ସୁରକ୍ଷା ବଳୟରେ ପାକିସ୍ତାନ

ଭୁବନେଶ୍ବର: ବିଶ୍ବ ମାନ୍ୟତାର ୩ ନମ୍ବର ଦଳ ବେଲ୍‌ଜିୟମ ତଥା ୪ ନମ୍ବର ନେଦରଲାଣ୍ଡ ସହିତ ଚର୍ଚିତ ୧୩ ନମ୍ବର ଦେଶ ପାକିସ୍ତାନ ଦଳ ଶନିବାର ଭୁବନେଶ୍ବର ପହଞ୍ଚିଛନ୍ତି। ରବିବାର ଶେଷ ଦଫାରେ ଜର୍ମାନି, ଆୟର୍ଲାଣ୍ଡ ଏବଂ ମାଲେସିଆ ପହଞ୍ଚିବେ। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପାରମ୍ପରିକ ପଡ଼ୋଶୀ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଦଳକୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଥିଲା। ଯାହାକି ଅନ୍ୟ ଦଳଗୁଡ଼ିକ କ୍ଷେତ୍ରରେ ପରିଲକ୍ଷିତ ହୋଇନଥିଲା। ପୁଲ ‘ଡି’ରେ ଜର୍ମାନି, ମାଲେସିଆ, ନେଦରଲାଣ୍ଡ ସହିତ ସ୍ଥାନ ପାଇଛି ପାକିସ୍ତାନ। ଏହି ଗ୍ରୁପ୍‌କୁ ‘ପୁଲ୍‌ ଅଫ୍ ‌‌ଡେଥ୍‌’ କୁହାଯାଉଛି। ଭୁବନେଶ୍ବର ଦର୍ଶକଙ୍କ ସମ୍ମୁଖରେ ଖେଳିବାର ମଜା ଅଛି। ପ୍ରଥମରୁ ଆମେ ଭଲ ଖେଳିବା ଲକ୍ଷ୍ୟରେ ରହିଛୁ ଏବଂ ପ୍ରତି ମ୍ୟାଚ୍‌ରେ ଶ୍ରେଷ୍ଠ ଦେଖାଇବାକୁ ପଡ଼ିବ ବୋଲି କହିଛନ୍ତି ନେଦରଲାଣ୍ଡର ମୁଖ୍ୟ ପ୍ରଶିକ୍ଷକ ମ୍ୟାକ୍ସ କାଲଡାସ। ଆମେ ଚଳିତ ଋତୁରେ ପ୍ରାୟ ସବୁ ମ୍ୟାଚ୍ ଜିତିଛୁ ଏବଂ ବିଶ୍ବକପ୍ ପାଇଁ ୩ ମାସ ଆଗରୁ ପ୍ରସ୍ତୁତ ହୋଇଛୁ ବୋଲି କହିଛନ୍ତି ଅଭିଜ୍ଞ ଖେଳାଳି ବିଲି ବେକର। ଭୁବନେଶ୍ବରରେ ଦର୍ଶକମାନେ ପ୍ରବଳ ସଂଖ୍ୟାରେ ଆସନ୍ତି ଏବଂ ଏହାକୁ ଆମେ ଉପଭୋଗ କରୁ ବୋଲି କହିଛନ୍ତି ବେକର। ସେହିଭଳି ଭାରତର ବଡ଼ ପ୍ରତିଦ୍ବନ୍ଦ୍ବୀ ବେଲଜିୟମ ମଧ୍ୟ କଳିଙ୍ଗ ଷ୍ଟାଡିୟମକୁ ନେଇ ଢ଼େର ଉତ୍ସାହିତ ବୋଲି କହିଛି। ୩ ମାସ ଧରି ବିଶ୍ବକପ୍ ପ୍ରସ୍ତୁତି ପରେ ଆସିଛୁ, କଡ଼ା ଅଭ୍ୟାସ ବି କରିଛୁ। ଦଳର ସମସ୍ତ ଖେଳାଳି ବାସ୍ତବରେ ଶାରୀରିକ ଭାବେ ଫିଟ୍ ଓ ଶାଣୀତ ଅଛନ୍ତି ବୋଲି କହିଛନ୍ତି ବେଲଜିୟମ ଅଧିନାୟକ ଥମାସ ବ୍ରିଏଲ୍ସ।

