ଲାହୋର : ପାକିସ୍ତାନର ଷ୍ଟାଡିୟମ ଏବେ ଚାଷ ଜମି ପାଲଟିଗଲାଣି। ପଞ୍ଜାବ ପ୍ରଦେଶରେ ଥିବା ଖାନେୱାଲସ୍ଥିତ ଏକ କ୍ରିକେଟ୍‌ ଷ୍ଟାଡିୟମ ଏବେ ଲଙ୍କା, କଖାରୁ ଏବଂ ବିଭିନ୍ନ ପରିବାର ଚାଷ ‌ଜମି ହୋଇଯାଇଛି। ଷ୍ଟାଡିୟମ ଖେଳଉପଯୋଗୀ ରହିବା ସହ ଅଭ୍ୟାସ ପିଚ୍‌, ପାଭିଲିୟନ ସୁରକ୍ଷିତ ରହିବା କଥା। ହେଲେ ଏହି ଷ୍ଟାଡିୟମ ଏବେ ସ୍ଥାନୀୟ ଚାଷୀଙ୍କ କବ୍‌ଜାରେ। ଆତଙ୍କବାଦ ଆକ୍ରମଣ ପରେ ପାକିସ୍ତାନ‌ରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ହେଉନଥିଲା। ଏବେ ପାକିସ୍ତାନରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆରମ୍ଭ ହେଲାଣି। ହେଲେ ଏହା ବିଶେଷ କରି ଲାହୋର ଓ କରାଚିରେ ହିଁ ଖେଳାଯାଉଛି। ନିକଟରେ ଅନ୍ତର୍ଜାତୀୟ ସୂଚୀ ତାଲିକାରେ ମୁଲତାନ ଓ ଫୈସଲାବାଦ ‌‌‌ଯୋଡ଼ି ହୋଇଛି। କିନ୍ତୁ ଅନ୍ୟ ଷ୍ଟାଡିୟମରେ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବା ଆଶା କମ୍‌ ରହିଛି। ଏହି ସବୁ କାରଣରୁ ଜନସାଧାରଣ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି। ଫଳରେ ଷ୍ଟାଡିୟମକୁ ଖାଲି ନରଖି ଚାଷ କରିବାକୁ ସ୍ଥାନୀୟ ଚାଷୀ ବୋଧେ ନିଷ୍ପତ୍ତି ନେଇଛନ୍ତି। ଷ୍ଟାଡିୟମରେ ଚାଷ ହୋଇଥିବା ଭିଡିଓକୁ ପାକିସ୍ତାନର କ୍ରୀଡ଼ା ସାମ୍ବାଦିକ ସୋଏବ ଜାଟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବା ପରେ ଏହି ଖବର ଲୋକଲୋଚନ ଆସିଥିଲା।