ଲାହୋର: ଲାହୋର ଟେଷ୍ଟ୍‌କୁ ପାକିସ୍ତାନ ୯୩ ରନ୍‌ରେ ଜିତି ନେଇଛି। ତା’ ସହିତ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ପାକିସ୍ତାନ ୨୭୭ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଘରୋଇ ବୋଲରଙ୍କ ଶାଣିତ ବୋଲିଂର ସମ୍ମୁଖୀନ ହୋଇ ନପାରି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମାତ୍ର ୧୮୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ୧୦ ୱିକେଟ୍ ସଫଳତା ଲାଭ କରିଥିବା ପାକିସ୍ତାନର ୩୯ ବର୍ଷୀୟ ସ୍ପିନର୍‌ ନୋମାନ ଅଲୀ (୬/୧୧୨, ୪/୭୯) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଏହି ପ୍ରତୀକ୍ଷିତ ବିଜୟକୁ ପ୍ରଶଂସକଙ୍କୁ ଭେଟି ଦେଇ ପାକିସ୍ତାନ, ଏସିଆ କପ୍ ଫାଇନାଲ୍ ପରାଜୟର ଦୁଃଖ ଦୂର କରିବାକୁ ଚେଷ୍ଟା କରିଛି। 

Advertisment

ବହୁ ବର୍ଷ ପରେ ପାକିସ୍ତାନ ମାଟିରେ ବିଜୟର ମିଠା ସ୍ବାଦ ଚାଖିବା ଲକ୍ଷ୍ୟରେ ଥିବା ଦକ୍ଷିଣ ଆଫ୍ରିକା ମଙ୍ଗଳବାର ଷ୍ଟମ୍ପ୍ସ ସୁଦ୍ଧା ୨ ୱିକେଟ୍ ହରାଇ ୫୧ ରନ୍ କରିଥିଲା। ଫଳରେ ମ୍ୟାଚ୍‌ ରୋମାଞ୍ଚକ ମୋଡ଼ରେ ରହିବା ସହ ଉଭୟ ଦଳ ପାଇଁ ସୁଯୋଗ ରହିଥିଲା। ତେବେ ବୁଧବାର ପ୍ରଥମ ଦୁଇ ଅଧିବେଶନରେ ଅଗ୍ନିବର୍ଷୀ ବୋଲିଂ କରି ପାକିସ୍ତାନ ବୋଲର ବାଜି ପଲଟାଇ ଦେଇଥିଲେ। ନୋମାନ ଅଲୀ ଓ ଦ୍ରୁତ ବୋଲର ସାହିନ ସାହ ଆଫ୍ରିଦି ୪ଟି ଲେଖାଏଁ ୱିକେଟ୍ ନେଇ ପାକିସ୍ତାନ ବିଜୟକୁ ପକ୍କା କରି ଦେଇଥିଲେ। ନୋମାନ ନିଜ ସ୍ପିନ୍ ମାଡ଼ରେ ଦକ୍ଷିଣ ଆଫ୍ରିକାର ଅଣ୍ଟା ଭାଙ୍ଗି ଦେବା ପରେ ଆଫ୍ରିଦି ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେଇ ପାକିସ୍ତାନ ବିଜୟରେ ମୁଣ୍ଡି ମାରିଥିଲେ। ମୃଦୁ ପାନୀୟ ବିରତିର କିଛି ମିନିଟ୍ ପରେ ପରେ ହିଁ ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍ ହୋଇଯାଇଥିଲା।

ଦଳ ପକ୍ଷରୁ ଦିୱାଲ୍ଡ ବ୍ରେଭିସ୍ ସର୍ବାଧିକ ୫୪ ରନ୍ କରିଥିଲେ। ଅନ୍ୟ କୌଣସି ବ୍ୟାଟର୍‌ ପାକିସ୍ତାନ ବୋଲରଙ୍କ ସଠିକ୍ ମୁକାବିଲା କରି ପାରି ନଥିଲେ। ଏହା ପୂର୍ବରୁ ପାକିସ୍ତାନ ତା’ର ପ୍ରଥମ ପାଳିରେ ୩୭୮ ରନ୍ କରିଥିଲା। ପରେ ଦକ୍ଷିଣ ଆଫ୍ରିକାକୁ ୨୬୯ ରନ୍‌ରେ ଅଟକାଇ ଦେଇଥିଲା। ଦ୍ବିତୀୟ ପାଳିରେ ପାକିସ୍ତାନ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୬୭ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଏଥିରୁ କୌଣସି ଫାଇଦା ଉଠାଇ ପାରି ନଥିଲା।