ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୋଏବ୍‌ ମଲ୍ଲିକଙ୍କ ସମ୍ପର୍କରେ ଫାଟ ଥିବା ଗୁଜବ ପ୍ରଚାର ଚାଲିଛି। ଅନ୍ୟପକ୍ଷରେ ପାକିସ୍ତାନର କିଛି ଗଣମାଧ୍ୟମ ଉଭୟଙ୍କ ମଧ୍ୟରେ ବିବାହ ବ‌ିଚ୍ଛେଦ ହୋଇଯାଇଛି ବୋଲି ଦାବି କରିଛନ୍ତି। ସାନିଆ ଓ ସୋଏବ ୨୦୧୦ ଏପ୍ରିଲ ୧୨‌ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୧୮ରେ ସେମାନଙ୍କର ପୁଅ ଇଝାନ ଜନ୍ମଗ୍ରହଣ କରିଥିଲା। ଉଭୟଙ୍କ ମଧ୍ୟରେ ସବୁଠିକ୍‌ ଠାକ୍‌ ଚାଲିଥିଲା। କିନ୍ତୁ କିଛି ଦିନ ହେବ ‌ଏମାନଙ୍କ ସଂପର୍କରେ ତିକ୍ତତା ଚାଲିଥିବା ଉଭୟଙ୍କ ସାମାଜିକ ‌ଗଣମାଧ୍ୟମ ପୋଷ୍ଟ୍‌ରୁ ଜଣା ପଡ଼ୁଥିଲା। ହେଲେ ଉଭୟ ଏ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ତେବେ ସାନିଆ ଓ ସୋଏବ ସଂପ୍ରତି ଅଲଗା ରହୁଛନ୍ତି ଏବଂ ନିକଟରେ ସେମାନଙ୍କ ଆନୁଷ୍ଠାନିକ ଛାଡ଼ପତ୍ର ହୋଇଛି ବୋଲି କିଛି ପାକିସ୍ତାନ ଗଣମାଧ୍ୟମ ଦାବି କରୁଛନ୍ତି।

Advertisment

ଓଭରସିଜ୍‌ ସେନ୍‌ସର ବୋର୍ଡର ସଦସ୍ୟ ଉମାର ସାନ୍ଧୁ ଟ୍ବିଟର୍‌ରେ ଲେଖିଛନ୍ତି ଯେ ‘ନିଶ୍ଚିତ, ସାନିଆ ଓ ସୋଏବଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ଆନୁଷ୍ଠାନିକ ଛାଡ଼ପତ୍ର ହୋଇଯାଇଛି! ଏହି ଯୋଡ଼ି ପାଇଁ ଦୁଃଖଦ ଖବର।’ ଆଉ କିଛି ଗଣମାଧ୍ୟମ ଛାଡ଼ପତ୍ର ଗୁଜବକୁ ନୂଆ ଦିଗ ଦେଇଛନ୍ତି। ସୋଏବ ପାକିସ୍ତାନ ମଡେଲ ଆୟେଶା ଓମାରଙ୍କ ସହ ସଂପର୍କରେ ଥିବାରୁ ଏଭଳି ଘଟିଛି ବୋଲି କହିଛନ୍ତି। ଆୟେଶାଙ୍କ ସହ ସୋଏବଙ୍କ ମଧ୍ୟ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଛାଡ଼ପତ୍ରର ଏହା ଏକ କାରଣ ହୋଇପାରେ ବୋଲି ପାକିସ୍ତାନ ଗଣମଧ୍ୟମରେ ଚର୍ଚ୍ଚା ହେଉଛି।