ଲାହୋର: ଫୁଟ୍ବଲ୍ ପାଇଁ ବ୍ରାଜିଲ ଯାହା, କ୍ରିକେଟ୍ ପାଇଁ ପାକିସ୍ତାନ ତାହା। ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ୱାସିମ ଆକ୍ରମ ଏଭଳି ଭାବନା ବ୍ୟକ୍ତ କରିଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ତାରକା ଡିନ୍ ଜୋନ୍ସଙ୍କ ଯୁ-ଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଆକ୍ରମ କହିଛନ୍ତି ଯେ ପାକିସ୍ତାନରେ ପ୍ରତିଭାର ଅଭାବ ନାହିଁ। ‘‘ଏହା କ୍ରିକେଟ୍ର ବ୍ରାଜିଲ ଭଳି।’’ ଅଷ୍ଟ୍ରେଲୀୟମାନେ ପାକିସ୍ତାନକୁ କ୍ରିକେଟ୍ ପ୍ରତିଭାର ଖଣି ଭାବନ୍ତି ବୋଲି ଜୋନ୍ସ ଏହି ଅବସରରେ ମନେ ପକାଇଦେବା ପରେ ଆକ୍ରମ ଏଭଳି ଉତ୍ତର ଦେଇଥିଲେ। ବ୍ରାଜିଲ ବିଶ୍ବ ଫୁଟ୍ବଲର ସବୁଠାରୁ ଶକ୍ତିଶାଳୀ ଦଳର ମାନ୍ୟତା ଲାଭ କରିଥିଲା ବେଳେ ଏହି ଲାଟିନ୍ ଆମେରିକୀୟ ଦେଶ ସର୍ବାଧିକ ୫ ଥର ବିଶ୍ବକପ୍ ଜିତିଛି। ଅନ୍ୟପକ୍ଷରେ ପାକିସ୍ତାନକୁ କ୍ରିକେଟ୍ର ପାୱାର ହାଉସ୍ କୁହାଯାଉଥିଲେ ମଧ୍ୟ ଅନେକ ସମୟରେ ଏହି ଦେଶ ନିଜ ଅସ୍ଥିର ଓ ଅପ୍ରତ୍ୟାଶିତ ପ୍ରଦର୍ଶନ ପାଇଁ ସମାଲୋଚିତ ହୋଇଥାଏ। ବିଶ୍ବ କ୍ରିକେଟ୍ରେ ପାକିସ୍ତାନ କାହିଁକି ସ୍ବତନ୍ତ୍ର ସ୍ଥାନ ଅଧିକାର କରେ? ଏହାକୁ ବୁଝାଇବାକୁ ଯାଇ ଅଷ୍ଟ୍ରେଲିଆ ପକ୍ଷରୁ ୫୨ ଟେଷ୍ଟ ଓ ୧୬୪ ଦିନିକିଆ ଖେଳିଥିବା ଜୋନ୍ସ କହିଥିଲେ ଯେ ପାକିସ୍ତାନ ଖେଳାଳିଙ୍କ କ୍ରିକେଟ୍ କୌଶଳ ସମସ୍ତଙ୍କଠାରୁ ନିଆରା, ସେମାନଙ୍କ ଭାବନା ସମସ୍ତଠାରୁ ଭିନ୍ନ। ବିଶେଷ କରି ୱାସିମ ଆକ୍ରମ, ସୋଏବ ଅଖତର, ୱାକର ୟୁନୁସ, ଅବଦୁଲ କାଦିର, ମୁସ୍ତାକ ଅହମ୍ମଦଙ୍କ ଭଳି ବୋଲର ବିଶ୍ବକୁ ଦେଇ ପାକିସ୍ତାନ ଏକଥା ପ୍ରମାଣ କରି ସାରିଛି। ଜୋନ୍ସ ମଧ୍ୟ ୧୯୯୨ ମସିହାରେ ପାକିସ୍ତାନ ବିଶ୍ବକପ୍ ଜିତିବାର ମହତ୍ବ ବୁଝାଇଥିଲେ। ସେ କହିଥିଲେ ‘‘ କ୍ରିକେଟ୍ ପାକିସ୍ତାନର ଗୁଣସୂତ୍ରରେ ଅଛି। ବହୁ ପୂର୍ବରୁ କ୍ରିକେଟ୍ ଏଠାରେ କାୟା ବିସ୍ତାର କରି ସାରିଥିଲା। ହେଲେ ଅଶି ଦଶକରେ ଇମ୍ରାନ୍ ଖାନ୍ ଅଧିନାୟକ ହେବା ପରେ ପାକିସ୍ତାନ କ୍ରିକେଟ୍ ନୂଆ ସ୍ତରକୁ ଉଠିଥିଲା। ୧୯୯୨ ମସିହାରେ ଏକ ଲକ୍ଷ ଲୋକଙ୍କ ସମ୍ମୁଖରେ ଇଂଲଣ୍ଡକୁ ପାକିସ୍ତାନ ହରାଇବା ବହୁତ ବଡ଼ କଥା ଥିଲା।’’ ଆକ୍ରମ ମଧ୍ୟ ଏହି ବିଷୟରେ ଜୋନ୍ସଙ୍କ ସହ ଏକମତ ହୋଇଥିଲେ। ୧୯୯୨ ବିଶ୍ବକପ୍କୁ ମନେ ପକାଇ ଆକ୍ରମ କହିଥିଲେ ଯେ ଅଷ୍ଟ୍ରେଲିଆ ଫାଇନାଲ ଖେଳିବ ବୋଲି ଅନେକ ସ୍ଥାନୀୟ ଦର୍ଶକ ଭାବିଥିଲେ। ସେଥିପାଇଁ ସେମାନେ ମେଲବର୍ନରେ ଖେଳାଯିବାକୁ ଥିବା ଫାଇନାଲ ଲାଗି ବହୁ ସଂଖ୍ୟାରେ ଟିକେଟ୍ କିଣିଥିଲା। ହେଲେ ଏହା ହୋଇପାରି ନଥିଲା। ସେଥିପାଇଁ ଫାଇନାଲରେ ସେମାନେ ଇଂଲଣ୍ଡ ବଦଳରେ ପାକିସ୍ତାନକୁ ସମର୍ଥନ କରିଥିଲେ।
ପାକିସ୍ତାନ ହେଉଛି କ୍ରିକେଟ୍ର ବ୍ରାଜିଲ: ଆକ୍ରମ
/sambad/media/post_attachments/wp-content/uploads/2020/04/download-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)