ଖ୍ରିଷ୍ଟଚର୍ଚ୍ଚ : ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ବାଂଲାଦେଶକୁ ନେଇ ଆୟୋଜିତ ତ୍ରିରାଷ୍ଟ୍ରୀୟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଶେଷ ହୋଇଛି। ଶୁକ୍ରବାର ଫାଇନାଲ୍‌ରେ ଆୟୋଜକ ନ୍ୟୁଜିଲାଣ୍ଡ୍‌କୁ ୫ ୱିକେଟ୍‌ରେ ପରାସ୍ତ କରି ପାକିସ୍ତାନ ବିଜେତା ହେବା ସହିତ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ପୂରା ପ୍ରସ୍ତୁତ ବୋଲି ଜଣାଇଦେଇଛି। ପାକିସ୍ତାନ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଚଳିତ ମାସ ୨୩ ତାରିଖ ଦିନ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତକୁ ଭେଟି ଅଭିଯାନ ଆରମ୍ଭ କରିବ।

Advertisment

ଶୁକ୍ରବାର ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଫାଇନାଲ୍‌ରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିଥିଲା। ନସିମ ଶାହା (୪-୦-୩୮-୨), ହାରିସ ରୌଫ୍‌ (୪-୦-୨୨-୨), ସଦାବ ଖାନ୍‌ (୪-୦-୩୦-୧) ଓ ମହମ୍ମଦ ନୱାଜ (୪-୦-୩୩-୧) ଭଲ ବୋଲିଂ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ୧୬୩/୭ କରିନେଇଥିଲା। ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ (୫୯ ରନ୍‌, ୩୮ ବଲ୍‌, ୪ ଚୌକା, ୨ ଛକା) ଅର୍ଦ୍ଧଶତକ ଜମାଇଥିଲା ବେଳେ ଗ୍ଲେନ୍‌ ଫିଲିପ୍ସ (୨୯), ମାର୍କ ଚାପମ୍ୟାନ୍‌ (୨୫), ଜେମ୍‌ସ ନୀସାମ (୧୭), ହେଭନ୍‌ କନ୍‌ୱେ (୧୩) ଓ ଫିନ୍‌ ଆଲେନ (୧୨) ଦୁଇ ଅଙ୍କ ଛୁଇଁଥିଲେ। ଜବାବରେ ମାଇକେଲ ବ୍ରାସ୍‌ୱେଲ (୪-୦-୧୪-୨)ଙ୍କ ପୁଣି ଏକ କଞ୍ଜୁସ ବୋଲିଂ ସାଙ୍ଗକୁ ଟିମ୍‌ ସାଉଦି, ବ୍ଲେୟାର ଟିକ୍‌ନେର ଓ ଈଶ୍‌ ସୋଢ଼ି ଆରମ୍ଭରୁ ଭଲ ବୋଲିଂ କରି ପାକିସ୍ତାନ ରନ୍‌ ଗତିରେ ଅଙ୍କୁଶ ଲଗାଇଥିଲେ। ଫଳରେ ୧୬ତମ ଓଭର ବେଳକୁ ପାକିସ୍ତାନ ୧୩୨ ରନ୍‌ରେ ୫ ୱିକେଟ୍‌ ହରାଇ ସଂଘର୍ଷ କରିଥିଲା। ତେବେ ମହମ୍ମଦ ନୱାଜ (୩୮* ରନ୍‌, ୨୨ ବଲ୍‌, ୨ ଚୌକା, ୩ ଛକା) ଏବଂ ଇଫ୍‌ତିକାର ଅହମ୍ମଦ (୨୫* ରନ୍‌, ୧୪ ବଲ୍‌, ୧ ଚୌକା, ୧ ଛକା) ଧୂଆଁଧାର ବ୍ୟାଟିଂ କରି ଶେଷ ୪ ଓଭରରେ ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ସୋଢ଼ିଙ୍କ ଶେଷ ଓଭରରୁ ୨୨ ରନ୍‌ ଆଦାୟ କରି ଏ ଦୁହେଁ ପାକିସ୍ତାନ ବିଜୟ ନିଶ୍ଚିତ କରିଦେଇଥିଲେ। ଅବିଭାଜିତ ଷଷ୍ଠ ୱିକେଟ୍‌ରେ ୨୦ ବଲ୍‌ରୁ ୩୪ ରନ୍ ଆଦାୟ କରିବାରୁ ପାକିସ୍ତାନ ୧୯.୩ ଓଭରରେ ୧୬୮/୫ ସହ ମ୍ୟାଚ୍‌ ଜିତି ନେଇଥିଲା। ଏହା ପୂର୍ବରୁ ମହମ୍ମଦ ରିଜ୍‌ୱାନ (୩୪), ଅଧିନାୟକ ବାବର ଆଜମ (୧୫), ସନ୍‌ ମାସୁଦ (୧୯) ଓ ହାଇଦର ଅଲୀ (୩୧) ଉପଯୋଗୀ ପାଳି ଖେଳିଥିଲେ। ନୱାଜ ଫାଇନାଲ୍‌ର ଏବଂ ବ୍ରାସ୍‌ୱେଲ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।