କରାଚୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍କୁ ପାକିସ୍ତାନ ଅତି ସହଜରେ ୭ ୱିକେଟ୍ରେ ଜିତି ନେଇଛି। ପଦାର୍ପଣ କରିଥିବା ବାମହାତୀ ସ୍ପିନର୍ ନୌମନ ଅଲୀଙ୍କ ଯାଦୁକରୀ ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଖିନ୍ଭିନ୍ ହୋଇଯିବାରୁ ଘରୋଇ ଦଳ ମଧ୍ୟ ୨ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ପ୍ରଥମ ପାଳିରେ ଶତକ ହାସଲ କରିଥିବାରୁ ଫୱାଦ ଅଲାମ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ଗୁରୁବାର ପ୍ରଥମ ପାଳିରେ ୧୫୮ ରନ୍ ପଛୁଆ ଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳିରେ ଏକଦା ୧ ୱିକେଟ୍ ବିନିମୟରେ ୧୭୫ ରନ୍ ସଂଗ୍ରହ କରି ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା। ଅଭିଜ୍ଞ ସ୍ପିନର୍ ୟାସିର୍ ସାହାଙ୍କ ୩ ୱିକେଟ୍ ପାକିସ୍ତାନକୁ ସୁଯୋଗ ଦେବା ପରେ ଶୁକ୍ରବାର ଚତୁର୍ଥ ଦିନ ସକାଳେ ସାଥୀ ସ୍ପିନର୍ ନୌମନ ଅଲୀ ଶେଷ ୪ ବ୍ୟାଟ୍ସମ୍ୟାନଙ୍କ ସହ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ଏଥି ସହିତ ପଦାର୍ପଣ ଟେଷ୍ଟରେ ମୋଟ ୭ ୱିକେଟ୍ ନେଇ ସ୍ମରଣୀୟ ଆଗମନ କରିଛନ୍ତି। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି ଶୁକ୍ରବାର ୧୮୭/୪ରୁ ଆରମ୍ଭ ହୋଇ ୨୪୫ ରନ୍ରେ ଶେଷ ହୋଇଯାଇଥିଲା। ଭ୍ରମଣକାରୀ ଦଳ ୭୦ ରନ୍ ଯୋଡ଼ି ଶେଷ ୯ ୱିକେଟ୍ ହରାଇଥିଲା। ଫଳରେ ପାକିସ୍ତାନ ମଧ୍ୟାହ୍ନ ଭୋଜନ ବିରତି ପରେ ୮୮ ରନ୍ ବିଜୟ ଲକ୍ଷ୍ୟକୁ ୩ ୱିକେଟ୍ ହରାଇ ସଂଗ୍ରହ କରିନେଇଥିଲା। ଦକ୍ଷିଣ ଆଫ୍ରିକା ଏଥି ସହିତ ଉପମହାଦେଶରେ ଲଗାତାର ଅଷ୍ଟମ ଟେଷ୍ଟ୍ ପରାଜୟ ବରଣ କରିଛି।
ସଂକ୍ଷିପ୍ତ ସ୍କୋର୍: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୨୨୦ (ଡିନ୍ ଏଲ୍ଗର-୫୮, ସାହିନ୍ ଆଫ୍ରିଦି-୨/୪୯, ନୌମନ ଅଲ୍ଲୀ-୨/୩୮, ୟାସିର ସାହା-୩/୫୪)। ପାକିସ୍ତାନ ପ୍ରଥମ ପାଳି: ୩୭୮ (ଫୱାଦ ଆଲାମ୍-୧୦୯, ଫହିମ ଅସ୍ରଫ୍-୬୪, ଆଝାର ଅଲ୍ଲୀ-୫୧, ୟସିର୍ ସାହା-୩୮*, ନୌମନ ଅଲ୍ଲୀ-୨୪, କେଶବ ମହାରାଜ-୩/୯୦, କାଗିସୋ ରବାଦା-୩/୭୦, ଲୁଙ୍ଗି ଏନ୍ଗିଡ଼ି-୨/୫୭, ଅନ୍ରିକ୍ ନର୍ଖିୟା-୨/୧୦୫)। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ୧୦୦.୩ ଓଭରରେ ୨୪୫ (ଏଦୈନ ମର୍କରାମ-୭୪, ରାଶି ଭାନ୍ ଡେର୍ ଦସେନ୍-୬୪, ବଭୁମା-୪୦, ନୌମନ ଅଲୀ-୫/୩୫, ୟାସିର୍ ସାହା-୪/୭୯, ହାସନ ଅଲୀ-୧/୬୧)। ପାକିସ୍ତାନ ଦ୍ବିତୀୟ ପାଳି: ୨୨.୫ ଓଭରରେ ୯୦/୩ (ଆଝାର୍ ଅଲୀ-୩୧*, ବାବର ଆଜମ-୩୦, ଫୱାଦ ଆଲମ୍-୪*, ଅନରିକ୍ ନର୍ଖିୟା-୨/୨୪, କେଶବ ମହାରାଜ-୧/୧୨)।