମଙ୍କ ସହିତ ଦ୍ବିତୀୟ ୱିକେଟ୍ ପାଇଁ ୧୫୭ ରନ୍ ଯୋଡ଼ିଥିଲେ। ଏକଦା ପାକିସ୍ତାନ ୨ ୱିକେଟ୍ ବିନିମୟରେ ୨୪୬ ରନ୍ କରିଥିଲା। ବାଂଲା ବୋଲରମାନେ କିନ୍ତୁ ଚମତ୍କାର ପ୍ରତ୍ୟାବର୍ତନ କରି ପାକିସ୍ତାନକୁ ଶେଷ ୧୦ ଓଭରରେ ଅଟକାଇ ଦେଇଥିଲେ। ଭାରତ ବିପକ୍ଷ ପ୍ରଦର୍ଶନ ଦୋହରାଇ ମୁସ୍ତାଫିଜୁର (୫/୭୫) ପୁଣି ୫ ୱିକେଟ୍ ନେଇଥିଲେ। ଅନ୍ୟ ପାକିସ୍ତାନୀଙ୍କ ମଧ୍ୟରେ େକବଳ ଇମାଦ ୱାସିମ୍ (୪୩, ୨୬ ବଲ୍) ଭଲ ବ୍ୟାଟିଂ କରିଥିଲେ। ଜବାବରେ ବାଂଲାଦେଶ କିନ୍ତୁ ଲଢ଼ି ପାରିନଥିଲା। ପଞ୍ଚମ ଅର୍ଧଶତକ (୬୬) ଏବଂ ୨ ଶତକ ସହିତ ଚଳିତ ବିଶ୍ବକପ୍ର ପ୍ରଥମ ଖେଳାଳି ଭାବେ ୬୦୦ ରନ୍ ଟପିଥିଲେ ସକିବ୍ ଅଲ୍ ହାସନ୍। ତେବେ ସାହିନ୍ ଆଫ୍ରିଦି ଚଳିତ ବିଶ୍ବକପ୍ର ପ୍ରଥମ ଖେଳାଳି ଭାବେ ୬ ୱିକେଟ୍ ନେଇ ବାଂଲାଦେଶକୁ ୫.୫ ଓଭର ପୂର୍ବରୁ ୨୨୧ ରନ୍ରେ ଅଲ୍ ଆଉଟ୍ କରି ଦେଇଥିଲେ।
ମାର୍ସଙ୍କ ସ୍ଥାନ ନେଲେ ହ୍ୟାଣ୍ଡ୍ସ୍କମ୍ବ୍
ମାଞ୍ଚେଷ୍ଟର: ଶନିବାର ବିଶ୍ବକପ୍ରେ ଅଷ୍ଟ୍ରେଲିଆ ଦଳ ତା’ର ଅନ୍ତିମ ରାଉଣ୍ଡ ରବିନ୍ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସହ ଖେଳିବ। ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ସନ୍ ମାର୍ସଙ୍କ ଆହତ ଶେଷ ଲିଗ୍ ମ୍ୟାଚ୍ ସମେତ ସେମିଫାଇନାଲ୍ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ଝଟ୍କା ଦେଇଛି। ମାର୍ସ ଆହତ ହୋଇ ଅବଶିଷ୍ଟ ବିଶ୍ବକପ୍ରୁ ବାଦ୍ ପଡ଼ିଛନ୍ତି। ମାର୍ସ ଏବେ ସ୍ବଦେଶ ଫେରିଯିବେ। ତାଙ୍କ ସ୍ଥାନରେ ପିଟର ହ୍ୟାଣ୍ଡ୍ସ୍କମ୍ବ୍ଙ୍କୁ ଦଳରେ ସାମିଲ କରାଯାଇଛି। ହ୍ୟାଣ୍ଡ୍ସ୍କମ୍ବ୍ ଏବେ ଅଷ୍ଟ୍ରେଲିଆ-ଏ ଦଳ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି। ତେଣୁ ଖୁବ୍ ଶୀଘ୍ର ସେ ଦଳ ସହ ଯୋଗଦେବେ ଏବଂ ଆବଶ୍ୟକ ପଡ଼ିଲେ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ଖେଳିପାରନ୍ତି ବୋଲି ଲାଙ୍ଗର କହିଛନ୍ତି।