ରାୱଲପିଣ୍ଡି: ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍କୁ ଘରୋଇ ପାକିସ୍ତାନ ୬ ୱିକେଟରେ ଜିତିନେଇଛି। ଏଥି ସହିତ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଜିମ୍ବାୱେ ୧୫୬ ରନ୍ କରିଥିବା ବେଳେ ପାକିସ୍ତାନ ଏହାକୁ ୭ ବଲ୍ ପୂର୍ବରୁ ୪ ୱିକେଟ୍ ହରାଇ ଅତିକ୍ରମ କରିଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାୱେ ୱେସଲେ ମାଦଭେର୍ (୭୦*, ୪୮ ବଲ୍, ୯ ଚୌକା, ୧ ଛକା)ଙ୍କ ଦ୍ରୁତ ଅର୍ଧଶତକ ସତ୍ତ୍ବେ ୧୫୬/୬ରେ ସୀମିତ ରହିଥିଲା। ଭ୍ରମଣକାରୀ ଦଳ ପକ୍ଷରୁ ବ୍ରେଣ୍ଡନ୍ ଟେଲର୍ (୨୦, ୧୩ ବଲ), ସିନ୍ ୱିଲିୟମସ୍ (୨୫, ୨୪ ବଲ୍), ଚିଗୁମ୍ବୁରା (୨୧*, ୧୩ ବଲ) ମଧ୍ୟ ଉପଯୋଗୀ ଅବଦାନ ରଖିଥିଲେ। ପାକିସ୍ତାନ ପକ୍ଷରୁ ହାରିସ୍ ରାଉଫ୍ (୪-୦-୨୫-୨), ୱାହାବ ରିଆଜ (୪-୦-୩୭-୨), ଉସମାନ କାଦିର୍ (୩-୦-୨୪-୧) ପ୍ରଭାବୀ ବୋଲିଂ କରିଥିଲେ। ଜବାବରେ ବାବର ଆଜମ୍ (୮୨, ୫୫ ବଲ) ଏବଂ ମହମ୍ମଦ ହାଫିଜ୍ (୩୬, ୩୨ ବଲ୍)ଙ୍କ ସହାୟତାରେ ପାକିସ୍ତାନ ଅନାୟାସରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଜିମ୍ବାୱେ ପକ୍ଷରୁ ମୁଜାରାବନି (୩.୫-୦-୨୬-୨) ସଫଳ ବୋଲର ଥିଲେ। ୭ ଜଣ ବୋଲରଙ୍କୁ ଉପଯୋଗ କରିବା ସତ୍ତ୍ବେ ପାକିସ୍ତାନ ୧୮.୫ ଓଭରରେ ୪ ୱିକେଟ୍ ବିନିମୟରେ ୧୫୭ ରନ୍ ସଂଗ୍ରହ କରି ନେଇଥିଲା। ଅର୍ଧଶତକୀୟ ପାଳି ପାଇଁ ବାବର ଆଜମ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ରିଆଜଙ୍କୁ ଚେତାବନୀ
ଶନିବାରର ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ ବେଳେ କୋଭିଡ୍-୧୯ ନିୟମ ଉଲ୍ଲଂଘନ କରିଥିବାରୁ ପାକିସ୍ତାନର ଅଭିଜ୍ଞ ବାମହାତୀ ଦ୍ରୁତ ବୋଲର ୱାହାବ୍ ରିଆଜଙ୍କୁ ଚେତାବନୀ ଦିଆଯାଇଛି। ମ୍ୟାଚ୍ର ଏକାଦଶ ଓଭରରେ ରିଆଜ ବୋଲିଂ କରିବା ବେଳେ ବଲରେ ଲାଳ ବୋଳୁଥିବାର ଦେଖିବାକୁ ମିଳିଥିଲା। ଅମ୍ପାୟାର୍ ଅଲିମ୍ ଦର ଓ ଅସିଆ ୟାକୁବ୍ ଏହାକୁ ନଜର କରିବା ପରେ ବଲ୍କୁ ପଡ଼ିଆ ବାହାରକୁ ପଠାଇବାକୁ କହିଥିଲେ। ଗତ ଅଗଷ୍ଟ ମାସରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ବେଳେ ମଧ୍ୟ ସମାନ ଭୁଲ କରିଥିବାରୁ ଚେତାବନୀ ପାଇଥିଲେ। ଆଇସିସି ନିୟମ ଅନୁସାରେ ତିନିଟି ଚେତାବନୀ ପରେ ଦଣ୍ଡସ୍ବରୂପ କ୍ଷେତ୍ରରକ୍ଷଣ କରୁଥିବା ଦଳକୁ ୫ ରନ୍ ପ୍ରଦାନ କରାଯିବ।
ଚିଗୁମ୍ବୁରାଙ୍କ ଅବସର
ଚଳିତ ପାକିସ୍ତାନ ବିପକ୍ଷ ୩ ମ୍ୟାଚ୍ ଟି-୨୦ ଶୃଙ୍ଖଳା ପରେ ଜିମ୍ବାୱେର ଅନ୍ୟତମ ସଫଳ ଅଲରାଉଣ୍ଡର୍ ଏଲଟନ୍ ଚିଗୁମ୍ବରା ଅବସର ନେଇଯିବେ। ୩୫ ବର୍ଷୀୟ ଏହି ପୂର୍ବତନ ଅଧିନାୟକ ଜିମ୍ବାୱେ ପାଇଁ ୧୪ ଟେଷ୍ଟ, ୨୧୩ ଦିନିକିଆ ଏବଂ ୫୫ ଟି-୨୦ ଖେଳିଛନ୍ତି। ଏହି ୩ ଫର୍ମାଟରେ ସେ ଯଥାକ୍ରମେ ୨୧, ୧୦୧, ୧୬ ୱିକେଟ୍ ନେଇଛନ୍ତି। ଫ୍ଲାୱାର ଭ୍ରାତା ଆଣ୍ଡି ଓ ଗ୍ରାଣ୍ଟଙ୍କ ପରେ ସର୍ବାଧିକ ଦିନିକିଆ ଖେଳାଳି ଥିଲେ। ନିଜ ଖେଳ ଜୀବନର ଶେଷ ଭାଗରେ ଜଣେ ଆଗଧାଡିର ବ୍ୟାଟସମ୍ୟାନ୍ ପାଲଟିଥିଲେ ଏହି ମଧ୍ୟମଗତି ବୋଲର।