କଳିଙ୍ଗ ଷ୍ଟାଡିୟମ ଆମ ପାଇଁ ‘ଲକି’: ରିଜ୍‌ୱାନ
ଭୁବନେଶ୍ବର: ପାକିସ୍ତାନ ଦଳକୁ ଭୁବନେଶ୍ବରରେ ଭବ୍ୟ ସ୍ବାଗତ ସମ୍ବର୍ଧନା ମିଳିଛି। ବିମାନବନ୍ଦରଠାରୁ ଆରମ୍ଭ କରି ସ୍ବସ୍ତି ପ୍ରିମିୟମ ହୋଟେଲ ପର୍ଯ୍ୟନ୍ତ ଏହି ଦେଶର ଖେଳାଳିଙ୍କୁ ସ୍ବାଗତ କରାଯାଇଛି। ବିଶେଷ କରି ହୋଟେଲରେ ଅଭ୍ୟର୍ଥନାରେ ବି ପାକ ଖେଳାଳିମାନେ ସନ୍ତୁଷ୍ଟ ହୋଇଛନ୍ତି। ଶନିବାର ପୂର୍ବାହ୍ନରେ ୱାଘା ସୀମା ଅତିକ୍ରମ କରିଥିବା ପାକିସ୍ତାନ ଦଳ ରାତିରେ ଭୁବନେଶ୍ବର ପହଞ୍ଚିଥିଲେ। ପାକିସ୍ତାନ ଦଳର ଅଧିନାୟକ ମହମ୍ମଦ ରିଜୱାନ ସିନିଅର ବିଶ୍ବକପ୍‌କୁ ନେଇ ଆଶାବାଦୀ ଏବଂ ଉଲ୍ଲସିତ ବୋଲି ପ୍ରକାଶ କରିଛନ୍ତି। ଶେଷ ଥର ପାଇଁ ଆମେ ୨୦୧୪ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିଥିଲୁ। କଳିଙ୍ଗ ଷ୍ଟାଡିୟମରେ ଖେଳିବା ସବୁବେଳେ ଉପଭୋଗ୍ୟ ଏବଂ ଏଭଳି ଏକ ଭାଗ୍ୟଶାଳୀ ସହରକୁ ଫେରିଥିବାରୁ ଆମେ ଖୁସୀ ବୋଲି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପ୍ରକାଶ କରିଥିଲେ ରିଜୱାନ। ସେହିଭଳି ପାକିସ୍ତାନ ପୁଲ୍ ଅଫ ଡେଥ୍ ‘ଡି’ରେ ଥିବାରୁ କିମ୍ବଦନ୍ତୀ ସେଣ୍ଟର୍ ଫରୱାର୍ଡ ତଥା ଦଳର ପ୍ରବଂଧକ ହାସନ୍ ସର୍ଦାର କହିଥିଲେ ପ୍ରତିଟି ମ୍ୟାଚ୍ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଜର୍ମାନି, ନେଦରଲାଣ୍ଡ ଏବଂ ମାଲେସିଆ ଭଳି ଦଳ ସହ ଗୋଟିଏ ଗ୍ରୁପ୍‌ରେ ଥିବାରୁ ପ୍ରତି ମ୍ୟାଚକୁ ନକ୍ ଆଉଟ୍ ଭାବି ‌ଖେଳିବାକୁ ପଡ଼ିବ। ଜର୍ମାନି ବିପକ୍ଷ ପ୍ରଥମ ମ୍ୟାଚରୁ ହିଁ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସମସ୍ତ ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ମୁଁ ଶୁଭେଚ୍ଛା ଜଣାଉଛି। ସମସ୍ତ ୧୬ ଦେଶ ଭାରତୀୟଙ୍କୁ ଭଲ ଖେଳ ଦେଖାଇବେ‌ ଏବଂ ବିଶ୍ବବାସୀ ମଧ୍ୟ ହକି ମ୍ୟାଚକୁ ଉପଭୋଗ କରିବେ ବୋଲି ସର୍ଦାର ଆଶା କରିଥିଲେ।

ସମ୍ବନ୍ଧିତ ଖବର