ଶୀର୍ଷ ୪ ପାକିସ୍ତାନୀଙ୍କ ଶତକ: ପରାଜୟ ଦ୍ୱାରରେ ଶ୍ରୀଲଙ୍କା

କରାଚି : ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଅନ୍ତର୍ଗତ ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଶ୍ରୀଲଙ୍କା ପରାଜୟ ଦ୍ବାରରେ ଛିଡ଼ା‌ ହୋଇଛି। ଶ୍ରୀଲଙ୍କା ସମ୍ମୁଖରେ ୪୭୬ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଭ୍ରମଣକାରୀ ଦଳ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୨୧୨ ରନ୍‌ରେ ୭ ୱିକେଟ୍ ହରାଇ ଦେଇଛି। ସୋମବାର ପଞ୍ଚମ ତଥା ‌ଶେଷ ଦିନରେ ପାକିସ୍ତାନକୁ ମାତ୍ର ୩ ୱିକେଟ୍ ଏବଂ ଶ୍ରୀଲଙ୍କାକୁ ୨୬୪ ରନ୍ ଆବଶ୍ୟକ ପଡୁଛି।

ପ୍ରଥମ ପାଳିରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପାକିସ୍ତାନ କିନ୍ତୁ ଦ୍ବିତୀୟ ପାଳିରେ ଚମତ୍କାର ପ୍ରତ୍ୟାବର୍ତନ କରି ୫୫୫/୩ରେ ପାଳି ଘୋଷଣା କରିଥିଲା। ଦଳର ପ୍ରଥମ ୪ ଜଣ ବ୍ୟାଟସମ୍ୟାନ୍‌ ଶତକ ହାସଲ କରିବା ଥିଲା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦ୍ବିତୀୟ ଘଟଣା। ଶନିବାର ଆବିଦ ଅଲୀ (୧୭୪), ସନ୍ ମାସୁଦ୍ (୧୩୫) ନିଜ ନିଜ ଶତକ ସହିତ ଦ୍ବିଶତକ ଭାଗୀଦାରି ଗଢ଼ିଥିଲେ। ରବିବାର ଅଧିନାୟକ ଆଝାର ଅଲୀ (୧୧୮, ୧୫୭ ବଲ୍‌) ଏବଂ ବାବର ଆଜମ (୧୦୦*, ୧୩୧ ବଲ୍‌) ମଧ୍ୟ ତିନି ଅଙ୍କ ସ୍କୋର୍‌ କରିଥିଲେ। ଟେଷ୍ଟ୍ କ୍ରିକେଟ୍‌ରେ ପ୍ରଥମ ୪ ଜଣ ଶତକ ହାସଲ କରିବା ଘଟଣା ପୂର୍ବରୁ ଥରେ ମାତ୍ର ନଜରକୁ ଆସିଥିଲା। ୨୦୦୭ ମସିହାରେ ମୀରପୁର ଟେଷ୍ଟ୍‌ରେ ବାଂଲାଦେଶ ବିପକ୍ଷରେ ଭାରତର ଦୀନେଶ କାର୍ତିକ (୧୨୯), ୱାସିମ୍ ଜାଫର (୧୩୮*), ରାହୁଲ ଦ୍ରାବିଡ଼ (୧୨୯) ଏବଂ ସଚିନ ତେନ୍ଦୁଲକର (୧୨୨*) ଶତକ ହାସଲ କରିଥିଲେ। ପାକିସ୍ତାନର ୪ ଶତକ କିନ୍ତୁ ଦ୍ବିତୀୟ ପାଳିରୁ ମିଳିବା ପ୍ରଥମ ଉଦାହରଣ। ପୂର୍ବରୁ ଶୀର୍ଷ ୪ ଜଣଙ୍କ ମଧ୍ୟରୁ ଦ୍ବିତୀୟ ପାଳିରେ ୩ ଜଣ ଖେଳାଳି ଶତକ ହାସଲ କରିବାର ୪ଟି ଉଦାହରଣ ରହିଥିଲା।
କେବଳ ପାକିସ୍ତାନ ନୁହେଁ ଶ୍ରୀଲଙ୍କା ପାଳିରେ ମଧ୍ୟ ଗୋଟିଏ ଶତକ ନଜରକୁ ଆସିଛି। ବିଶ୍ବ ଫର୍ନାଣ୍ଡୋ (୧୦୨*, ୧୭୫ ବଲ୍‌)ଙ୍କ ସତ୍ତ୍ବେ ଶ୍ରୀଲଙ୍କା ୪୭୬ ରନ୍‌କୁ ପିଛା କରି ୭ ୱିକେଟ୍ ବିନିମୟରେ ୨୧୨ ରନ୍ କରି ପରାଜୟ ମୁହାଁ ହୋଇଛି। ୱିକେଟ୍‌ରକ୍ଷକ ନିରୋସାନ ଡିକୱାଲା (୬୫, ୭୬ ବଲ୍) ସାମୟିକ ଲଢ଼ିଥିଲେ ମଧ୍ୟ ଏହା ବେକାର ଯିବା ସମ୍ଭାବନା ଅଧିକ। ପାକିସ୍ତାନ ପକ୍ଷରୁ ନସିମ୍ ସାହା ସର୍ବାଧିକ ୩ ୱିକେଟ୍ ନେଇଛନ୍ତି। ସୂଚନାଯୋଗ୍ୟ, ଦୀର୍ଘ ୧୦ ବର୍ଷ ପରେ ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ୍ ଫେରିଥିବା ବେଳେ ଚଳିତ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ ବର୍ଷାରେ ବର୍ଷାରେ ଅମୀମାଂସିତ ରହିଥିଲା।

ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ: ୧୯୧ ଏବଂ ୫୫୫/୩, ଘୋଷିତ (ଆବିଦ୍‌ ଅଲ୍ଲୀ-୧୭୪, ସନ୍‌ ମାସୁଦ୍‌-୧୩୫, ଆଝାର ଅଲ୍ଲୀ-୧୧୮, ବାବର ଆଜମ-୧୦୦*, ମହମ୍ମଦ ରିଜୱାନ-୨୧*, ଲାହିରୁ କୁମାରା-୨/୧୩୯)। ଶ୍ରୀଲଙ୍କା: ୨୭୧ ଏବଂ ୬୦.୧ ଓଭରରେ ୨୧୨/୭ (ବିଶ୍ବ ଫର୍ନାଣ୍ଡୋ-୧୦୨*, ନିରୋଶାନ୍ ଡିକୱାଲା-୬୫, ନସିମ୍ ସାହା-୩/୩୧)।

ସମ୍ବନ୍ଧିତ ଖବର