ଦ୍ବିତୀୟ ଟେଷ୍ଟ୍‌ ଜିତିଲା ପାକିସ୍ତାନ: ୱେଷ୍ଟଇଣ୍ଡିଜ୍‌ ୧୦୯ ରନ୍‌ରେ ପରାସ୍ତ

ଶୃଙ୍ଖଳା ୧-୧ରେ ଶେଷ, ସାହିନ ଆଫ୍ରିଦି ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ

କିଙ୍ଗ୍‌ଷ୍ଟନ୍‌ (ଜାମାଇକା),: ଭ୍ରମଣକାରୀ ପାକିସ୍ତାନ ଏଠାରେ ଚାଲିଥିବା ଦ୍ବିତୀୟ ଟେ‌ଷ୍ଟ୍‌ରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ଦଳକୁ ପରାସ୍ତ କରି ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୧-୧ରେ ଅମୀମାଂସିତ ରଖିଲା। ପ୍ରଥମ ଟେଷ୍ଟ୍‌କୁ ଗୋଟିଏ ୱିକେଟ୍‌ରେ ଜିତି ଅଗ୍ରଣୀ ହାସଲ କରିଥିବା ଘରୋଇ ଦଳ ମଙ୍ଗଳବାର ପଞ୍ଚମ ତଥା ଶେଷ ଦିନ ଦ୍ବିତୀୟ ଟେଷ୍ଟ୍‌କୁ ୧୦୯ ରନ୍‌ରେ ହାରିଗଲା। ଘରୋଇ ଦଳ ନିକଟରେ ୩୨୯ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା ବେଳେ ୨୧୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ପରାଜୟ ପାଇଁ ବାଧ୍ୟ ହୋଇଥିଲା। ଅଲ୍‌ରାଉଣ୍ଡର ଜାସନ୍‌ ହୋଲ୍‌ଡର (୪୭), ଅଧିନାୟକ କ୍ରେଗ୍‌ ବ୍ରାଥ୍‌ୱେଟ୍‌ (୩୯) ଓ କାଇଲ ମାୟର୍ସ (୩୨) କିଛି ସମୟ ଲଢ଼ିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା‌ କରିପା‌ରିନଥିଲେ। ପ୍ରଥମ ପାଳିରେ ୬ ଓ ଦ୍ବିତୀୟ ପାଳିରେ ୪ ୱିକେଟ୍‌ ଅକ୍ତିଆର କରିଥିବା ପାକିସ୍ତାନ ଦ୍ରୁତ ବୋଲର ସାହିନ ଆଫ୍ରିଦି ଉଭୟ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇନେଲେ। ଦ୍ବିତୀୟ ଟେଷ୍ଟ୍‌ରେ ସେ ୯୪ ରନ୍‌ ବିନିମୟରେ ମୋଟ ୧୦ ୱିକେଟ୍‌ ଦଖଲ କରିଥିଲେ। ତାଙ୍କ ବ୍ୟତୀତ ମହମ୍ମଦ ଆବାସ୍‌ ଓ ନୌମନ ଅଲ୍ଲୀ ୩-୩ ଏବଂ ହାସନ୍ ଅଲ୍ଲୀ ୨ ୱିକେଟ୍‌ ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୩୦୨/୯, ଘୋଷିତ (ଫୱାଦ ଆଲାମ-୧୨୪*, ବାବର ଆଜମ-୭୫, ଜୟଦେନ୍‌ ସିଲ୍ସ-୩/୩୧, କେମାର ରୋଚ୍-୩/୬୮, ଜାସନ୍ ହୋଲ୍ଡର-୨/୪୬)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୫୧.୩ ଓଭରରେ ୧୫୦ (ଏନ୍ ବନର୍-୩୭, ଜର୍ମାଇନ୍ ବ୍ଲାକଉଡ୍‌-୩୩, ଜାସନ୍‌ ହୋଲ୍‌ଡର-୨୬, ସାହିନ୍ ସାହ ଆଫ୍ରିଦି-୬/୫୧, ମହମ୍ମଦ ଆବାସ-୩/୪୪, ଫହିମ୍ ଅସ୍ରଫ୍-୧/୧୪)। ପାକିସ୍ତାନ ଦ୍ବିତୀୟ ପାଳି: ୨୭.୨ ଓଭରରେ ୧୭୬/୬, ଘୋଷିତ (ଇମ୍ରାନ୍‌ ବଟ୍‌-୩୭, ବାବର ଆଜମ୍‌-୩୩, ଆବିଦ୍‌ ଅଲ୍ଲୀ-୨୯, ଆଝାର ଅଲ୍ଲୀ-୨୨, ହାସନ୍‌ ଅଲ୍ଲୀ-୧୭, ଜାସନ୍‌ ହୋଲ୍‌ଡର-୨/୨୭, ଅଲ୍‌ଜେରି ଜୋସେଫ୍‌-୨/୨୪)। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି: ୮୩.୨ ଓଭରରେ ୨୧୯ (ଜାସନ୍‌ ହୋଲ୍‌ଡର-୪୭, କ୍ରେଗ୍‌ ବ୍ରାଥ୍‌ୱେଟ୍‌-୩୯, କାଇଲ ମାୟର୍ସ-୩୨, ଜର୍ମେନ୍‌ ବ୍ଲାକ୍‌ଉଡ୍‌-୨୫, କିରଣ ପାୱେଲ-୨୩, ସାହିନ୍ ଆଫ୍ରିଦି-୪/୪୩, ନୌମନ ଅଲ୍ଲୀ-୩/୫୨, ହାସନ ଅଲ୍ଲୀ-୨/୩୭)।

ସମ୍ବନ୍ଧିତ ଖବର