ଦୁବାଇରେ ପାକିସ୍ତାନୀ ଯୁବତୀଙ୍କୁ ଭେଟିଥିଲି: କ୍ରିକେଟର ମହମ୍ମଦ ସାମି

ନୂଆଦିଲ୍ଲୀ: ପତ୍ନୀ ହାସିନ ଜହାଁଙ୍କ ଗୁରୁତର ଅଭିଯୋଗକୁ ସମ୍ମୁଖୀନ ହୋଇଥିବା ଭାରତୀୟ କ୍ରିକେଟର ମହମ୍ମଦ ସାମି ବଡ଼ ଖୁଲାସା କରିଛନ୍ତି। ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଦ୍ରୁତ ବୋଲର ସାମି କହିଛନ୍ତି, ସେ ଅଲିଶ୍‌ବା ନାମରେ ଜଣେ ପାକିସ୍ତାନୀ ଯୁବତୀଙ୍କୁ ଦୁବାଇରେ ଭେଟିଥିଲେ। ସେ ପାକିସ୍ତାନୀ ଯୁବତୀଙ୍କର ଇଷ୍ଟାଗ୍ରାମରେ ପ୍ରଶଂସକ ଅଟନ୍ତି। ଏହି କାରଣରୁ ହ୍ୟାଲୋ…ହାଏ… ହୋଇଥାଏ। ସାମି କହିଛନ୍ତି, ଅଲିଶ୍‌ବା ଦୁବାଇକୁ ତାଙ୍କର ଭଉଣୀ ଘରକୁ ଆସିଥିଲେ। ସେଠାରେ ତାଙ୍କ ସହିତ ବନ୍ଧୁତା ସ୍ଥାପନ ହୋଇଥିଲା। ପରେ ଜଣେ ବନ୍ଧୁଙ୍କ ମାଧ୍ୟମରେ ତାଙ୍କ ସହିତ ଭେଟ ହୋଇଥିଲା। ସାମି କହିଛନ୍ତି, ଏଥିରେ କୌଣସି ସମସ୍ୟା ନାହିଁ। କିଛି ଭୁଲ କଥା ନଥିଲା କିନ୍ତୁ ଏହାକୁ ଗଣମାଧ୍ୟମ ଦ୍ୱାରା ଭୁଲ ଶୈଳୀରେ ଉପସ୍ଥାପନା କରାଯାଇଛି।

ସେଠାରେ କ’ଣ ଟଙ୍କା ଦେବା-ନେବା ହୋଇଥିଲା କି ବୋଲି ସାକ୍ଷାତକାରରେ ଯେତେବେଳେ ପଚରାଯାଇଥିଲା,ସାମି କହିଥିଲେ, ଟଙ୍କା ବାବଦରେ କୌଣସି କଥାବାର୍ତ୍ତା ହୋଇ ନାହିଁ। ମ୍ୟାଚ୍‌ ଫିକ୍ସିଙ୍ଗ ମିଛ କଥା। ସାମିଙ୍କୁ ଏହି କାହାଣୀରେ ସଂଶ୍ଲିଷ୍ଟ ଥିବା ମହମ୍ମଦ ଭାଇଙ୍କୁ ସାକ୍ଷାତକାରରେ ପଚରାଯିବାରୁ, ସେ କହିଥିଲେ, ମହମ୍ମଦ ଭାଇଙ୍କୁ ସମସ୍ତେ ଜାଣନ୍ତି। ତାଙ୍କୁ ଟିମ୍‌ର ସମସ୍ତ ଖେଳାଳି ଭେଟନ୍ତି।

ସାମି କହିଛନ୍ତି, ମହମ୍ମଦ ଭାଇ ଦ୍ୱାରା ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଆଣିଥିବା ହାସିନ ଜହାଁ ତାଙ୍କୁ ଭେଟି ସାରିଛନ୍ତି। ସାମି କହିଛନ୍ତି, ହାସିନ ଜହାଁ ଓ ମହମ୍ମଦ ଭାଇ ରାତ୍ରି ଭୋଜନ କରିଛନ୍ତି। ହାସିନ ଜହାଁ ଏକଦା କହିଥିଲେ ମହମ୍ମଦ ଭଲ ବ୍ୟକ୍ତି। ଦିନକୁ ୫ଥର ନମାଜ ପଢ଼ନ୍ତି। ପୁଣି ଅଚାନକ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଆଣିବା ଘଟଣା କିଛି ବୁଝା ପଡୁ ନାହିଁ।

ସମ୍ବନ୍ଧିତ ଖବର