ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ରେ ପାକିସ୍ତାନ କିଛି ସ୍ଥାନରେ ଖେଳିବାକୁ ରାଜି ହେଉନଥିବା ଜଣାପଡ଼ିଛି। ବିଶେଷ କରି ଚେନ୍ନାଇରେ ଆଫଗାନିସ୍ତାନ ଓ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନ ତାହାର ମ୍ୟାଚ୍ ଖେଳିବାକୁ ଚାହୁନି। ବିଶ୍ବକପ୍ ସୂଚୀ ଘୋଷଣା ହେବା ପୂର୍ବରୁ ଆଇସିସି ସମସ୍ତ ସଦସ୍ୟ ଦଳମାନଙ୍କୁ ଚିଠା ସୂଚୀରେ ପରିବର୍ତ୍ତନ ଆବଶ୍ୟକତା ଥିଲେ ପ୍ରସ୍ତାବ ଦେବା ପାଇଁ ପରାମର୍ଶ କରିଛି। କିନ୍ତୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୋର୍ଡର ତଥ୍ୟ, ବିଶ୍ଲେଷଣ ଓ ଦଳୀୟ ରଣନୀତି ବିଶେଷଜ୍ଞମାନଙ୍କୁ ଖେଳସୂଚୀ ଅନୁଧ୍ୟାନ କରିବାକୁ କୁହାଯାଇଥିଲା। କିନ୍ତୁ ଚେନ୍ନାଇ ଓ ବେଙ୍ଗାଲୁରୁରେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବା ସପକ୍ଷରେ ଏହି ବିଶେଷଜ୍ଞମାନେ ନାହାନ୍ତି ବୋଲି ଜଣାପଡ଼ିଛି।
ଚେନ୍ନାଇ ପିଚ୍ ସ୍ପିନରଙ୍କୁ ସହାୟତା ଦେଉଥିବାରୁ ରସିଦ ଖାନ୍ ଓ ନୂର ଅହମଦଙ୍କୁ ସାମ୍ନା କରିବାକୁ ପାକିସ୍ତାନ ଭୟ କରୁଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ବ୍ୟାଟରଙ୍କୁ ଅଧିକ ସହାୟତା ମିଳିବ। ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଖେଳିବାକୁ ପାକିସ୍ତାନ କାହିଁକି ଚାହୁନାହିଁ ତାହା ବୁଝାପଡୁନାହିଁ। କିନ୍ତୁ ଦଳୀୟ ଚୟନକର୍ତ୍ତାମାନେ ଏହି ସ୍ଥାନକୁ ପସନ୍ଦ କରୁନଥିବା ଜଣାପଡ଼ିଛି। ତେଣୁ ଏହି ଦୁଇ ସ୍ଥାନ ଓ ଦଳ ମଧ୍ୟରେ ଅଦଳବଦଳ ପାଇଁ ପାକିସ୍ତାନ ପ୍ରସ୍ତାବ ଦେବାକୁ ଯାଉଛି। ଚେନ୍ନାଇରେ ଅଷ୍ଟ୍ରେଲିଆ ଏବଂ ବେଙ୍ଗାଲୁରୁରେ ଆଫଗାନିସ୍ତାନ ବିପକ୍ଷରେ ପାକିସ୍ତାନ ଖେଳିବ ବୋଲି ବିସିସିଆଇ ଓ ଆଇସିସିକୁ ପ୍ରସ୍ତାବ ଆସିପାରେ। କିନ୍ତୁ ବିସିସିଆଇର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଇସିସି ଏହାର ସଦସ୍ୟ ଦଳଙ୍କଠୁ ପରାମର୍ଶ ମାଗିବା କେବଳ ଏକ ପ୍ରୋଟୋକଲ୍। ଯଦି ସୂଚୀରେ କେହି କିଛି ପରିବର୍ତ୍ତନ କରିବାକୁ ଚାହୁଛନ୍ତି, ତାହେଲେ ତାହାର ଦୃଢ଼ କାରଣ ଦର୍ଶାଇବା ଆବଶ୍ୟକ। ପୂର୍ବରୁ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାକୁ ପାକିସ୍ତାନ ଭାରତକୁ ଆସିଥିଲା ବେଳେ ସୁରକ୍ଷା ଜନିତ କାରଣ ପାଇଁ ଧର୍ମଶାଳା ମ୍ୟାଚ୍ କୋଲ୍କାତାକୁ ପରିବର୍ତ୍ତନ କରିଥିଲା। ଏବେ ଯଦି କୌଣସି ଦଳ ତାହାର ଶକ୍ତି ଓ ସାମର୍ଥ୍ୟ ଅନୁସାରେ ସ୍ଥାନ ବଦଳାଇବାକୁ ଚାହେଁ, ତାହେଲେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା କଷ୍ଟକର ହୋଇପାରେ। ଏହାବାଦ୍ ଅକ୍ଟୋବର ୧୫ ତାରିଖ ପାଇଁ ଧାର୍ଯ୍ୟ ହୋଇଥିବା ଭାରତ ବିପକ୍ଷ ମ୍ୟାଚ୍ ଉପରେ ପାକିସ୍ତାନର କୌଣସି ଆପତ୍ତି ନଥିବା ଜଣାପଡ଼ିଛି। ବିଶ୍ବକପ୍ରେ ପାକିସ୍ତାନ ତାହାର ପ୍ରଥମ ଦୁଇ ମ୍ୟାଚ୍ ହାଇଦ୍ରାବାଦ୍ରେ ଖେଳିବ। ଏହାପରେ ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଓ ଅହମଦାବାଦ୍ରେ ଅନ୍ୟମ୍ୟାଚ୍ଗୁଡ଼ିକ ଖେଳିବା ପାଇଁ ଚିଠା ସୂଚୀରେ ଦର୍ଶାଯାଇଛି।
ଭାରତରେ ଖେଳିବାକୁ ପାକିସ୍ତାନ ନଯାଉ: ମିଆଁଦାଦ୍
ପାକିସ୍ତାନର କିଂବଦନ୍ତି କ୍ରିକେଟର ଜାଭେଦ୍ ମିଆଁଦାଦ୍ ଭାରତ ସହିତ ଚାଲିଥିବା କ୍ରିକେଟ୍ ବିବାଦରେ ନୂଆ ବିବାଦ ପୁରାଇଛନ୍ତି। ତାଙ୍କ ମତରେ ଭାରତରେ ବିଶ୍ବକପ୍ ଖେଳିବାକୁ ପାକିସ୍ତାନ ଯିବା ଉଚିତ ନୁହେଁ। ଏସିଆ କପ୍ରେ ଖେଳିବାକୁ ଭାରତ ଯେପର୍ଯ୍ୟନ୍ତ ପାକିସ୍ତାନକୁ ଆସିନାହିଁ, ସେପର୍ଯ୍ୟନ୍ତ ପାକିସ୍ତାନ ସେପଟକୁ ଯିବା ଠିକ୍ ହେବ ନାହିଁ ବୋଲି ମିଆଁଦାଦ୍ କହିଛନ୍ତି। ସେ କହିଛନ୍ତି ଯେ, ଏଥିପୂର୍ବରୁ ପାକିସ୍ତାନ ୨୦୧୨ ଓ ୨୦୧୬ରେ ଭାରତକୁ ଖେଳିବା ପାଇଁ ଯାଇଥିଲା। ଏବେ ଭାରତ ଏଠାକୁ ଆସୁ। ପାକିସ୍ତାନ ସବୁବେଳେ ଭାରତ ସହ ଖେଳିବାକୁ ଭଲପାଏ, କିନ୍ତୁ ଭାରତ ମଧ୍ୟ ସେହିଭଳି ବ୍ୟବହାର ଦେଖାଉ। ପାକିସ୍ତାନ କ୍ରିକେଟ୍ ଏବେ ବହୁତ ଆଗକୁ ବଢ଼ିଯାଇଛି। ଆମ ପାଖରେ ଗୁଣାତ୍ମକ ଖେଳାଳି ଅଛନ୍ତି। ତେଣୁ ପାକିସ୍ତାନ ବିଶ୍ବକପ୍ ଖେଳିବାକୁ ଭାରତକୁ ନଗଲେ ଆମ ପାଇଁ ବିଶେଷ ଫରକ ପକାଇବନି ବୋଲି ମିଆଁଦାଦ୍ କହିଛନ୍ତି।