ଏସିଆ କପ୍: ଭାରତକୁ ୫ ୱିକେଟରେ ପରାସ୍ତ କଲା ପାକିସ୍ତାନ

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପ ସୁପର-୪ ଷ୍ଟେଜର ପ୍ରଥମ ମ୍ୟାଚରେ ଭାରତକୁ ୫ ୱିକେଟରେ ପରାସ୍ତ କରିଛି ପାକିସ୍ତାନ । ଏହାଫଳରେ ଏସିଆ କପର ଲିଗ୍ ମ୍ୟାଚରେ ଭାରତଠାରୁ ପାଇଥିବା ପରାଜୟର ପ୍ରତିଶୋଧ ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି  ପାକିସ୍ତାନକୁ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାକୁ  ପିଛା କରି ୧୯.୫ ଓଭରରେ ୫ ୱିକେଟ ହରାଇ ୧୮୨ ରନ୍‌ କରି ବିଜୟ ହାସଲ କରିଛି ପାକିସ୍ତାନ। ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜୱାନ୍ ସର୍ବାଧିକ ୫୧ ବଲରେ ୭୧ ରନ୍‌ ଓ ମହମ୍ମଦ ନୱାଜ ୨୦ ବଲରେ ୪୨ ରନ୍‌ କରିଥିବା ବେଳେ ଆସିଫ ଅଲୀ ୮ ବଲରେ ୧୬ ରନ୍‌ କରି ପାକିସ୍ତାନକୁ ବିଜୟ ଦେଇଥିଲେ । ଅନ୍ୟପଟେ ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ରବି ବିଷ୍ଣୋଇ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଓ ଅର୍ଶଦୀପ ସିଂ ୧-୧ ୱିକେଟ ନେଇଥିଲେ । କିନ୍ତୁ ଭାରତକୁ ବିଜୟ ଦେବାରେ ସକ୍ଷମ ହୋଇ ନଥିଲେ ।

ପ୍ରଥମ ପାଳିରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ କୋହଲିଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରେ ୧୮୧ ରନର ବଡ଼ ସ୍କୋର ଛିଡ଼ା କରିଥିଲା । କୋହଲି ୪୪ଟି ବଲ ଖେଳି ୬୦ ରନ କରିଥିଲେ । ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଦ୍ରୁତ ଗତିରେ ଇନିଂସ ଆରମ୍ଭ କରି ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ବ୍ୟାଟ୍ସମ୍ୟାନ ୨୮ ରନ ଲେଖାଏଁ କରିଥିଲେ । ତେବେ ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା ଦ୍ବାରା ଦଳୀୟ ସ୍କୋର ଟିକିଏ ଧୀମେଇ ଯାଇଥିଲା । ସୂର୍ଯ୍ୟକୁମାର ଯାଦବ ୧୩ ରନ , ଋଷଭ ପନ୍ତ ୧୪ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୦ ରନ କରି ଆଉଟ ହେବା ଦ୍ବାରା ଦଳୀୟ ରନ ଗତି କମିଯାଇଥିଲା । ପାକିସ୍ତାନ ପକ୍ଷରୁ ସଦାବ ଖାଁ ୨ଟି ଓ୍ବିକେଟ ନେଇଥିବାବେଳେ ନସିମ ଶାହା, ମହମ୍ମଦ ହସନାନ,ହାରିସ ରୌଫ ଓ ମହମ୍ମଦ ନଓ୍ବାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର