ଟେଣ୍ଟବ୍ରିଜ (ନଟିଂହାମ): ନଟିଂହାମ (ଇଂଲଣ୍ଡ)ର ଟେଣ୍ଟବ୍ରିଜରେ ଚାଳିଥିବା ବିଶ୍ୱକପ୍ କ୍ରିକେଟ ୨୦୧୯ର ୬ଷ୍ଠ ମ୍ୟାଚରେ ଇଂଲଣ୍ଡକୁ ୧୪ ରନ୍ରେ ପରାସ୍ତ କରିଛି ପାକିସ୍ତାନ । ଦ୍ୱିତୀୟ ପାଳିରେ ୩୪୯ ରନ୍ର ବିରାଟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୩୩୪ ରନ୍ କରିଛି । ଫଳରେ ପାକିସ୍ତାନ ଏହି ମ୍ୟାଚକୁ ୧୪ ରନ୍ରେ ଜିତି ନେଇଛି । ପାକିସ୍ତାନ ପକ୍ଷରୁ ସାଦାବ ଖାନ୍ ଓ ମହମ୍ମଦ ଅମିର ୨-୨ ଟି ଓ୍ଵିକେଟ ନେଇଥିବା ବେଳେ ଓ୍ଵାହାବ ରିଆଜ ୩ଟି ଓ୍ଵିକେଟ ଓ ମହମ୍ମଦ ହାଫିଜ ଓ ସୋହେବ ମଲ୍ଲିକ ୧-୧ ଟେ ଓ୍ଵିକେଟ ନେଇଛନ୍ତି ।
ଇଂଲଣ୍ଡ ପ୍ରଥମରୁ ଭଲ ବ୍ୟାଟିଂ କରିନଥିଲା ଫଳରେ ଦଳର ସ୍କୋର ୧୨ ରନ୍ ଥିବାବେଳେ ଜାସନ ରୟ ସାଦାବଙ୍କ ବଲର ଶିକାର ହୋଇଥିଲେ । ଅନ୍ୟପଟେ ଜନି ବେୟାରଷ୍ଟା ୬୦ ରନ୍ରେ ଆଉଟ ହୋଇ ପ୍ୟାଭିଲିୟନକୁ ଫେରିଥିଲେ । ୮୬ ରନ୍ରେ ମୋର୍ଗନ ଓ ୧୧୮ ରନ୍ରେ ବେନ୍ ଷ୍ଟୋକ୍ ଆଉଟ ହୋଇଥିଲେ । ଏହାପରେ ରୁଟ ଓ ବଟଲରଙ୍କ ଶତକୀୟ ପାଳି ଇଲଣ୍ଡକୁ ମଜବୁତ କରିଥିଲା । ଜୋ ରୁଟ୍ ୧୦୪ ବଲରେ ୧୦୭ ରନ୍ କରିଥିବା ବେଳେ ବଟଲର ୭୬ ବଲରେ ଦମ୍ଦାର ୧୦୩ ରନ୍ କରିଥିଲେ । କିନ୍ତୁ ଏହି ରନ୍ ଇଲଣ୍ଡକୁ ବିଜୟ ଦେଇ ପାରିନଥିଲା ।
ପ୍ରଥମ ପାଳିରେ ଇଂଲଣ୍ଡ ଟସ୍ ଜଣି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଜବାବରେ ପାକିସ୍ତାନ ୩୪୮ ରନ୍ର ବିଶାଳ ସ୍କୋର କରିଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ହାଫିଜ ୮୪ ରନ୍ କରିଥିବା ବେଳେ ବାବର ଆଜାମ ୬୩ ରନ୍ କରିଥିଲେ । ଇଲଣ୍ଡ ପକ୍ଷରୁ କ୍ରିସ୍ ଓ୍ଵକସ୍ ଓ ମୋଇନ ଅଲ୍ଲୀ ୩-୩ ଟି ଓ୍ଵିକେଟ ନେଇଥବା ବେଳେ ମାର୍କ ଉଡ ୨ ଟି ଓ୍ଵିକେଟ ନେଇଥିଲେ ।