ପାକିସ୍ତାନୀ କ୍ରିକେଟରଙ୍କ ନୈରାଶ୍ୟଜନକ ରେକର୍ଡ, ଅଦ୍ଭୁତ ତରିକାରେ ଆଉଟ ହୋଇ ରଚିଲେ ଇତିହାସ

ଇସଲାମାବାଦ: ପାକିସ୍ତାନ ସୁପର ଲିଗରେ ଇସଲାମାବାଦ ୟୁନାଇଟେଡ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରିଥିବା କ୍ରିକେଟର ସାହିବଜାଦା ଫରହାନ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଡେବ୍ୟୁ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ପ୍ରତ୍ୟେକ ଖେଳାଳିଙ୍କ ସ୍ୱପ୍ନ ହୋଇଥାଏ ଯେ, ଡେବ୍ୟୁ ମ୍ୟାଚରେ ଭଲ ଖେଳିବେ କିନ୍ତୁ ପାକିସ୍ତାନର ଏହି କ୍ରିକେଟର ଟିକିଏ ଅଲଗା। ସାହିବଜାଦା ପିଏସ୍‌ଏଲ୍‌ରେ ଦର୍ଶକଙ୍କୁ ଆକୃଷ୍ଟ କରିବେ ବୋଲି ଆଶା କରାଯାଉଥିଲା କିନ୍ତୁ ସେ ଏହା କରିପାରି ନଥିଲେ। ତ୍ରିରାଷ୍ଟ୍ରୀୟ ଟି-୨୦ ଶୃଙ୍ଖଳାର ଫାଇନାଲ ମ୍ୟାଚରେ ସାହିବଜାଦା ଫରହାନଙ୍କୁ ଡେବ୍ୟୁ କରିବାକୁ ସୁଯୋଗ ମିଳିଥିଲା କିନ୍ତୁ ସେ ଖାତା ନଖୋଲି ଆଉଟ ହୋଇ ଯାଇଥିଲେ। ଗ୍ଲେନ ମେକ୍ସେଓ୍ଵଲଙ୍କ ବଲରେ ଷ୍ଟେପ୍‌ ନେଇ ଖେଳିବାକୁ ଉଦ୍ୟମ କରି ଷ୍ଟମ୍ପ ଆଉଟ ହୋଇ ଯାଇଥିଲେ। ଏଥି ସହିତ ସେ ଏକ ଅଦ୍ଭୁତ ରେକର୍ଡରେ ସାମିଲ ହୋଇପାରିଥିଲେ। ଓ୍ଵାଇଡ ବଲ ଖେଳିବାକୁ ଯାଇ ଡେବ୍ୟୁ ମ୍ୟାଚରେ ଷ୍ଟମ୍ପ ଆଉଟ ହେବାରେ ସାହିବଜାଦା ଫହରାନ ହେଉଛନ୍ତି ୫ମ କ୍ରିକେଟର, ଯିଏ କି କୌଣସି ରନ ସଂଗ୍ରହ କରି ପାଭଲିଅନ ଫେରିଥିଲେ।

ଫଖର ଜମାନ(୯୧)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପାକିସ୍ତାନ ରବିବାର ଅଷ୍ଟ୍ରେଲିଆକୁ ହରାଇ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାକୁ ନିଜର କରିଛି। ଫଖର ଜମାନ ଓ ସୋଏବ ମଲ୍ଲିକଙ୍କ ୪ର୍ଥ ଓ୍ଵିକେଟ ପାଇଁ ୧୦୭ ରନ ଭାଗିଦାରୀ ଟିମକୁ ବିଜୟ କରିବା ପାଇଁ ସୁନିଶ୍ଚିତ କରିଥିଲା।

ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୮ ଓ୍ଵିକେଟରେ ୧୮୩ ରନ ସଂଗ୍ରହ କରିଥିଲା। ପାକିସ୍ତାନ ନିର୍ଦ୍ଧାରିତ ଲକ୍ଷ୍ୟକୁ ୧୯.୨ ଓଭରରେ ପୂରା କରିଥିଲା। ଟି-୨୦ରେ ଲକ୍ଷ୍ୟ ପଛରେ ଗୋଡେଇ ପାକିସ୍ତାନର ଏହା ହେଉଛି ସର୍ବବୃହତ୍ତ ବିଜୟ। ପାକିସ୍ତାନ ପାଇଁ ଜମାନ ୪୬ ବଲରେ ୧୨ଟି ଚୌକା ଓ ୩ଟି ଛକା ମାରିଥିଲେ। ଏହା ହେଉଛି ଜମାନଙ୍କ ୨ୟ କ୍ରମାଗତ ଓ ସମୁଦାୟ ୪ର୍ଥ ଅର୍ଦ୍ଧଶତକ। ମଲ୍ଲିକ ୩୭ଟି ବଲ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେହିଭଳି ଅଧିନାୟକ ସରଫରାଜ ଅହମଦ ୧୯ଟି ବଲ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ସମ୍ବନ୍ଧିତ ଖବର