ପାକିସ୍ତାନର ଚମତ୍କାର ଲେଉଟାଣୀ

ଦୁବାଇ: ବୋଲିଂ ପରେ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ ପାକିସ୍ତାନକୁ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‍ରେ ଲେଉଟାଣୀ ସୁଯୋଗ ଦେଇଛି। ପ୍ରଥମ ପାଳିରେ ୨୨୦ ରନ୍‌ ପଛରେ ରହିବା ଏବଂ ଦ୍ୱିତୀୟ ପାଳିରେ ୫୨ ରନ୍‌ରେ ୫ ଓ୍ଵିକେଟ୍‌ ହରାଇବା ସତ୍ତ୍ୱେ ପାକିସ୍ତାନ ବିଜୟ ସମ୍ଭାବନାକୁ କାଏମ ରଖିଛି। ୩୧୭ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ରହିଥିବାବେଳେ ସର୍ଫରାଜ ଅହମ୍ମଦଙ୍କ ଦଳ ଚତୁର୍ଥ ଦିନ ଶେଷ ସୁଦ୍ଧା ୫ ଓ୍ଵିକେଟ୍‌ରେ ୧୯୮ ରନ୍‌ କରିଥିଲା।
ସୋମବାର ସକାଳେ ଶ୍ରୀଲଙ୍କା ଏହାର ଦ୍ୱିତୀୟ ପାଳିକୁ ୩୪/୫ରୁ ଖେଳିଥିବାବେଳେ ମାତ୍ର ୯୬ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଫଳରେ ପ୍ରଥମ ପାଳିରେ କରିଥିବା ବଡ଼ ସ୍କୋର୍‌ ସୁଯୋଗ ଏକ ପ୍ରକାର ହାତଛଡ଼ା ହୋଇଯାଇଥିଲା। ଓ୍ଵାହାବ ରିଆଜ ସର୍ବାଧିକ ୪ ଏବଂ ହରିସ୍‌ ସୋହେଲ ୩ ଓ୍ଵିକେଟ୍‌ ନେଇଥିଲେ। ୟାସିର୍‌ ସାହା ୨ ଏବଂ ମହମ୍ମଦ ଆବାସଙ୍କୁ ୧ ଓ୍ଵିକେଟ୍‌ ମିଳିଥିଲା। କୁସାଲ୍‌ ମେଣ୍ଡିଜ୍‌ ସର୍ବାଧିକ ୨୯ ଏବଂ ନିରୋଶନ ଡିକ୍‌େଓ୍ଵଲା ୨୧ ରନ୍‌ କରିଥିଲେ। ୭ ଜଣ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ପ୍ରଥମ ପାଳିରେ ୨୨୦ ରନ୍‌ ପଛୁଆ ରହିଥିବାରୁ ପାକିସ୍ତାନ ସମ୍ମୁଖରେ ୩୧୭ ରନ୍‌ ଲକ୍ଷ୍ୟ ରହିଥିଲା। କିନ୍ତୁ ପାକିସ୍ତାନ ୫୨ ରନ୍‌ରେ ଅଧା ଖେଳାଳିଙ୍କୁ ହରାଇ ପରାଜୟ ମୁହାଁ ହୋଇଥିଲା। ଦିଲରୁଓ୍ଵାନ ପେରେରା ୩ ଓ୍ଵିକେଟ୍‌ ନେଇ ପାକିସ୍ତାନକୁ ପଛକୁ ଠେଲିଥିଲେ। ଏହି ସମୟରେ କିନ୍ତୁ ଅସଦ ସଫିକ୍‌ (୮୬*, ୧୪୧ ବଲ୍‌, ୮ ଚୌକା) ଏବଂ ଅଧିନାୟକ ସର୍ଫରାଜ ଅହମ୍ମଦ (୫୭*, ୧୧୩ ବଲ୍‌, ୪ ଚୌକା) ଶତକୀୟ ଭାଗୀଦାରି (୧୪୬*, ୪୦.୧ ଓଭର) କରି ପାକିସ୍ତାନକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଛନ୍ତି। ଶେଷ ଦିନରେ ପାକିସ୍ତାନକୁ ୧୧୯ ରନ୍‌ ଏବଂ ଶ୍ରୀଲଙ୍କାକୁ ୫ ଓ୍ଵିକେଟ୍‌ ଆବଶ୍ୟକ ରହିଛି। ପୂର୍ବରୁ ଶ୍ରୀଲଙ୍କା ପ୍ରଥମ ପାଳିରେ ୪୮୨ ରନ କରିଥିବାବେଳେ ପାକିସ୍ତାନ ୨୬୨ ରନ୍‌ କରିଥିଲା।

ସମ୍ବନ୍ଧିତ ଖବର