ଇସଲାମାବାଦ୍‌: ଯଦି ଚଳିତ ବର୍ଷ ଏସିଆ କପ୍‌ରେ ପାକିସ୍ତାନ ଅଂଶଗ୍ରହଣ ନକରେ ତାହେଲେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ୩ ମିଲିଅନ୍‌ ଡଲାର ହରାଇବ ବୋଲି ଏହାର ଅଧ୍ୟକ୍ଷ ନଜମ ସେଠୀ କହିଛନ୍ତି। ‌ଯଦି ପିସିବି ପ୍ରସ୍ତାବିତ ହାଇବ୍ରିଡ୍‌ ମୋଡ୍‌ ଅନୁଯାୟୀ ଭାରତ ଏସିଆ କପ୍‌ରେ ଖେଳେ ଓ ପାକିସ୍ତାନ ତାହାର ଆୟୋଜନ ଅଧିକାର ବଳବତ୍ତର ରଖେ ତାହେଲେ କୌଣସି ଅସୁବିଧା ନାହିଁ। କିନ୍ତୁ ଆୟୋଜନ ଅଧିକାର ଯଦି ପାକିସ୍ତାନ ହାତରୁ ଚାଲିଯାଏ କିମ୍ବା ଏସିଆ କପ୍‌ ଅନ୍ୟ‌ କୌଣସି ସ୍ଥାନରେ ଆୟୋଜନ ହୁଏ, ତାହେଲେ ପାକିସ୍ତାନ ସେଥିରେ ଭାଗ ନେବ ନାହିଁ। ଏପରିକି ୩ ମିଲିଅନ୍‌ ଡଲାର ହରାଇବାକୁ ବି ପିସିବି ପ୍ରସ୍ତୁତ ଥିବା ନଜମ କହିଛନ୍ତି।

Advertisment

ସେପ୍ଟେମ୍ବରରେ ଏସିଆ କପ୍‌ ଆୟୋଜନ ପାଇଁ ପାକିସ୍ତାନକୁ ଅଧିକାର ମିଳିଛି। କିନ୍ତୁ ଏହି ପ୍ରତିଯୋଗିତାରେ ଭାରତର ଅଂଶଗ୍ରହଣକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ଏସିଆ କପ୍‌ରେ ଖେଳିବାକୁ ପାକିସ୍ତାନ ନଯିବାକୁ ବିସିସିଆଇ ସଂପାଦକ ଜୟ ଶାହ କହିସାରିଥିବାରୁ ଏହାର ସମାଧାନର ବାଟ ବାହାରିପାରୁନାହିଁ। ଯଦି ଭାରତ ସରକାର ତାଙ୍କ ଦଳକୁ ପାକିସ୍ତାନ ନପଠାଇବାକୁ ଚାହୁଁଛନ୍ତି, ତାହେଲେ ଏହାର ଲିଖିତ ପ୍ରମାଣ ଦିଆଯାଉ ବୋଲି ସେଠୀ କହିଛନ୍ତି। ତାଙ୍କ ମତରେ, ଏସିଆ କ୍ରିକେଟ୍‌ ପରିଷଦର ୮୦ ଭାଗ ଆୟ ଭାରତ-ପାକିସ୍ତାନ ମ୍ୟାଚ୍‌ରୁ ହେଉଛି। ଯେତେବେଳେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଭଳି ଦଳ ବିନା ଦ୍ବିଧାରେ ପାକିସ୍ତାନରେ ଖେଳିପାରୁଛନ୍ତି, ସେତେବେଳେ ଭାରତକୁ ସୁରକ୍ଷା ପ୍ରସଙ୍ଗରେ କୌଣସି ସମସ୍ୟା ହେବ ନାହିଁ। ଯଦି ଏସିଆ କ୍ରିକେଟ ପରିଷଦ ପାକିସ୍ତାନର ହାଇବ୍ରିଡ୍‌ ମଡେଲ୍‌କୁ ଗ୍ରହଣ କରିନିଏ, ତାହେଲେ ଦିନିକିଆ ବିଶ୍ବକପ୍‌ ବେଳେ ମଧ୍ୟ ତାହାକୁ ଲାଗୁ କରିବାକୁ ପାକିସ୍ତାନ ଅଡି ବସିପାରେ। ତେଣୁ ପାକିସ୍ତାନ ବିଶ୍ବକପ୍‌ରେ ଖେଳିବ କି ନାହିଁ ତାହା ଉପରେ ସେଠୀ କିଛି ସ୍ପଷ୍ଟ କରିନାହାନ୍ତି।