ପାକିସ୍ତାନ ଖେଳାଳିଙ୍କୁ ସ୍ମାର୍ଟ ଘଣ୍ଟା ମନା

ଲର୍ଡସ: ଚଳିତ ଲର୍ଡସ ଟେଷ୍ଟ୍‍ରେ ଭଲ ସ୍ଥିତିରେ ଥିବା ପାକିସ୍ତାନକୁ କିନ୍ତୁ ଶୁକ୍ରବାର ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। କିଛି ପାକିସ୍ତାନ ଖେଳାଳିମାନେ ପିିନ୍ଧିଥିବା ସ୍ମାର୍ଟ ଘଣ୍ଟାକୁ ବାରଣ କରିଛନ୍ତି ଦୁର୍ନୀତି ନିବାରଣ ୟୁନିଟ୍‌ ଅଧିକାରୀମାନେ। ଆଇସିସିର ଖେଳାଳି ଓ ମ୍ୟାଚ୍‌ ଅଧିକାରୀଙ୍କ ନିୟମ ଅନୁସାରେ ପଡ଼ିଆରେ ସ୍ୱାର୍ଟ ଘଣ୍ଟା ପରିଧାନ କରିବା ବେଆଇନ। ବିଶେଷ କରି ପିଏମ୍‌ଓଏ (ପ୍ଲେୟାର୍‌ ଆଣ୍ଡ୍‌ ମ୍ୟାଚ୍‌ ଅଫିସିଆଲ୍‌ ଅଞ୍ଚଳ) ସୀମା ଭିତରେ ଏହାକୁ ନିଷିଦ୍ଧ କରାଯାଇଛି। ପଡ଼ିଆକୁ ଯିବା ପୂର୍ବରୁ ଖେଳାଳିମାନେ ଏଭଳି ସରଞ୍ଜାମକୁ ରଖି ଦେଇ ଯିବା ଉଚିତ୍‌। ‘ଦୁର୍ନତୀ ନିବାରଣ ୟୁନିଟ୍‌ ଅଧିକାରୀମାନେ ଆମକୁ ଭେଟି ଏସବୁ ନ ପିନ୍ଧିବାକୁ କହିବା ପରେ ଆମେ ଆଣିନାହୁଁ’ ବୋଲି ପ୍ରକାଶ କରିଛନ୍ତି ପାକିସ୍ତାନ ଖେଳାଳି ହାସନ୍‌ ଅଲୀ। କ୍ରିକେଟ୍‌କୁ ଦୁର୍ନୀତିମୁକ୍ତ ରଖିବାକୁ ବିଗତ କିଛି ବର୍ଷ ହେଲାଣି ଖେଳାଳିମାନେ ସେମାନଙ୍କ ଫୋନ୍‌ ଏବଂ ଅନ୍ୟାନ୍ୟ ସରଞ୍ଜାମକୁ ହସ୍ତାନ୍ତର କରିବାରେ କୁଣ୍ଠିତ ହେଉନାହାନ୍ତି। ଏହାକୁ ତୁରନ୍ତ ତାଲା ପକାଇ ଦିଆଯାଉଛି ଏବଂ ଷ୍ଟମ୍ପ୍‌ସ ପ୍ରତ୍ୟାହୃତ ପରେ ପୁଣି ଫେରାଇ ଦିଆଯାଉଛି। ବିଶେଷ କରି ପିଏମ୍‌ଓଏ ସୀମା ଭିତରେ ଇଣ୍ଟରନେଟ୍‌ ସଂଯୁକ୍ତ ଥିବା ମୋବାଇଲ୍‌ ଫୋନ୍‌କୁ ନିଷିଦ୍ଧ କରାଯାଇଛି। ଆଇସିସି ମୁଖପାତ୍ର କହିଛନ୍ତି ଯେ ଫୋନକୁ ସଂଯୁକ୍ତ ଆପଲ୍‌ ଘଣ୍ଟା, ଓ୍ଵାଇଫାଇ ଏବଂ ବାର୍ତା ପ୍ରେରଣ କରିପାରୁଥିବା କୌଣସି ବ୍ୟବସ୍ଥାକୁ ବାରଣ କରାଯାଇଛି।

ସମ୍ବନ୍ଧିତ ଖବର