ନୂଆଦିଲ୍ଲୀ: ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ସମସ୍ତେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍କୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ। କିନ୍ତୁ ଭାରତ ନୁହେଁ, ଆଉ ଏକ ପଡ଼ୋଶୀ ଦେଶକୁ ସମ୍ମୁଖୀନ ହେବାକୁ ଡରୁଛି ପାକିସ୍ତାନ । ସେହିଦେଶ ହେଉଛି ଆଫଗାନିସ୍ତାନ । ଆଫଗାନିସ୍ତାନ କ୍ରିକେଟ ଜଗତରେ ଅପେକ୍ଷାକୃତ ନୂଆଦେଶ ହୋଇଥିଲେ ବି ଅଳ୍ପକିଛି ବର୍ଷ ମଧ୍ୟରେ ଏହା ନିଜକୁ ପ୍ରତିଷ୍ଠିତ କରିପାରିଛି । ବିଶେଷକରି ଆଫଗାନିସ୍ତାନର ସ୍ପିନ ଆକ୍ରମଣ ବିଶ୍ବର ସବୁଠାରୁ ଘାତକ ।
ଏହି କାରଣରୁ ବିଶ୍ବକପ୍ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପୂର୍ବରୁ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ର ଭେନ୍ୟୁ ପରିବର୍ତ୍ତନ କରିବାକୁ ଆଇସିସିକୁ ଦାବି କରିଥିଲା ପାକିସ୍ତାନ । କିନ୍ତୁ ଆଇସିସି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା । ଏବେ ଦଳର ମୁଖ୍ୟ ପ୍ରଶିକ୍ଷକ ମିକି ଆର୍ଥର ମଧ୍ୟ ସ୍ୱୀକାର କରିଛନ୍ତି ଯେ ଭେନ୍ୟୁ ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା।
ସିଡ୍ୟୁଲ ଅନୁସାରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମ୍ୟାଚ ବାଙ୍ଗାଲୋରରେ ଖେଳାଯିବାକୁ ଥିବା ଚେନ୍ନାଇର ଚିପକରେ ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ ଖେଳ ହେବ। କିନ୍ତୁ ପାକିସ୍ତାନ ଚିପକ ପରି ସ୍ପିନ ପିଚରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ଚାହୁଁନାହିଁ । କାରଣ ଆଫଗାନିସ୍ତାନର ସ୍ପିନ ଆକ୍ରମଣ ଏବେ ବିଶ୍ବରେ ଏକ ଶ୍ରେଷ୍ଠ ସ୍ପିନ ଆକ୍ରମଣ ବୋଲି କୁହାଯାଉଛି । ଏଣୁ ପାକିସ୍ତାନର ବ୍ୟାଟରମାନେ ଚେନ୍ନାଇର ସ୍ପିନ ପିଚରେ ସେମାନଙ୍କୁ ସମ୍ମୁଖୀନ ହେବାକୁ ଚାହୁଁନାହାନ୍ତି ।