ନ୍ୟୁଜିଲାଣ୍ଡଠୁ ପ୍ରତିଶୋଧ ନେଲା ପାକିସ୍ତାନ

ସାରଜା: ପାକିସ୍ତାନ ଗସ୍ତରେ ଆସି ପ୍ରଥମ ମ୍ୟାଚ୍ ଆରମ୍ଭ ହେବାର କିଛି ମିନିଟ୍ ପୂର୍ବରୁ ଅଚାନକ ଓହରି ଯାଇଥିଲା ନ୍ୟୁଜିଲାଣ୍ଡ। ଏବେ ସେହି ଅପମାନର ପ୍ରତିଶୋଧ ନେଇଛି ପାକିସ୍ତାନ। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୨୦ତମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫ ୱିକେଟ୍‌ରେ ହରାଇ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ପାକିସ୍ତାନ। ପ୍ରଥମ ମ୍ୟାଚ୍‌ରେ ଏହି ଦଳ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ବିପକ୍ଷରେ ୧୦ ୱିକେଟ୍‌ର ବୃହତ୍ ବିଜୟ ହାସଲ କରିଥିଲା। ଏବେ କିୱି ଦଳକୁ ହରାଇ ସେମିଫାଇନାଲ୍ ଟିକେଟ ହାସଲ କରିବା ଦିଗରେ ଆତ୍ମବିଶ୍ବାସର ସହ ଅଗ୍ରସର ହୋଇଛି। ଆଜି ମାତ୍ର ୧୩୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପାକିସ୍ତାନ ୮୭ ରନ୍‌ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ନ୍ୟୁଜିଲାଣ୍ଡ ଦୃଢ଼ ସ୍ଥିତିରେ ଥିଲା ବେଳେ ଅଭିଜ୍ଞ ବ୍ୟାଟର୍‌ ସୋଏବ ମଲ୍ଲିକ (୨୬*) ଯୁବ ତାରକା ଆସିଫ ଅଲ୍ଲୀ (୨୭*)ଙ୍କ ସହ ମିଶି ଅବିଭାଜିତ ଷଷ୍ଠ ୱିକେଟ୍‌ରେ ୪୮ ରନ୍ ଯୋଡ଼ି ପାକିସ୍ତାନକୁ ୮ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ। ଘାତକ ବୋଲିଂ କରି ୪ ୱିକେଟ୍ ନେଇଥିବା ହାରିସ ରୌଫ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥି‌ଲେ।

ମଙ୍ଗଳବାର ପାକିସ୍ତାନ ଟସ୍ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ସିମ୍ ଓ ସୁଇଂକୁ ସୁହାଉଥିବା‌ ପିଚ୍‌ରେ ପାକିସ୍ତାନୀ ବୋଲର ପୁଣି ପରେ ଚମତ୍କାର ବୋଲିଂ କରି ନ୍ୟୁଜିଲାଣ୍ଡକୁ ନିୟମିତ ବ୍ୟବଧାନରେ ଝଟ୍‌କା ଦେଇ ଚାଲିଥିଲେ। ଫଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୩୪ ରନ୍ କରି ପାରିଥିଲା। ଓପନର୍‌ ଡାରିଲ ମିଚେଲ୍‌ ଏବଂ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଡେଭନ କନୱେ ୨୭ ରନ୍ ଲେଖାଏଁ କରିଥିଲେ। ଠିକଣା ସମୟରେ ଅଧିନାୟକ କେନ୍ ୱିଲିୟମସନ୍ (୨୫) ରନ୍‌ଆଉଟ୍ ହେବା ନ୍ୟୁଜିଲାଣ୍ଡକୁ ସବୁଠାରୁ ବେଶି ବାଧିଥିଲା। ପାକିସ୍ତାନର ସଫଳତମ ବୋଲର ଭାବେ ହାରିସ ରୌଫ ୨୨ ରନ୍ ଦେଇ ୪ ୱିକେଟ୍ କରାୟତ୍ତ କରିଥିଲେ। ଭାରତ ବିପକ୍ଷରେ ଘାତକ ବୋଲିଂ କରିଥିବା ସାହିନ ସାହ ଆଫ୍ରିଦି ୨୧ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଦୁଇ ସ୍ପିନର ଇମଦ ୱାସିମ ଓ ମହମ୍ମଦ ହାଫିଜଙ୍କୁ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।

ସମ୍ବନ୍ଧିତ ଖବର