ଲାହୋର: ଆଇସିସି ଚାମ୍ପିଅନ୍ସ ଟ୍ରଫି ୭ବର୍ଷର ବ୍ୟବଧାନ ପରେ ଆୟୋଜିତ ହେବାକୁ ଯାଉଛି। ପାକିସ୍ତାନ ଏହି ବହୁଦେଶୀୟ ପ୍ରତିଯୋଗିତାକୁ ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୯ ତାରିଖ ମଧ୍ୟରେ ଆୟୋଜନ କରିବ। ତେବେ ଏଥିରେ ଅଂଶଗ୍ରହଣ କରିବା ଲାଗି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ସେଠାକୁ ଯିବା ନେଇ ଏବେବି ସଂଶୟ ଜାରି ରହିଛି। ବିସିସିଆଇ ହାଇବ୍ରିଡ୍ ମଡେଲରେ ଭାରତର ସମସ୍ତ ମ୍ୟାଚ୍ ପାକିସ୍ତାନ ବାହାରକୁ ସ୍ଥାନାନ୍ତର କରିବାକୁ ଚାହୁଥିବା ବେଳେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସବୁ ମ୍ୟାଚ୍ ଘରୋଇ ପରିବେଶରେ କରିବା ଜିଦ୍ରେ ଅଟଳ ରହିଛି। ତେବେ ବିସିସିଆଇ ସଭାପତି ଜୟ ଶାହ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରିବାର ସମ୍ଭାବନା ବଢ଼ିଛି ବୋଲି ପାକିସ୍ତାନର ପୂର୍ବତନ ଅଧିନାୟକ ରସିଦ ଲତିଫ କହିଛନ୍ତି।
ସେ କହିଛନ୍ତି, ଜୟ ଶାହ ନିର୍ବିବାଦୀୟ ଭାବେ ଆଇସିସିର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ତା’ମାନେ ହେଉଛି ସେ ମଧ୍ୟ ପିସିବିର ସମର୍ଥନ ପାଇଛନ୍ତି। ଏଣୁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଆସିବାର ସମ୍ଭାବନା ୫୦ ପ୍ରତିଶତ ରହିଛି। କାରଣ ଜୟ ଶାହ କ୍ରିକେଟ୍ର ଉନ୍ନତି ପାଇଁ ବହୁତ ଭଲଭଲ ପଦକ୍ଷେପ ନେଇଛନ୍ତି। ଚାମ୍ପିଅନ୍ସ ଟ୍ରଫି ସଫଳ ହେଉ ବୋଲି ସେ ନିଶ୍ଚିତ ଭାବେ ଚାହିବେ।