ରାୱଲପିଣ୍ଡି: ମଧ୍ୟମଗତି ବୋଲର ହାସନ୍ ଅଲୀଙ୍କ ପ୍ରଥମ ୧୦ ୱିକେଟ୍ ସଫଳତା (୧୦/୧୧୪) ବଳରେ ପାକିସ୍ତାନ ରାୱଲପିଣ୍ଡି ଟେଷ୍ଟ୍କୁ ୯୫ ରନ୍ରେ ଜିତି ନେଇଛି। ଭ୍ରମଣକାରୀ ଦଳ ସମ୍ମୁଖରେ ୩୭୦ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ କ୍ବିଣ୍ଟନ୍ ଡି’କକ୍ଙ୍କ ଦଳ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଏହାକୁ ହାତଛଡ଼ା କରି ଚା’ପାନ ବିରତି ପୂର୍ବରୁ ୨୭୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଦୁଇ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳାକୁ ପାକିସ୍ତାନ ୨-୦ରେ ମୂଳପୋଛ କରି ନେଇଛି। ୨୦୦୩ ମସିହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ଟେଷ୍ଟ୍ ଶୃଙ୍ଖଳା ବିଜୟୀ ହେବାର ସୌଭାଗ୍ୟ ପାଇଛି। ୨୦୦୯ ମସିହାରେ ପାକିସ୍ତାନ ଗସ୍ତରେ ଥିବା ଶ୍ରୀଲଙ୍କା କ୍ରିକେଟ୍ ଦଳ ଉପରେ ଉଗ୍ରବାଦୀ ଆକ୍ରମଣ କାରଣରୁ କୌଣସି ବିଦେଶୀ ଦଳ ଏହି ଦେଶକୁ ଆସୁନଥିଲେ।
ସୋମବାର ଦକ୍ଷିଣ ଆଫ୍ରିକା ୧୨୭/୧ରୁ ଅଭିଯାନ ଆରମ୍ଭ କରିଥିବା ବେଳେ ବିଜୟ ପାଇଁ ଆଉ ୨୪୩ ରନ୍ ଆବଶ୍ୟକ କରୁଥିଲା। ମଧ୍ୟାହ୍ନ ଭୋଜନ ବିରତି ବେଳକୁ ୩ ୱିକେଟ୍ରେ ୨୧୯ ରନ୍ ସଂଗ୍ରହ କରି ପାକିସ୍ତାନ ଚିନ୍ତା ବଢ଼ାଇଥିଲା। ଏହା ପରେ ହାସନ୍ ଅଲୀ ଏବଂ ସାହିନ୍ ଆଫ୍ରିଦି ମିଳିତ ଭାବେ ୯ ୱିକେଟ୍ ନେଇ ସବୁ ଓଲଟପାଲଟ କରି ଦେଇଥିଲେ। ଭ୍ରମଣକାରୀ ଦଳ ନିଜର ଶେଷ ୭ ୱିକେଟ୍ ମାତ୍ର ୩୩ ରନ୍ ଭିତରେ ହରାଇ ଶୃଙ୍ଖଳା ବରାବର ରଖିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା। ଅପ୍ରତ୍ୟାଶିତ ଭାବେ ପାକିସ୍ତାନ ୯୫ ରନ୍ରେ ଜିତିଯାଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଐଦେନ ମର୍କରାମ (୧୦୮, ୨୪୩ ବଲ୍, ୧୩ ଚୌକା, ୩ ଛକା) ଏବଂ ତେମ୍ବା ବଭୁମା (୬୧, ୧୨୫ ବଲ୍) ଚତୁର୍ଥ ୱିକେଟ୍ ପାଇଁ ୧୦୬ ରନ୍ ଯୋଡ଼ିବା ପରେ ପାକିସ୍ତାନ ପେସ୍ ବୋଲିଂ ଯୋଡ଼ି ପ୍ରାଧାନ୍ୟ ବିସ୍ତାର କରିଥିଲେ। ୱିଆନ୍ ମୁଲ୍ଡରଙ୍କୁ ବୋଲ୍ଡ କରି ୟାସିର୍ ସାହା ପାକିସ୍ତାନ ବିଜୟର ମୁଣ୍ଡି ମାରିଥିଲେ। ମର୍କରାମ ନିଜ ପଞ୍ଚମ ଟେଷ୍ଟ ଶତକ (ଦକ୍ଷିଣ ଆଫ୍ରିକା ବାହାରେ ପ୍ରଥମ) ହାସଲ କରିଥିଲେ ମଧ୍ୟ ବେକାର ଯାଇଥିଲା। ହାସନ୍ ଅଲୀ ମ୍ୟାଚ୍ର ଶ୍ରେଷ୍ଠ ଏବଂ ମହମ୍ମଦ ରିଜୱାନ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ପାକିସ୍ତାନର ଦ୍ବାଦଶ ପ୍ରୟାସରେ ଦ୍ବିତୀୟ ଟେଷ୍ଟ୍ ଶୃଙ୍ଖଳା ବିଜୟ। ଶେଷ ଥର ପାଇଁ ୨୦୦୩ରେ ଘରୋଇ ମାଟିରେ ପାକିସ୍ତାନ ୧-୦ରେ ଜିତିଥିଲା। ଏହି ବିଜୟ ସହ ପାକିସ୍ତାନ ମଧ୍ୟ ଆଇସିସି ଟେଷ୍ଟ୍ ମାନ୍ୟତାରେ ପଞ୍ଚମକୁ ଉନ୍ନୀତ ହୋଇଛି। ଦକ୍ଷିଣ ଆଫ୍ରିକା ପଞ୍ଚମରୁ ଷଷ୍ଠକୁ ଖସିଯାଇଛି। ୨୦୧୭ ମସିହା ପରେ ପାକିସ୍ତାନ ପ୍ରଥମ ଥର ଶୀର୍ଷ ୫ ଭିତରକୁ ପ୍ରବେଶ କରିଛି। ଟେଷ୍ଟ୍ ଶୃଙ୍ଖଳା ପରେ ଲାହୋରରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃ୍ଙ୍ଖଳା ଫେବ୍ରୁଆରି ୧୧, ୧୩, ୧୪ରେ ଖେଳାଯିବ।
ସଂକ୍ଷିପ୍ତ ସ୍କୋର୍: ପାକିସ୍ତାନ ପ୍ରଥମ ପାଳି ୨୭୨ (ବାବର ଆଜମ୍-୭୭, ଫହିମ୍ ଅସ୍ରଫ୍-୭୮*, ଫୱାଦ୍ ଆଲାମ-୪୫, ଅନ୍ରିକ୍ ନର୍ଖିୟା-୫/୫୬, କେଶବ ମହାରାଜ-୩/୯୦)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୨୦୧ (ତେମ୍ବା ବଭୁମା-୪୪*, ହାସନ୍ ଅଲ୍ଲୀ-୫/୫୪)। ପାକିସ୍ତାନ ଦ୍ବିତୀୟ ପାଳି: ୨୯୮ (ମହମ୍ମଦ ରିଜୱାନ-୧୧୫*, ଜର୍ଜ ଲିଣ୍ଡ-୫/୬୪, କେଶବ ମହାରାଜ-୩/୧୧୮, କାଗିସୋ ରବାଦା-୨/୩୪)। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ୯୧.୪ ଓଭରରେ ୨୭୪ (ଐଦେନ ମର୍କରାମ-୧୦୮, ତେମ୍ବା ବଭୁମା-୬୧, ରାଶି ଭାନ୍ ଡେର୍ ଦସେନ୍-୪୮, ହାସନ ଅଲୀ-୫/୬୦, ସାହିନ ଆଫ୍ରିଦି-୪/୫୧, ୟାସିର୍ ସାହା-୧/୫୬)।